#କରୋନା ଆକ୍ରାନ୍ତ ନଂ ୫୬: ଗସ୍ତ ବିବରଣୀ ପ୍ରକାଶିତ
ଭୁବନେଶ୍ୱର(ଓଟି): ରାଜ୍ୟରେ ଆଜି ଆଉଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂଖ୍ୟା ୫୬ରେ ପହଞ୍ଚିଛି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଯାଜପୁରର ବୋଲି ଜଣାପଡ଼ିଛି। ଏନେଇ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସବିଶେଷ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ୬୬ ବର୍ଷିୟ ଆକ୍ରାନ୍ତ ଜଣଙ୍କ ଯାଜପୁର ବ୍ଲକ ଜାଫରପୁର ପଞ୍ଚାୟତ ସାନ ତ୍ରିଲୋଚନପୁର ଗ୍ରାମର। ଗତ ମାର୍ଚ୍ଚ ୨୮ରେ ସେ କୋଲକାତାରୁ ଏକ ପରିବା ଗାଡ଼ିରେ ଫେରିଥିଲେ। ତାଙ୍କୁ ଗତ ୧୦ରେ କ୍ଵାରେଣ୍ଟାଇନରେ ରଖାଯାଇଥିବାବେଳେ ସୋମବାର ସ୍ଵାବ୍ ଟେଷ୍ଟ ପାଇଁ ଦିଆଯାଇଥିଲା। ରିପୋର୍ଟ କୋଭିଡ୍-୧୯ ପଜିଟିଭ୍ ରହିଛି। ଏହାପରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ କଟକସ୍ଥିତ ଅଶ୍ଵିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଉକ୍ତ ଗାଡ଼ିରେ ପ୍ରାୟ ୮ ଜଣା ଥିଲେ ବୋଲି ସୂଚନା ମିଳିଛି। କିନ୍ତୁ ସବିଶେଷ ତଥ୍ୟ ମିଳିପାରିନି। ପ୍ରଶାସନ ପକ୍ଷରୁ ଏନେଇ ତନାଘନା ଚାଲିଥିବାବେଳେ ସାନ ତ୍ରିଲୋଚନପୁର ଗାଁ ଏବଂ ଏହାର ନିକଟବର୍ତ୍ତୀ ସଇପୁର-୩କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦେବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି କୁହାଯାଇଛି।
ପ୍ରକାଶ ଥାଉକି ୫୬ ନଂ ସଂକ୍ରମିତ ଚିହ୍ନଟ ପରେ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି।