ତୃଣମୂଳ ବନାମ ବିଜେପି ଲଢ଼େଇ ଚରମ ସୀମାରେ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାର ଓ ବିଜେପିର ପ୍ରତ୍ୟେକ ପଦକ୍ଷେପକୁ କିପରି ବିରୋଧ କରିହେବ ତାର କାରଣ ଏବେ ଖୋଜିବାରେ ବ୍ୟସ୍ତ। ଏହାର ସଦ୍ୟ ଉଦାହରଣ ହେଉଛି, କୋଲାକାତା ପୁଲିସ‍୍‌ କମିଶନର ରାଜୀବ କୁମାରଙ୍କ ଉପରେ ସିବିଆଇର ପଦକ୍ଷେପ ବିରୋଧରେ ମମତାଙ୍କ ୪୮ଘଣ୍ଟିଆ ଧାରଣା। ପଶ୍ଚିମବଙ୍ଗରେ ଗତ କିଛି ଦିନ ହେଲା ସରକାର, ପୁଲିସ‍୍‌ ଓ ସିବିଆଇକୁ ନେଇ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତ ସୃଷ୍ଟି ହୋଇଛି। ଏହି ଲଢ଼େଇକୁ ତୃଣମୂଳ କଂଗ୍ରେସ ବନାମ ବିଜେପି ବୋଲି କୁହାଯାଇପାରେ। ଏହା ଏବେ ଚରମ ସୀମାରେ ପହଞ୍ଚିଛି। ଏହି ବିବାଦ ମାଧ୍ୟମରେ ତୃଣମୂଳ କଂଗ୍ରେସ ଓ ବିଜେପି ନିଜ ନିଜ ସ୍ଥିତି ସୁଦୃଢ଼ କରିବାରେ ଲାଗିଛନ୍ତି। ବର୍ତ୍ତମାନ ପଶ୍ଚିମବଙ୍ଗରେ ଯେଉଁ ଗତିରୋଧ ସୃଷ୍ଟି ହୋଇଛି ଏହାର ଏକମାତ୍ର କାରଣ ହେଉଛି ୨୦୧୯ ନିର୍ବାଚନ।

ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନ ଉପରେ ସମସ୍ତଙ୍କ ନଜର

ପଶ୍ଚିମବଙ୍ଗରେ ୪୨ଟି ଲୋକସଭା ଆସନ ରହିଛି। ୨୦୧୪ ନିର୍ବାଚନରେ ତୃଣମୂଳ କଂଗ୍ରେସ ୩୪ଟି ଆସନରେ ବିଜୟୀ ହୋଇ ଲୋକସଭାରେ ୩ୟ ବଡ଼ ରାଜନୈତିକ ଦଳର ମାନ୍ୟତା ପାଇଛି। ଯଦି ୨୦୧୯ ନିର୍ବାଚନରେ ତୃଣମୂଳ କଂଗ୍ରେସ ନିଜ ସ୍ଥିତିରେ ବୃଦ୍ଧି କରିପାରେ ତେବେ ସରକାର ଗଠନ ଦିଗରେ କିଙ୍ଗମେକର ଭୂମିକା ପାଇପାରିବେ। ଏପରିକି ଆବଶ୍ୟକ ପଡ଼ିଲେ ତୃଣମୂଳ କଂଗ୍ରେସ ନେତ୍ରୀ ଦେଶର ପ୍ରଧାନମନ୍ତ୍ରୀ ବି ହୋଇପାରନ୍ତି। ୨୦୧୧ ବିଧାନସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ବିଜେପି ମୁଖ୍ୟ ବିରୋଧିଦଳର ଭୂମିକାରେ ରହିଛି। ୨୦୧୪ ଲୋକସଭା ନିର୍ବାଚନରେ ବିଜେପିର ସ୍ଥିତି ଦୃଢ଼ତା ଆସିଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରୁ ୨୩ଟି ଆସନରେ ବିଜୟୀ ହେବାକୁ ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଲକ୍ଷ୍ୟ ରଖିଛନ୍ତି।

