ଝାରସୁଗୁଡ଼ା ଉପନିର୍ବାଚନ: ଆଦିବାସୀ ମତଦାତାଙ୍କ ହାତରେ ବିଜୟ ଚାବିକାଠି
ଭୁବନେଶ୍ୱର,(ଓଡ଼ିଶାଟାଇମ): ଆଉ ୧୨ଦିନ ପରେ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ । ନିର୍ବାଚନରେ ଅଂଶଗ୍ରହଣ କରିଥିବା ନେତାମାନଙ୍କର ପ୍ରଚାର ଧିରେ ଧିରେ ଜମି ଆସିଲାଣି । ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ନିର୍ବାଚନରେ ଗୁରୁତ୍ୱବହନ କରୁଥିବା ବିଭିନ୍ନ ଜାତିର ନେତାମାନଙ୍କୁ ନିଜ ପକ୍ଷକୁ ନେବା ପାଇଁ କରସତ ଆରମ୍ଭ କରିଦେଇଛନ୍ତି । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଥିବା ଆଦିବାସୀ ମତଦାତାଙ୍କ ସଂଖ୍ୟା ୪୮ ପ୍ରତିଶତ ଥିବାବେଳେ ଅଘରିଆ ଜାତିର ମତଦାତାଙ୍କ ସଂଖ୍ୟା ୨୩ ପ୍ରତିଶତ ରହିଛି । ଏହି ଦୁଇଟି ଜାତିର ୭୧ ପ୍ରତିଶତ ଭୋଟରୁ ଯେଉଁ ଦଳକୁ ଅଧିକ ସମର୍ଥନ ମିଳିବ ସେହି ଦଳ ନିର୍ବାଚନରେ ବିଜୟ ଟୀକା ପିନ୍ଧିବ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି ।
ଏହି ଦୁଇ ଜାତି ମଧ୍ୟରେ ଥିବା ପ୍ରଭାବଶାଳୀ ନେତାମାନଙ୍କୁ ନିଜ ପକ୍ଷକୁ ନେବା ପାଇଁ ଖାସ୍କରି ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ଏହି ଦିଗରେ ଶାସକ ବିଜେଡି ଆଗରେ ଥିବା ଜଣାପଡ଼ିଛି । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଆଦିବାସୀ ସମାଜର ଦୁଇଟି ପ୍ରଭାବଶାଳୀ ସଂଗଠନ ରହିଛି । ଗୋଟିଏ ସଂଗଠନ କଂଗ୍ରେସ ନେତା ମହେନ୍ଦ୍ର ନାଏକଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବାବେଳେ ଅନ୍ୟ ଗୋଷ୍ଠୀଟି ସ୍ୱର୍ଗତ ନବ ଦାସଙ୍କ ଇଶାରାରେ ପରିଚାଳିତ ହେଉଥିଲା । କାରଣ ଆଦିବାସୀମାନେ ନବ ଦାସଙ୍କୁ ପସନ୍ଦ କରୁନଥିବାରୁ ଶ୍ରୀ ଦାସ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରି ଏକ ସମାନ୍ତରାଳ ସଂଗଠନ କରି ସେମାନଙ୍କ ସମର୍ଥନ ପାଇବାରେ ସଫଳ ହୋଇଥିଲେ । ଏବେ କଂଗ୍ରେସର ଆଦିବାସୀନେତା ମହେନ୍ଦ୍ର ନାଏକ ବିଜେଡିରେ ଯୋଗଦେଇଛନ୍ତି । କିନ୍ତୁ ବିଜେଡିରେ ମହେନ୍ଦ୍ରଙ୍କ ଯୋଗଦାନ ଯୋଗୁଁ ପୂର୍ବରୁ ନବଙ୍କୁ ସମର୍ଥନ କରୁଥିବା ଆଦିବାସୀ ସଂଗଠନର ନେତାମାନେ ଅସନ୍ତୋଷ ହୋଇ ଏବେ କଂଗ୍ରେସ ଓ ବିଜେପି ମୁହାଁ ହୋଇଛନ୍ତି । ଫଳରେ ସମଗ୍ର ଆଦିବାସୀ ସମାଜର ଭୋଟ ବିଜେଡି ହାସଲ କରିବାର ଯେଉଁ ଅଙ୍କ କଷୁଛି, ତାହା ସଫଳ ହେବ କି ଭୁଲ ପ୍ରମାଣିତ ହେବ ସମୟ କହିବ ।
