ଟାଇମ୍ସ ମେଗା ପୋଲ : ପୁଣି ମୋଦି
ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ଆଗାମୀ ନିର୍ବାଚନରେ ଦେଶର ଜନତାଙ୍କ ମନୋଭାବ ଜାଣିବା ପାଇଁ ଟାଇମ୍ସ ଗ୍ରୁପ ପକ୍ଷରୁ ମେଗା ପୋଲ କରାଯାଇଥିଲା। ଏହି ପୋଲର ଫଳାଫଳ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ବୋଲି ପୋଲରେ ଅଂଶ ଗ୍ରହଣ କରିଥିବା ଲୋକମାନେ ମତାମତ ଦେଇଛନ୍ତି। ସର୍ଭେରେ ଅଂଶଗ୍ରହଣ କରିଥିବା ଲୋକମାନଙ୍କ ମଧ୍ୟରୁ ତିନି ଚତୁର୍ଥାଂଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଗାମୀ ନିର୍ବାଚନରେ ପ୍ରଥମ ପସନ୍ଦ ବୋଲି ମତ ଦେଇଛନ୍ତି। ଆଗାମୀ ନିର୍ବାଚନ ପରେ ମୋଦିଙ୍କ ନେତୃତ୍ୱରେ ଏନଡ଼ିଏ ସରକାର ଗଠନ କରିବ ବୋଲି ସେତିକି ଲୋକ ମତବ୍ୟକ୍ତ କରିଛନ୍ତି।
୮୪ ପ୍ରତିଶତ ଲୋକଙ୍କ ପସନ୍ଦ ମୋଦି

ଏହି ସର୍ଭେରେ ସମଗ୍ର ଦେଶରୁ ପାଞ୍ଚ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଏହି ପୋଲର ଫଳାଫଳ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଲୋକପ୍ରିୟତା ମାମଲାରେ ନିଜ ପ୍ରତିଦ୍ୱନ୍ଦ୍ୱୀମାନଙ୍କଠାରୁ ବହୁ ଆଗରେ ଅଛନ୍ତି। ୮୪ ପ୍ରତିଶତ ଲୋକମାନଙ୍କର ପ୍ରଧାନମନ୍ତ୍ରୀ ଭାବେ ମୋଦି ହିଁ ପ୍ରଥମ ପସନ୍ଦ ରହିଛନ୍ତି। ମାତ୍ର ୮.୩୩ ପ୍ରତିଶତ ଲୋକ କଂଗ୍ରେସ ଅଧ୍ୟକ୍ଷ ରହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପସନ୍ଦ କରିଛନ୍ତି। ଏହା ପରେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କୁ ୧.୪୪ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ଭାବେ ପସନ୍ଦ କରିଥିବାବେଳେ ବିଏସପି ମୁଖିଆ ମାୟାବତୀଙ୍କୁ ୦.୪୩ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି। ୫.୯ ପ୍ରତିଶତ ଲୋକ ଅନ୍ୟ ନେତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପସନ୍ଦ କରିଛନ୍ତି।
ମୋଦି ସରକାରରେ କେତେ ସନ୍ତୁଷ୍ଟ

ପୋଲ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ଲୋକ ମୋଦି ସରକାରର କାମ ବହୁତ ଭଲ ବୋଲି କହିଛନ୍ତି। ମୋଟ ଭୋଟର ଏହା ୫୯.୫୧ ପ୍ରତିଶତ ରହିଛି। ୨୨.୨୯ ପ୍ରତିଶତ ଭଲ ବୋଲି କହିଥିବାବେଳେ ୮.୨୫ ପ୍ରତିଶତ ଲୋକ ଚଳିବ ବୋଲି କହିଛନ୍ତି।୯.୯ ପ୍ରତିଶତ ଲୋକ ଖରାପ ବୋଲି କହିଛନ୍ତି।
ମୋଦି ସରକାରର ବିଫଳତା

