‘କରୋନା’ରେ ଅନିୟନ୍ତ୍ରିତ ଆମେରିକା, କିନ୍ତୁ ନିର୍ବାଚନକୁ ଆଖି
ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍): ମହାମାରୀ କରୋନା ଭାଇରସ୍ ସାରା ବିଶ୍ଵକୁ ତଳିତଳାନ୍ତ କରିସାରିଲାଣି। ପୃଥିବୀର ଅନେକ ରାଷ୍ଟ୍ରର ଅର୍ଥନୀତି ଭୁଶୁଡ଼ି ଗଲାଣି। ତେବେ ଏଥିରେ ବିଶ୍ଵର ସବୁଠୁ ପ୍ରଭାବଶାଳୀ ରାଷ୍ଟ୍ର ଭାବେ ସର୍ବଦା ଚର୍ଚ୍ଚାରେ ରହିଥିବା ଆମେରିକା କରୋନା କବଳରେ ବେଶି ପ୍ରଭାବିତ ହୋଇଛି। ସେଠାରେ ମୃତକ ସଂଖ୍ୟା ବି ଅଧିକ। କିନ୍ତୁ ଏଭଳି ସ୍ଥିତିରେ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପଙ୍କ କ୍ଷମତା ଓ ନିର୍ବାଚନ ଉପରେ ନଜର ରହିଥିବା ସ୍ପଷ୍ଟ ହୋଇଛି। କରୋନା ଭଳି ମହାମାରୀ ପାଇଁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ କି ନାହିଁ ସେନେଇ ଆଶଙ୍କା ପ୍ରକାଶ ପାଇଥିବାବେଳେ ରାଷ୍ଟ୍ରପତି ଟ୍ରମ୍ପ କିନ୍ତୁ ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବ ଏବଂ ସେଥିରେ ପରିବର୍ତ୍ତନ ପାଇଁ ତାଙ୍କର କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ସୂଚନା ଅନୁସାରେ ମହାମାରୀ କରୋନା ପାଇଁ ରାଷ୍ଟ୍ରପତି ନିର୍ବାଚନକୁ ସ୍ଥଗିତ ରଖିବାକୁ ନେଇ ପ୍ରଶ୍ନ କରାଯିବା ପରେ ଟ୍ରମ୍ପ୍ କହିଛନ୍ତି ଯେ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ସେ କେବେ ଭାବି ନାହାନ୍ତି। ନଭେମ୍ବର ୩ ରେ ହିଁ ନିର୍ବାଚନ ହେବ ଏବଂ ତାହା ଏକ ଭଲ ତାରିଖ ବୋଲି ସେ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ବିଶ୍ଵରେ କରୋନା ଭାଇରସ୍ ସଂକ୍ରମଣ ବଢୁଥିବାବେଳେ ଆମେରିକାର ଅବସ୍ଥା ଅନିୟନ୍ତ୍ରିତ ଅବସ୍ଥାରେ ରହିଛି। ପ୍ରାୟ ୧୦ ଲକ୍ଷ ଲୋକ ମହାମାରୀ କରୋନା ସଂକ୍ରମିତ ହୋଇଥିବାବେଳେ ୫୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି।