ତିନି ବର୍ଷିଆ ଅଫିସରଙ୍କୁ ବଦଳି କର
ଜିଲ୍ଲା ସ୍ତରରେ ତିନିବର୍ଷ କାର୍ଯ୍ୟକାଳ ପୂରଣ କରିଥିବା କୌଣସି ଅଫିସର ନିର୍ବାଚନ ପ୍ରକ୍ରିୟା ସହିତ ସିଧାସଳଖ ଜଡିତ ଥିଲେ ତାଙ୍କୁ ତୁରନ୍ତ ବଦଳି କରିବାପାଇଁ ଭାରତର ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କୁ କହିଛନ୍ତି । ଲୋକସଭା ସହ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ କମିଶନଙ୍କ ଏହି ନିର୍ଦ୍ଦେଶନାମା ହସ୍ତଗତ ହୋଇଛି ।
ବିଗତ ଚାରିବର୍ଷ ମଧ୍ୟରେ ଯଦି କୌଣସି ଅଫିସର ଜିଲ୍ଲାରେ ୩ବର୍ଷ ପୂରଣ କରିଥିବେ କିମ୍ବା ଚଳିତବର୍ଷ ମଇ ୩୧ ତାରିଖ ସୁଦ୍ଧା ତିନିବର୍ଷ ପୂରଣ କରୁଥିବେ ସେମାନଙ୍କୁ ତକ୍ରାଳ ବଦଳି କରିବାକୁ କମିଶନ କହିଛନ୍ତି । ତିନିବର୍ଷ ଚାକିରିକାଳ ମଧ୍ୟରେ ଜିଲ୍ଲା ମଧ୍ୟରେ ପଦୋନ୍ନତି ପାଇଥିଲେ ବି ତାହାକୁ ଚାକିରିକାଳର ହିସାବକୁ ନିଆଯିବ ।
ନିର୍ବାଚନ ସମୟରେ ଏଥି ସହିତ ଜଡିତ କୌଣସି ଅଧିକାରୀ ତାଙ୍କ ନିଜ ଜିଲ୍ଲାରେ ଥିଲେ ତାଙ୍କୁ ତୁରନ୍ତ ସେଠାରୁ ହଟାଇବାପାଇଁ ନିର୍ବାଚନ କମିଶନଙ୍କ ନିୟମ ରହିଛି । ଏହି ଅଧିକାରୀମାନଙ୍କ ମଧ୍ୟରେ ଜିଲ୍ଲା ମାଜିଷ୍ଟ୍ରେଟ, ଏଡିଏମ୍, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର, ବିଡିଓ ଏବଂ ଅନ୍ୟ ଅଧିକାରୀ ଯେଉଁମାନେ କି ନିର୍ବାଚନପାଇଁ ନୋଡାଲ ଅଫିସର ଭାବେ ନିଯୁକ୍ତି ପାଇବେ ସେମାନେ ରହିଛନ୍ତି ।
ଅନୁରୂପ ଭାବେ ପୁଲିସ୍ ବିଭାଗରେ ଥିବା ରେଞ୍ଜ ଆଇଜି, ଡିଆଇଜି, ଅତିରିକ୍ତ ଏସ୍ପି, ଏସ୍ଡିପିଓ, ଡିଏସ୍ପି, ରାଜ୍ୟ ସଶସ୍ତ୍ରବଳର କମାଣ୍ଡାଣ୍ଟ, ପୁଲିସ୍ ଇନ୍ସପେକ୍ଟର, ସବ୍ଇନ୍ସପେକ୍ଟର ଯେଉଁମାନେ କି ନିର୍ବାଚନ ସମୟରେ ଜିଲ୍ଲା ସୁରକ୍ଷା ଦାୟିତ୍ୱରେ ରହିବେ ସେମାନଙ୍କ କ୍ଷେତ୍ରରେ ନିର୍ବାଚନ କମିଶନଙ୍କ ଏହି ନିୟମ ଲାଗୁହେବ । କିନ୍ତୁ ଯେଉଁ ପୁଲିସ ଅଧିକାରୀମାନେ ଗୁଇନ୍ଦା, କମ୍ପ୍ୟୁଟର ଏବଂ ପ୍ରଶିକ୍ଷଣ ଦାୟିତ୍ୱରେ ଥିବେ ସେମାନଙ୍କ କ୍ଷେତ୍ରରେ ଏହା ଲାଗୁ ହେବନାହିଁ ବୋଲି କମିଶନ ସ୍ପଷ୍ଟ କରିଛନ୍ତି ।
ଆସନ୍ତା ଫେବୃୟାରୀ ୨୮ ତାରିଖ ମଧ୍ୟରେ ଏଭଳି ଅଫିସରମାନଙ୍କର ବଦଳି କାର୍ଯ୍ୟ ସାରିବା ନିମନ୍ତେ ନିର୍ବାଚନ କମିଶନ କହିଛନ୍ତି । ସେହିଭଳି ୨୦୧୭ ମାର୍ଚ୍ଚ ୩୧ ପୂର୍ବରୁ ଅନୁଷ୍ଠିତ ସାଧାରଣ ନିର୍ବାଚନ ଓ ଉପନିର୍ବାଚନ ସମୟରେ ଯେଉଁ ଡିଇଓ, ଆରଓ, ଏଆରଓ, ପୁଲିସ୍ ଇନ୍ସପେକ୍ଟର ଏବଂ ସବଇନ୍ସପେକ୍ଟର ସହିତି ଅନ୍ୟ ଅଧିକାରୀମାନେ ଜିଲ୍ଲାରେ ରହିଛନ୍ତି ସେମାନେ ଯେଭଳି ସେଠାରେ ନରୁହନ୍ତି ରାଜ୍ୟ ସରକାର ତାହା ସୁନିଶ୍ଚିତ କରିବାକୁ କମିଶନ ସ୍ପଷ୍ଟଭାବେ କହିଛନ୍ତି ।
ସେହିଭଳି ବିଗତ ନିର୍ବାଚନ ସମୟରେ ଯେଉଁ ଅଧିକାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ବାଚନ କମିଶନ ସୁପାରିଶ୍ କରିଥିଲେ ତାହା ପଡିରହିଥିଲେ କିମ୍ବା ଦଣ୍ଡ ମିଳିଥିଲେ ସେଭଳି ଅଧିକାରୀଙ୍କୁ କୌଣସି ନିର୍ବାଚନ ଦାୟିତ୍ୱ ନଦେବାକୁ କୁହାଯାଇଛି । ଯଦି କୌଣସି ଅଧିକାରୀଙ୍କ ବିରୁଦ୍ଧରେ ଅଦାଲତରେ ଅପରାଧିକ ମାମଲା ଚାଲୁଥିବ ତାଙ୍କୁ ବି ନିର୍ବାଚନ ଦାୟିତ୍ୱ ନଦେବାଲାଗି କମିଶନ ସ୍ପଷ୍ଟ କରିଛନ୍ତି ।
ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା କୌଣସି ପ୍ରାର୍ଥୀ କିମ୍ବା ରାଜ୍ୟ ଓ ଜିଲ୍ଲାସ୍ତରରେ ରାଜନୈତିକ କାର୍ଯ୍ୟରେ ଲିପ୍ତ କୌଣସି ବ୍ୟକ୍ତିଙ୍କ ସହିତ ଘନିଷ୍ଠ ସମ୍ପର୍କ ନାହିଁ ବୋଲି ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ଘୋଷଣାନାମା ଦେବେ । ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖର ଦୁଇଦିନ ପରେ ଏହି ଘୋଷଣାନାମା ପ୍ରଦାନ କରିବେ ।
ଚଳିତ ଲୋକସଭାର କାର୍ଯ୍ୟକାଳ ଆସନ୍ତା ଜୁନ୍ ୩ ତାରିଖରେ ସରୁଥିବାବେଳେ ଆନ୍ଧ୍ରପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ୧୮ ଜୁନ୍, ଅରୁଣାଚଳପ୍ରଦେଶର ୧ ଜୁନ୍, ଓଡିଶାର ୧୧ଜୁନ୍ ଓ ସିକିମ୍ର ୨୭ ମଇରେ ସରୁଛି । ଏହିସବୁ ରାଜ୍ୟରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ଆସନ୍ତା ଏପ୍ରିଲ୍-ମଇ ମାସରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ।