କରୋନା ଆତଙ୍କକୁ ସ୍ୱାଇନ୍ ଫ୍ଲୁ ଘାତକ
ନୂଆଦିଲ୍ଲୀ (ଓଟି): ମାରାତ୍ମକ କରୋନା ଭାଇରସ୍ ପାଇଁ ବିଶ୍ଵରେ ଆତଙ୍କ ଖେଳିଯାଇଛି। ଦିନକୁ ଦିନ ସବୁ ଦେଶରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଭାରତରେ ପୁଣି ସ୍ଵାଇନ୍ ଫ୍ଲୁ ଘାତକ ସାବ୍ୟସ୍ତ ହେଲାଣି। ଏହାର ଉପସ୍ଥିତି ସମ୍ପ୍ରତି ଦେଶରେ ଭୟ ଖେଳାଇ ଦେଇଛି। ସୋମବାର ଉତ୍ତର ପ୍ରଦେଶରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩ ଜଣ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସମ୍ପୃକ୍ତ ୩ ଆକ୍ରାନ୍ତ ମହିଳା ଏବଂ ସେମାନେ ଗାଜିଆବାଦ୍ ଇନ୍ଦିରାପୁରମର ବୋଲି ସରକାରୀ ଭାବେ ସ୍ପଷ୍ଟ କରାଯାଇଛି।
ସୂଚନା ଅନୁସାରେ ସମ୍ପୃକ୍ତ ୩ ଆକ୍ରାନ୍ତ ମହିଳାଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେମାନଙ୍କ ପରିବାର ଲୋକଙ୍କୁ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ନିକଟରେ ଗାଜିଆବାଦରେ ୬ ଜଣ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିବାବେଳେ ୩ଜଣଙ୍କ ଶରୀରରେ ପଜିଟିଭ୍ ଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୯ରେ ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରୁ ୩୩୭ ଜଣ ସ୍ୱାଇନ୍ ଫ୍ଲୁରେ ଚିହ୍ନଟ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା।
୨୦୧୪-୧୫ ଆତଙ୍କ କମିନି
ସ୍ଵାଇନ୍ ଫ୍ଲୁ ଦେଶ ପାଇଁ ଭାରୀ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଥିଲା। ୨୦୧୪-୧୫ର ଆତଙ୍କ ଏଯାଏଁ ଦେଶବାସୀ ଭୁଲି ପାରିନାହାନ୍ତି। ଦେଶରେ ମୋଟ ୯୩୭ ଜଣ ଆକ୍ରାନ୍ତ ଏବଂ ୨୧୮ ଜଣଙ୍କ ସ୍ଵାଇନ୍ ଫ୍ଲୁରେ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ତେବେ ୨୦୧୫ ବେଳକୁ ଏହି ସଂଖ୍ୟା ଖୁବ୍ ବଢ଼ିଯାଇଥିଲା। ମୋଟ ୩୩ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୨ ହଜାର ମୃତ୍ୟୁ ସଂଖ୍ୟା ପାଇଁ ସାରା ଦେଶରେ ଆତଙ୍କ ସୃଷ୍ଟି ହୋଇଥିଲା।