କାର୍ଯ୍ୟସ୍ଥଳରେ ତମାଖୁ ସମ୍ପୂର୍ଣ୍ଣ ନିଷେଧ
ଭୁବନେଶ୍ୱର(ଓଟି): କାର୍ଯ୍ୟସ୍ଥଳରେ ଏଣିକି ଚଳିବନି ତମାଖୁ। ପାନ ଓ ଗୁଟଖା ଆଦି ସେବନ ବାରଣ ସହ ଛେପ ପକାଇବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ସେହିପରି ଖରାତାତି ପାଇଁ ଶ୍ରମିକଙ୍କ ଲାଗି ପାନୀୟ ଜଳ ଓ ଗ୍ଲୁକୋଜ ବ୍ୟବସ୍ଥା କରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଏସଆରସି ପ୍ରଦୀପ ଜେନା ଏହି ମର୍ମରେ ଆଜି ଚିଠି ଲେଖିଛନ୍ତି।
ସୂଚନା ଅନୁସାରେ କରୋନା ନେଇ ନିର୍ମାଣ କାର୍ଯ୍ୟ ସମୟରେ ସତର୍କତା ପାଇଁ ଗାଇଡ୍ ଲାଇନ୍ ଜାରି ହୋଇଛି। କାର୍ଯ୍ୟ ଚାଲିଥିବା ବେଳେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ କଡ଼ା ଆଦେଶ ଦିଆଯିବା ସହ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ସେହିପରି ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା ଠିକାଦାର କରିବେ। ଗାଡ଼ିର ମୋଟ କ୍ଷମତାଠାରୁ ଅଧାରୁ କମ୍ ଅର୍ଥାତ ୩୦ରୁ ୪୦ ପ୍ରତିଶତ କ୍ଷମତା ପରିବହନ ପାଇଁ ଅନୁମତି ଦିଆଯାଇଥିବା ବଳେ କାର୍ଯ୍ୟସ୍ଥଳରେ ବାଲଟି, ମଗ୍, ସାବୁନ ଓ ଟାୱେଲ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୁରୁତ୍ଵପୂର୍ଣ୍ଣ ଯେ ୬୦ବର୍ଷରୁ ଅଧିକ ବୟସ୍କଙ୍କୁ କାମରେ ଲଗାଇବାକୁ ମନା କରାଯିବା ସହ ଅସୁସ୍ଥ ଥିବା ଶ୍ରମିକଙ୍କୁ କାମରେ ନିୟୋଜିତ କରାଯାଇପାରିବନି ବୋଲି ସ୍ପଷ୍ଟ କରାଯାଇଛି।