ମାସକ ମଧ୍ୟରେ ୫ଥର ମୁହାଁମୁହିଁ

କୋଲକାତା ପୁଲିସ‍୍‌ କମିଶନର ରାଜୀବ କୁମାରଙ୍କୁ ଚିଟଫଣ୍ଡ ମାମଲାରେ ଜେରା ପାଇଁ ଯାଇଥିବା ସିବିଆଇ ଅଧିକାରୀଙ୍କୁ ଗିରଫ ସହିତ ସିବିଆଇ ଅଫିସ ଘେରାଉ ଆଦି ଘଟଣା ଘଟିଛି। କୋଲାକତାରେ ଗତ ୪ଦିନ ଭିତରେ ଯାହା ସବୁ ଘଟିଛି ତାହା ଦେଶରେ କେବେେ ବି ଘଟିନାହିଁ। ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଆହ୍ୱାନ ଦେଇ ଧାରଣାରେ ବସିଥିଲେ। ଏହା ପ୍ରଥମ ଘଟଣା ନୁହେଁ। ରବିବାର ଦିନ ପୁଲିସ‍୍‌ କମିଶନରଙ୍କ ବାସଗୃହ ବାହାରେ ଚାଲଇଥିବା ହାଇଭୋଲଟେଜ ଡ଼୍ରାମା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟରକୁ ପଶ୍ଚିମବଙ୍ଗରେ ଓହ୍ଲାଇବାକୁ ଅନୁମତି ଦିଆଯାଇନାହିଁ।

ଜାନୁଆରୀ ୨୯ ତାରିଖରେ ପୂର୍ବ ମେଦିନାପୁର କାନ୍ଥିରେ ଅମିତ୍ ଶାହାଙ୍କ ରାଲି ପରେ ତୃଣମୂଳ କଂଗ୍ରେସ ଓ ବିଜେପି କର୍ମୀଙ୍କ ଭିତରେ ସଂଘର୍ଷ ହୋଇଥିଲା। ପଣ ପିଙ୍ଗାଠାରୁ ଆରମ୍ଭ କରି ଭଙ୍ଗାରୁଜା ବି ହୋଇଛି। ଏହା ପୂର୍ବରୁ ୨୨ ଜାନୁଆରୀରେ ଶାହା ମାଲଦାରେ ସଭା କରିବାର ଥିଲା। କିନ୍ତୁ ତାଙ୍କ ହେଲିକପ୍ଟରକୁ ଓହ୍ଲାଇବାକୁ ଅନୁମତି ଦିଆଯାଇନଥିଲା।

୧୯ ଜାନୁଆରୀରେ ବିଗ୍ରେଡ଼ ପଡ଼ିଆର ରାଲିକୁ କିଏ ଭୂଲି ପାରିବ। ଏକ ସଙ୍ଗରେ ଦେଶର ୨୩ଟି ବିରୋଧି ଦଳର ନେତାମାନେ ମମତାଙ୍କ ନେତୃତ୍ୱରେ ଏକତ୍ରିତ ହୋଇଥିଲେ। ଏହି ରାଲିରେ ବିଜେପି ଓ ମୋଦି ସରକାରକୁ କଡ଼ା ବିରୋଧ ଓ ସମାଲୋଚନା କରାଗଲା। ‘ବିଜେପି ହଟାଓ-ଦେଶ ବଞ୍ଚାଅ’ ଭଳି ସ୍ଲୋଗାନକୁ ସତ୍ୟରେ ପରିଣତ କରିବାକୁ ନିଷ୍ପତ୍ତି ନିଆଗଲା।

ବିଜେପି କାହିଁକି ଚାପ ବଢ଼ାଉଛି?

୨୦୧୪ ଲୋକସଭା ନିର୍ବାଚନରେ ବିଜେପିକୁ ପଶ୍ଚିମବଙ୍ଗରେ ୨ଟି ଆସନ ସହିତ ୧୭ ପ୍ରତିଶତ ଭୋଟ ମିଳିଥିଲା। ୨୦୧୬ ବିଧାନସଭା ନିର୍ବାଚନରେ ବିଜେପିର ଭୋଟ ହାର ୧୦ ପ୍ରତିଶତକୁ ହ୍ରାସ ପାଇଛି। କିନ୍ତୁ ୭୦ ପ୍ରତିଶନ ଆସନରେ ବିଜେପି ୨ୟ ସ୍ଥାନରେ ରହିଥିଲା। ଏହାପରେ ହୋଇଥିବା ପ୍ରତି ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ କଂଗ୍ରେସ ଓ ବାମପନ୍ଥୀଙ୍କୁ ପଛରେ ପକାଇ ଦେଇଛି। ଆଗାମୀ ନିର୍ବାଚନରେ ଅଧିକ ସଫଳତା ଆଶାରେ ବିଜେପି ନେତାମାନେ ରାଜ୍ୟକୁ ଘନ ଘନ ଗସ୍ତ କରିବାରେ ଲାଗିଛନ୍ତି। ଶନିବାର ଦିନ ପ୍ରଧାନମନ୍ତ୍ରୀ ୨ଟି ସଭା କରିଥିବାବେଳେ ରବିବାର ଦିନ ରାଜନାଥ ସିଂହ ଓ ଯୋଗୀ ଆଦିତ୍ୟନାଥ ଗସ୍ତ କରିଛନ୍ତି।