ପୋଲରେ ମୋଦି ସରକାରର ସଫଳତା ଓ ବିଫଳତା ଉପରେ ୩୪.୩୯ ପ୍ରତିଶତ ଲୋକମାନଙ୍କ ମତରେ ସରକାର ଗରିବ ଲୋକମାନଙ୍କ ପାଇଁ ବହୁତ ଭଲ କାମ କରିଛନ୍ତି। ୨୯ ପ୍ରତିଶତ ଲୋକ ଜିଏସଟି ଲାଗୁ କରିବାକୁ ବଡ଼ ବିଫଳତା କହିଛନ୍ତି। ରାମ ମନ୍ଦିର ନିର୍ମାଣ କ୍ଷେତ୍ରରେ ବିଳମ୍ୱକୁ ୩୫.୭୨ ପ୍ରତିଶତ ଲୋକ ସରକାରଙ୍କ ବଡ଼ ବିଫଳତା ବୋଲି କହିଛନ୍ତି। ରୋଜଗାର ସୃଷ୍ଟି କରିବାରେ ମୋଦି ସରକାର ବିଫଳ ବୋଲି ୨୯.୫ ପ୍ରତିଶତ ଲୋକ ମତ ଦେଇଛନ୍ତି।
୨୦୧୯ ନିର୍ବାଚନରେ ବଡ଼ ପ୍ରସଙ୍ଗ କ’ଣ?

ଆଗାମୀ ଲୋକସଭା ନିର୍ବାଚନରେ ରୋଜଗାର ବଡ଼ ପ୍ରସଙ୍ଗ ହେବ ବୋଲି ୪୦.୨ ପ୍ରତିଶତ ଲୋକ ମତ ଦେଇଛନ୍ତି। କୃଷି ସମସ୍ୟାକୁ ୨୧.୮ ପ୍ରତିଶତ ଲୋକ ନିର୍ବାଚନୀ ପ୍ରସଙ୍ଗ ଭାବେ ମତ ଦେଇଛନ୍ତି। ବର୍ତ୍ତମାନ ସବୁଠାରୁ ବଡ଼ ଚର୍ଚ୍ଚାରେ ଥିବା ରାମ ମନ୍ଦିର ପ୍ରସଙ୍ଗକୁ ଲୋକମାନଙ୍କର ସମର୍ଥନ ମିଳିନାହିଁ। ମାତ୍ର ୧୦ ପ୍ରତିଶତ ଲୋକ ଏହାକୁ ନିର୍ବାଚନୀ ପ୍ରସଙ୍ଗ ଭାବେ ମତ ଦେଇଛନ୍ତି।
ମୋଦି ସରକାରରେ ଅଳ୍ପସଂଖ୍ୟକ ସୁରକ୍ଷିତ କି?

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡ଼ିଏ ସରକାରରେ ଦେଶର ଅଳ୍ପସଂଖ୍ୟକମାନେ ସୁରକ୍ଷିତ ବୋଲି ୬୫.୫୧ ପ୍ରତିଶତ ଲୋକ ମତବ୍ୟକ୍ତ କରିଛନ୍ତି। ଏହି ପ୍ରସଙ୍ଗରେ ୨୪.୧୬ ପ୍ରତିଶତ ଲୋକ ଅଳ୍ପସଂଖ୍ୟକମାନେ ଅସୁରକ୍ଷିତ ବୋଲି ୍କହିଛନ୍ତି। ଏ ପ୍ରସଙ୍ଗରେ ୧୦.୨୪ ପ୍ରତିଶତ ଲୋକ କୌଣସି ମତାମତ ଦେଇନାହାଁନ୍ତି।
୧୦ ପ୍ରତିଶତ ସବର୍ଣ୍ଣ ଆରକ୍ଷଣ ବିଜେପିକୁ ନିର୍ବାଚନରେ କେତେ ସହାୟକ ହେବ?

ମୋଦି ସରକାର ଗତ ମାସରେ ତରବରରେ ସମ୍ୱିଧାନ ସଂଶୋଧନ କରି ଗରିବ ସବର୍ଣ୍ଣମାନଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୧୦ ପ୍ରତିଶତ ଆରକ୍ଷଣ ଦେଇଛନ୍ତି। ଏହା ବିଜେପିକୁ ଆଗାମୀ ଲୋକସଭା ନିର୍ବାଚନରେ ସହାୟକ ହେବ ବୋଲି ୭୨.୬୬ ପ୍ରତିଶତ ଲୋକ ମତ ଦେଇଛନ୍ତି। ୧୫.୨୫ ପ୍ରତିଶତ ଲୋକ ଫାଇଦା ଦେବ ନାହିଁ ବୋଲି କହିଥିବାବେଳେ ୧୨.୧ ପ୍ରତିଶତ ଲୋକ କୌଣସି ମତ ଦେଇନାହାଁନ୍ତି।
ରାଫେଲ ପ୍ରସଙ୍ଗ ବିଜେପିକୁ କେତେ କ୍ଷତିଗ୍ରସ୍ତ କରିବ?

