ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇ ଦିନିଆ ଭାରତ ବନ୍ଦର ପ୍ରଭାବ
ଭୁବନେଶ୍ୱର,(ଓଟି): କେନ୍ଦ୍ର ସରକାର ଶ୍ରମିକ ମାରଣ ନୀତି ଆପଣାଉଥିବା ଅଭିଯୋଗ କରି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଆଜି ଓ ଆସନ୍ତାକାଲି ବନ୍ଦ ଡାକରା ଦିଆଯାଇଥିବା ବେଳେ
ଏଥିରେ ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଟୁ, ଏଆଇୟୁଟିୟୁସି ଭଳି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ କର୍ମଚାରୀ ସଂଘ, ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ସଂଘ ସମେତ ଜାତୀୟସ୍ତରର ବିଭିନ୍ନ ସ୍ୱାଧୀନ ଶ୍ରମିକ ଓ କର୍ମଚାରୀ ସଂଗଠନ ଏଥିରେ ସାମିଲ୍ ହୋଇଛନ୍ତି। ଧର୍ମଘଟ ଯୋଗୁଁ ବିଭିନ୍ନ ସ୍ଥାନରେ ରେଳରୋକ କରାଯାଇଥିବା ବେଳେ ଜାତୀୟ ରାଜପଥରେ ଟ୍ରକ୍ ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି।
ବନ୍ଦକୁ ଟେଲିକମ୍, ସ୍ୱାସ୍ଥ୍ୟ, ଶିକ୍ଷା, କୋଇଲା, ଷ୍ଟିଲ୍, ବିଦ୍ୟୁତ୍, ବ୍ୟାଙ୍କ, ବୀମା ଓ ପରିବହନ ସେକ୍ଟରର କର୍ମଚାରୀମାନେ ସମର୍ଥନ କରୁଥିବା ଟ୍ରେଡ୍ ୟୁନିୟନ୍ ପକ୍ଷରୁ କୁହାଯାଇଛି।
ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖାଦେଇଛି। ବାଲେଶ୍ୱର ଷ୍ଟେସନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ରେଳରୋକ କରାଯାଇଛି। ଫଳରେ ଗୁଆହାଟୀ-ଥିରୁଅନନ୍ତପୁରମ ଏକ୍ସପ୍ରେସ୍ ବାଲେଶ୍ୱର ଷ୍ଟେସନରେ ଅଟକି ରହିଛି। ସହରରେ ବସ୍ ଚଳାଚଳ ମଧ୍ୟ ରହିଛି।ଆହୁରି ପଢ଼ନ୍ତୁ
ସେହିପରି ରାୟଗଡ଼ା ଜିଲ୍ଲାର ଗୁଣପୁରରେ ଦୋକାନ, ବଜାର ସହ ଗାଡ଼ି ଚଳାଚଳ ବନ୍ଦ ରହିଛି। କୋରାପୁଟ ଜିଲ୍ଲାର ଲମତାପୁଟରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସହରରୁ ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ ବନ୍ଦ କରିଛି।
ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ୬ଟି ରେଲୱେ ସାଇଡିଂ ବନ୍ଦ ରହିଛି। ଆନ୍ଦୋଳନକାରୀମାନେ ପିକେଟିଂ କରି ୨୧୫ ଓ ୧୪୩ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଷ୍ଟେସନରେ ଖଡ଼ଗପୁର-ଖୋର୍ଦ୍ଧା ପାସେଞ୍ଜରକୁ ଆନ୍ଦୋଳକାରୀ ଅଟକାଇଛନ୍ତି।
ଭାରତ ବନ୍ଦ ପାଇଁ ଆଜି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଆସନ୍ତାକାଲି ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ କି ନାହିଁ, ସେ ସମ୍ପର୍କରେ ଆଜି ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ସୂଚନା ଦେଇଛି। କିନ୍ତୁ ଜେଇ ମେନ ପରୀକ୍ଷା ଆଜି ଅଛି। ସେଥିପାଇଁ କୌଣସି ନିଷ୍ପତି ହୋଇନାହିଁ।