ସିବିଆଇ ବିବାଦ ପରେ ସୋମବାର ଦିନ କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାଭେଡ଼କର କୋଲାକତା ଗସ୍ତ କରି ଦଳର ମୋର୍ଚ୍ଚା ସମ୍ଭାଳିଛନ୍ତି। ଅପର ପକ୍ଷରେ ନାଗରିକତା ସଂଶୋଧନ ବିଲ ମାଧ୍ୟମରେ ବିଜେପି ମତୁଆ ସମ୍ପ୍ରଦାୟ ଭଳି ବିସ୍ଥାପିତ ହିନ୍ଦୁଙ୍କୁ ନିଜ ସମର୍ଥନକୁ ନେଇସାରିଛି। ଏହି ସମୟରେ ଆରଏସଏସ, ବଜରଙ୍ଗଦଳର ଉପସ୍ଥିତି ପଶ୍ଚିମବଙ୍ଗରେ ବଢ଼ିବାରେ ଲାଗିଛି। କାରଣ ବିଜେପି ଜାଣିଛି ସର୍ବାଧିକ ମୁସଲିମ ଜନସଂଖ୍ୟା ଥିବା ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଅଳ୍ପସଂଖ୍ୟକଙ୍କ ପ୍ରଥମ ପସନ୍ଦ ହୋଇଛି।

ଏବେ ରଥଯାତ୍ରା ଓ ରାମନବମୀରେ ରାଲି ସହିତ ଅନ୍ୟାନ୍ୟ ହିନ୍ଦୁ ଉତ୍ସବରେ ବିଜେପି ହିନ୍ଦୁତ୍ୱ କାର୍ଡ ଖେଳିବାକୁ ପଛଘୁଞ୍ଚା ଦେଉନାହିଁ। ମମତା ବାନାର୍ଜୀଙ୍କ ଉପରେ ମୁସଲମାନ ତୁଷ୍ଟୀକରଣ ଅଭିଯୋଗ ମଧ୍ୟ ଲଗାଉଛି। ଏଥି ପାଇଁ ମମତା ବାନାର୍ଜୀ ବିଜେପି ଉପରେ ସାଂପ୍ରଦାୟିକ ଅଭିଯୋଗ ଲଗାତର କରିଆସୁଛନ୍ତି। ଏପରିକି ବିଜେପିର କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଇବାକୁ ଭୂଲୁ ନାହାଁନ୍ତି। ଫଳରେ ରାଜ୍ୟରେ ସଂଘର୍ଷ ସ‍୍‌ଥିତି ଉତ୍ପନ ହେବାରେ ଲାଗିଛି।

ମମତା ବିରୋଧି ଦଳର ନେତା ନଂ-୧

ଲୋକସଭା ନିର୍ବାଚନ ପାଇଁ ଆଉ ୧୦୦ ଦିନରୁ କମ‍୍‌ ସମୟ ରହିଛି। ଏଥିପାଇଁ ମମତା ବାନାର୍ଜୀ ଆକ୍ରାମକ ସ୍ଥିତି ଆପଣାଇଛନ୍ତି। ସମସ୍ତ ପ୍ରକାରର ବିବାଦ ପରେ ବି ମମତା ବାନାର୍ଜୀ ସମସ୍ତ ବିରୋଧି ଦଳକୁ ୨ଥର ଏକାଠି କରିସାରିଲେଣି।

ଗତ ୨୦ଦିନ ମଧ୍ୟରେ ଦ୍ୱୀତିୟ ଥର ପାଇଁ ବିରୋଧି ଦଳର ନେତାମାନେ ନିଜର ଏକତା ପ୍ରଦର୍ଶନ କରିଛନ୍ତି। ୧୯ ଜାନୁଆରୀରେ ମମତା ବାନାର୍ଜୀ ଐତିହାସିକ ବିଗ୍ରେଡ଼ ପଡ଼ିଆରେ ମହାମେଣ୍ଟର ରାଲି କରିଛନ୍ତି। ଏଥିରେ ୨୨ଟି ଦଳର ନେତାମାନେ ଏକତ୍ରିତ ହୋଇଥିଲେ। ସମସ୍ତେ ମମତାଙ୍କୁ ନେତାଭାବେ ମାନି ନେଇଛନ୍ତି।

Leave a Reply

Your email address will not be published. Required fields are marked *