ବିଜେଡି ଭଳି ବିଜେପି ମଧ୍ୟ ଏହି ଆଦିବାସୀ ମତଦାତାମାନଙ୍କୁ ନିଜ ଆଡ଼କୁ ଟାଣିବାରେ ପ୍ରୟାସ ଜାରି ରଖିଛି । ସ୍ଥାନୀୟ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ସହିଦ କରୁଣାକର ସିଂହଙ୍କ ପରିବାରର ସଦସ୍ୟ ଅମରେନ୍ଦ୍ର ପ୍ରତାପ ସିଂହଙ୍କୁ ଦଳରେ ସାମିଲ କରିଛି । ତେଣୁ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ୪୮ ପ୍ରତିଶତ ଆଦିବାସୀ ମତଦାତାଙ୍କ ମଧ୍ୟରୁ କିଛି ଭୋଟ ନିଜ ଆଡ଼କୁ ନେବାକୁ ବିଜେପି ସଫଳ ହୋଇପାରେ ବୋଲି ଆକଳନ କରାଯାଉଛି । ଆଦିବାସୀ ମତଦାତାଙ୍କ କେତେ ପ୍ରତିଶତ ଭୋଟ ବିଜେପି ନେବ ତାହା କିଛି ସ୍ପଷ୍ଟ ହୋଇପାରୁନାହିଁ । ଏକଥା ସ୍ଫଷ୍ଟ ଯେ ଆଦିବାସୀ ମତଦାତାଙ୍କ ଭୋଟ କୌଣସି ଗୋଟିଏ ଦଳକୁ ଯିବ ବୋଲି କୁହାଯାଇନପାରେ ।
ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦ୍ୱୀତିୟ ସର୍ବାଧିକ ୨୩ ପ୍ରତିଶତ ମତଦାତା ଥିବା ଅଘରିଆ ସମାଜ କେବେବି ବିଜେଡିର ସମର୍ଥକ ନ ଥିଲା । କାରଣ ଅଘରିଆ ସମାଜର ନେତାମାନେ କଂଗ୍ରେସରେ ଗୁରୁତ୍ୱ ପାଇ ଆସିଛନ୍ତି । ତେଣୁ ଅଘରିଆମାନେ କଂଗ୍ରେସର ପାରମ୍ପରିକ ମତଦାତା ହୋଇଆସିଛନ୍ତି । ଚଳିତ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ତରୁଣ ପାଣ୍ଡେ ଅଘରିଆ ସମାଜର । ତେଣୁ ଅଘରିଆ ସମାଜର ଭୋଟ କଂଗ୍ରେସକୁ ମିଳିବାର ଅଧିକ ସମ୍ଭାବନା ରହିଛି ।
ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୨୧ ହଜାର ୦୭୩ ଜଣ ମତଦାତା ରହିଛନ୍ତି । ଝାରସୁଗୁଡ଼ା ପୌରାଞ୍ଚଳରେ ୭୧ ହଜାର ୧୧୩ ଜଣ ଭତଦାତା ରହିଥିବାବେଳେ ସଦର ବ୍ଳକରେ ୩୮ ହଜାର ୫୪୬ ଜଣ, କିରିମିରା ବ୍ଳକରେ ୩୩ ହଜାର ୯୦୧ ଜଣ, କୋଲାବିରା ବ୍ଳକରେ ୩୭ ହଜାର ୮୧୦ ଜଣ, ଲଇକେରା ବ୍ଳକରେ ୩୯ ହଜାର ୭୦୯ ଜଣ ମତଦାତା ରହିଛନ୍ତି । ଏମାନଙ୍କ ମଧ୍ୟରେ ୪୮ ପ୍ରତିଶତ ମତଦାତା ହେଉଛନ୍ତି ଆଦିବାସୀ । ଏପରିକି ସଦର ବ୍ଲକ ଓ ପୌରାଞ୍ଚଳରେ ୨୮ ପ୍ରତିଶତ ଆଦିବାସୀ ମତଦାତା ଅଛନ୍ତି । ବେଦାନ୍ତ ପାଓ୍ୱାର ପ୍ଲାଣ୍ଟ ପାଇଁ ସ୍ୱର୍ଗତ ନବ ଦାସ ଯେପରି ନିଜର ରାଜନୈତିକ କ୍ଷମତାର ଅପ ବ୍ୟବହାର କରି ଲୋକମାନଙ୍କର ଜମି ହଡ଼ପ କରିଥିଲେ ତାର ପ୍ରତିଶୋଧ ଏହି ନିର୍ବାଚନରେ ନେବାଲାଗି କ୍ଷତିଗ୍ରସ୍ତ ଲୋକମାନେ ମେଳି ବାନ୍ଧିଥିବାର ସୂଚନା ମିଳିଲାଣି ।