ଋାଫେଲ ଯୁଦ୍ଧ ବିମାନ କିଣା କ୍ଷେତ୍ରରେ ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ସମେତ ବିରୋଧି ଦଳମାନେ ଅଭିଯୋଗ କରିଛନ୍ତି। କିନ୍ତୁ ଏହି ପ୍ରସଙ୍ଗ ଆଗାମୀ ନିର୍ବାଚନରେ ବିଜେପିକୁ କ୍ଷତିଗ୍ରସ୍ତ କରିବ ନାହିଁ ବୋଲି ଅଧିକାଂଶ ଳଲୋକ ମତ ଦେଇଛନ୍ତି। ୭୪.୫୯ ପ୍ରତିଶତ ଲୋକଙ୍କ ମତରେ ରାଫେଳ ପ୍ରସଙ୍ଗ ବିଜେପିର ନିର୍ବାଚନ ବିଜୟରେ କୌଣସି ପ୍ରଭାବ ପକାଇବ ନାହିଁ। ଏହା ବିଜେପିକୁ ୪ତିରେ ପକାଇବ ବୋଲି ୧୭.୫୧ ପ୍ରତିଶତ ଲୋକ ମତ ଦେଇଛନ୍ତି। ୭.୯ ପ୍ରତିଶତ ଲୋକ କୌଣସି ମତ ଦେଇନାହାନ୍ତି।
୨୦୧୪ ତୁଳନାରେ ରାହୁଲ ଗାନ୍ଧୀ କେତେ ଲୋକପ୍ରିୟ?

୨୦୧୪ ନିର୍ବାଚନ ତୁଳନାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେତେ ଲୋକପ୍ରିୟ ହୋଇଥିବା ପ୍ରଶ୍ନର ଉତ୍ତରରେ ୩୧ ପ୍ରତିଶତ ଲୋକ ବୃଦ୍ଧି ପାଇଥିବା ମତ ଦେଇଛନ୍ତି। କିନ୍ତୁ ୬୩ ପ୍ରତିଶତ ଲୋକଙ୍କ ମତରେ ରାହୁଲଙ୍କ ଲୋକପ୍ରିୟତା ବୃଦ୍ଧି ପାଇନାହିଁ ବୋଲି ମତ ପ୍ରକାଶ ପାଇଛି।
କିଏ ସରକାର ଗଢ଼ିବ?

ଏହି ପ୍ରଶ୍ନର ଉତ୍ତରରେ ୮୩.୦୩ ପ୍ରତିଶତ ଲୋକ ପୁଣି ଏନଡ଼ିଏ ଉପରେ ଆସ୍ଥା ସ୍ଥାପନ କରିଛନ୍ତି। ଏହି ଲୋକମାନଙ୍କ ମତରେ ମୋଦିଙ୍କ ନେତୃତ୍ୱରେ ଏନଡ଼ିଏ ସରକାର ଗଠନ କରିବ। ୯.୨୫ ପ୍ରତିଶତ ଲୋକଙ୍କ କଂଗ୍ରେସ ନେତୃତ୍ୱରେ ସରକାର ଗଠନ ହେବ। ୪.୨୫ ପ୍ରତିଶତ ଲୋକ ମୋଦିଙ୍କ ବିନା ଅନ୍ୟ ନେତାଙ୍କ ନେତୃତ୍ୱରେ ଏନଡ଼ିଏ ସରକାର ଗଠନ ହେବ। ୩.୪୭ ପ୍ରତିଶତ ଲୋକଙ୍କ ମତରେ ମହାମେଣ୍ଟ ସରକାର ଗଠନ କରିବ।