ଜାଣନ୍ତୁ ୬ଦିନର ବକ୍ସ ଅଫିସ୍ ହାଲ୍ଚାଲ୍, ‘ଗଲିବୟ’କୁ ପଛରେ ଛାଡ଼ି ରେକର୍ଡ଼ କଲା ‘ଟୋଟାଲ୍ ଧମାଲ୍’
ଇନ୍ଦ୍ର କୁମାର୍ଙ୍କ ନିର୍ଦ୍ଦେଶିତ ‘ଟୋଟାଲ୍ ଧମାଲ୍’ ଠିକ୍ ଏହାର ନାମ ଭଳି ବକ୍ସ ଅଫିସ୍ ବ୍ୟବସାୟ କ୍ଷେତ୍ରରେ ରେକର୍ଡ଼ କରିଛି । ଏହି ଫିଲ୍ମ ଓପନିଙ୍ଗ୍ ୱିକ ଏଣ୍ଡରେ ୬୨ କୋଟି ଟଙ୍କାର ବ୍ୟବସାୟ କରିଛି, ଯାହାକି ଚଳିତବର୍ଷର ସର୍ଟ ଡେ’ ବିଜ୍ନେସ୍ ରେକର୍ଡ଼ । କହିବାର ଅର୍ଥ ହେଉଛି ଚଳିତବର୍ଷର ପ୍ରଥମ ଫିଲ୍ମ ଭାବେ ଏହା ମାତ୍ର ୩ଦିନ ମଧ୍ୟରେ ୬୨କୋଟି ଟଙ୍କାର ବ୍ୟବସାୟ କରିଛି । ଏହାପୂର୍ବରୁ ରଣବୀର୍ ଓ ଆଲିଆଙ୍କ ଅଭିନୀତ ‘ଗଲିବୟ’ ୩ଦିନ ମଧ୍ୟରେ ୫୧.୧୫କୋଟି ଟଙ୍କାର ବ୍ୟବସାୟ କରିଥିଲା । ପ୍ରଥମ ଦିନ ‘ଟୋଟାଲ୍ ଧମାଲ୍’ ୧୬.୫୦ କୋଟି ସହିତ ଖାତା ଖୋଲିଥିଲା । ୬ଦିନରେ ଏହି ଫିଲ୍ମ ମୋଟ ଭାବରେ ୮୮.୦୫ କୋଟି ଟଙ୍କାର ବ୍ୟବସାୟ କରିଛି । ଟ୍ରେଡ୍ ଆନାଲିଷ୍ଟ୍ ତରଣ ଆଦର୍ଶ ଟ୍ୱିଟର୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଓଭର୍ସିସ୍ ମାର୍କେଟ୍ରେ ମଧ୍ୟ ଏହାର ବ୍ୟବସାୟ ଧମାକେଦାର୍ ରହିଛି । ପ୍ରଥମ ୱିକଏଣ୍ଡରେ ଏହା ୩.୪୧୦ ମିଲିୟନ୍ ଡଲାର୍ ଅର୍ଥାତ୍ ୨୪.୧୬କୋଟି ଟଙ୍କାର ବ୍ୟବସାୟ କରିଥିବାର ସୂଚନା ମିଳିଛି । ଏହାର ବ୍ୟବସାୟକୁ ଦୃଷ୍ଟିରେ ରଖି ତରଣ କହିଛନ୍ତି ଯେ ଆଗାମୀ ସପ୍ତାହରେ ଏହା ୧୦୦ କୋଟି କ୍ଲବ୍ରେ ସାମିଲ୍ ହୋଇପାରେ । ତେବେ ଏହି ଆକଳନ କେତେଦୂର ସମ୍ଭବ ହୋଇପାରିବ, ତାହା କେବଳ ସମୟ ହିଁ କହିବ ।