ଏହି କାରଣଗୁଡ଼ିକ ବିଜେପିର ଆସନ ସଂଖ୍ୟା ସ୍ଥିର କରିବ

୨୦୧୪ରେ ସାଧାରଣ ନିର୍ବାଚନ ପ୍ରଚାରବେଳେ କ୍ଷମତାରେ ନଥିଲା ଏନଡିଏ। ତେଣୁ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀଙ୍କୁ ଅଲ ଆଉଟ ଆଟାକ ମୋଡ଼ରେ ଯାଇ ପ୍ରଚାର କରିବାକୁ ମିଳିଯାଇଥିଲା ସୁବିଧା। ୟୁପିଏ ସରକାର ଉପରେ ମୋଦୀଙ୍କର ତୀବ୍ର ଭାଷଣ ବାଜି ବଡ଼ ଫାଇଦା ଦେଇଥିଲା ଜନମତକୁ ସପକ୍ଷରେ ଆଣିବାକୁ। ତେଣୁ ମେଣ୍ଟ ନୁହେଁ, ଏକାକି ବିଜେପି ମଧ୍ୟ ଲୋକସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିଯାଇଥିଲା।

ନୂଆ ପ୍ରଚାର ରଣନୀତି

ହେଲେ ୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିଲାବେଳେ ପ୍ରଚାର ଚରମରେ ଅଛି। ହେଲେ ନିଜେ କ୍ଷମତାରେ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାଗି ପ୍ରଚାର ସମୟରେ ଲୋକଙ୍କୁ ପୂର୍ବଭଳି ଆକର୍ଷିତ କରି ରଖିବା ପାଇଁ ନୂଆ ରଣନୀତିର ସାହାଯ୍ୟ ନେବାକୁ ହୋଇଛି। ତେବେ ଏହି ପ୍ରଚାର ସହ ତିନିଟି ବଡ଼ କାରଣ ଏଥର ବିଜେପିର ଆସନ ସଂଖ୍ୟା ନିର୍ଣ୍ଣୟ କରିବ।

୧୩ଟି ରାଜ୍ୟର ୩୫୩ ଆସନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ବିଶେଷ କରି ୧୩ଟି ରାଜ୍ୟର ୩୫୩ ଆସନର ଫଳାଫଳ ବିଜେପିକୁ କ୍ଷମତାକୁ ଫେରାଇ ଆଣିବାରେ ବଡ଼ ଭୂମିକା ନେବାକୁ ଯାଉଛି। ଏହି ୩୫୩ଟି ଆସନ ମଧ୍ୟରୁ ୭୪ପ୍ରତିଶତ ଆସନ ଏନଡିଏକୁ ଯାଇଥିଲା ୨୦୧୪ ଲୋକସଭା ନିର୍ବାଚନରେ। ତେଣୁ ପୁଣି ଥରେ କ୍ଷମତାକୁ ଆସିବାକୁ ହେଲେ ଏହି ୩୫୩ ଆସନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି।

ୟୁପିଏ ସହ ସିଧା ଲଢେଇ ଏହି ବର୍ଗରେ ସାମିଲ ଅଛନ୍ତି ୮ ରାଜ୍ୟ। ରାଜସ୍ଥାନ, ଝାଡ଼ଖଣ୍ଡ, ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ଼, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶ। ଏଠାରେ କଂଗ୍ରେସ କୌଣସି ସାଥୀ ଦଳ ସହ ନାହିଁ। ଏକାକି ନିର୍ବାଚନ ଲଢୁଛି।

୮ଟି ରାଜ୍ୟରେ ବିଜେପି-କଂଗ୍ରେସ ସିଧା ଲଢ଼େଇ

୨୦୧୪ରେ ଏହି ୮ଟି ରାଜ୍ୟର ୧୬୨ଟି ଆସନ ଭିତରୁ ୧୫୧ଟି ଆସନ ଦଖଲ କରିନେଇଥିଲା ଏନଡିଏ। ଗତଥର ଭଳି ଏଥର ମଧ୍ୟ ଏହି ରାଜ୍ୟଗୁଡ଼ିକରେ ଏନଡିଏ ଓ ୟୁପିଏ ମଧ୍ୟରେ ବା କହିବାକୁ ଗଲେ ବିଜେପି ଓ କଂଗ୍ରେସ ଭିତରେ ସିଧାସଳଖ ଲଢେଇ ହେବ।

ଏଠାରେ ବିଜେପି ପାଇଁ ଚ୍ୟାଲେଞ୍ଜ ହେଉଛି ୨୦୧୪ ଭୋଟ ହାରକୁ ନିଜ ସପକ୍ଷରେ ଏଥର ବିଜାୟ ରଖିବା। ତାଙ୍କ ସପକ୍ଷ ଭୋଟର ଯେପରି କଂଗ୍ରେସ ମୁହାଁ ନହୁଅନ୍ତି, ତାହା ସୁନିଶ୍ଚିତ କରିବା ବିଜେପି ସକାଶେ ଲୋଡ଼ା। ୨୦୧୪ରେ ବିଜେପି କେବଳ ମହାରାଷ୍ଟ୍ରକୁ ଛାଡ଼ିଦେଲେ ଅନ୍ୟ ରାଜ୍ୟଗୁଡ଼ିକରେ ଏକାକି ଲଢିଥିଲା।

ଏନଡିଏର ଭୋଟ ପ୍ରତିଶତ କମିଛି

୨୦୧୪ ଲୋକସଭା ନିର୍ବାଚନ ପରେ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡକୁ ଛାଡ଼ିଦେଲେ ଅନ୍ୟ ରାଜ୍ୟଗୁଡ଼ିକରେ ଏନଡିଏର ଭୋଟ ପ୍ରତିଶତ କମିଛି ଅନ୍ୟ ନିର୍ବାଚନ ଗୁଡ଼ିକରେ। ୨୦୧୪ରେ ସେହି ରାଜ୍ୟଗୁଡ଼ିକର ୧୦୦ଟି ଲୋକସଭା ଆସନ ଭିତରୁ ଏନଡିଏ ପାଖକୁ ୯୬ଟି ଯାଇଥିଲା । ହେଲେ ୨୦୧୪ ପରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସଫଳତା ଖସି ଆସିଥିଲା ୫୮ଟି ଲୋକସଭା ଆସନ କ୍ଷେତ୍ରକୁ। ତେଣୁ ବିଜେପି ସକାଶେ ଏଥର ଆହ୍ୱାନ ହୋଇଛି ଏହି ୮ଟି ରାଜ୍ୟରେ ନିଜ ୨୦୧୪ ଜନମତକୁ ନିଜ ସପକ୍ଷରେ ରଖିବା ପାଇଁ।

୧୪୮ଟି ଆସନରେ ଏଥର ଦୃଢ଼ ବିରୋଧୀ

ଏଥର ନିର୍ବାଚନରେ ବିଜେପିର ଆସନ କେତେ ଆସିବ ବା ଏନଡିଏ ମେଣ୍ଟ ପାଖକୁ କେତେ ସିଟ ଯିବ ତାହାର ଦ୍ୱିତୀୟ ବଡ଼ କାରଣ ହେବ ୧୪୮ଟି ଲୋକସଭା ଆସନ। ଗତଥର ଏହି ଆସନଗୁଡ଼ିକରେ ବିରୋଧୀ ଦଳଗୁଡ଼ିକ ଅଲଗା ଅଲଗା ଲଢିଥିଲେ। ସେମାନଙ୍କ ଭିତରେ ସମନ୍ୱୟ ଓ ଏକତା ନଥିଲା ୨୦୧୪ରେ।

ଉତ୍ତରପ୍ରଦେଶ, ବିହାର ଏବଂ କର୍ଣ୍ଣାଟକରେ ବିରୋଧି ଦୃଢ଼

ଉତ୍ତରପ୍ରଦେଶ, ବିହାର ଏବଂ କର୍ଣ୍ଣାଟକର ୧୪୮ଟି ଆସ ଭିତରୁ ୨୦୧୪ରେ ୧୨୧ଟି ଆସନ ଯାଇଥିଲା ଏନଡିଏ ପାଖକୁ। ହେଲେ ଏଥର ଏହିସବୁ ଆସନଗୁଡ଼ିକରେ ଏନଡିଏ ସାମ୍ନାରେ ଦୃଢ଼ ବିରୋଧୀ ଦଳ ଛିଡା ହୋଇପାରିଛି। ବିଶେଷ କରି ଉତ୍ତରପ୍ରଦେଶରେ ଏସପି-ବିଏସପି ଏକାଠି ଆସିବା ପରେ ଖେଳ ବଡ଼ ରୋଚକ ହୋଇଛି। ୨୦୧୪ରେ ଏସପି-ବିଏସପି ଭୋଟ ହାର ଯଦି ମିଶିଥାନ୍ତା, ତା ହେଲେ ବିଜେପିର ଆସନ ସଂଖ୍ୟା ୭୩ରୁ ୩୭କୁ ଖସି ଆସିଥାନ୍ତା। ତେଣୁ ଉତ୍ତରପ୍ରଦେଶରେ ବିଜେପି ସକାଶେ ଏହି ଏସପି-ବିଏସପି ମେଣ୍ଟର ମିଳିତ ଭୋଟ ହାରକୁ କାଟିବା ଏକ ବଡ଼ ଆହ୍ୱାନ।

ଗତଥର ବିହାରରେ ଜେଡ଼ିୟୁ ଏନଡିଏ ଓ ୟୁପିଏ ମେଣ୍ଟରୁ ବାହାରେ ନିର୍ବାଚନ ଲଢିଥିଲା। କେବଳ ଦୁଇଟି ଆସନ ଦଳ ଜିତିଥିଲେ ମଧ୍ୟ ୨୨ଟି ଆସନରେ ୟୁପିଏର ଖେଳ ବିଗାଡି ଦେଇଥିଲା। ଆଉ ସେହି ୨୨ଟି ଭିତରୁ ୧୭ଟି ଏନଡ଼ିଏକୁ ଚାଲିଯାଇଥିଲା। ଏବେ ନୀତୀଶଙ୍କ ଦଳ ଏନଡିଏକୁ ଫେରିଥିବାରୁ ତାଙ୍କ ସହ ୧୬ପ୍ରତିଶତ ଭୋଟ ହାର ଏନଡିଏକୁ ଆସିବା ଦରକାର। ଏହା ନିଶ୍ଚିତ କରିବା ଏନଡିଏ ପାଇଁ ବଡ଼ ଚ୍ୟାଲେଞ୍ଜ।

ବିହାରରେ ମହାଗଠବନ୍ଧନ ଏଥର ସ୍ୱରୂପ ନେଇଛି। ସେହିପରି କର୍ଣ୍ଣାଟକରେ ଦେବେଗୌଡ଼ା ଦଳଙ୍କ ସହ କଂଗ୍ରେସର ମେଣ୍ଟ ନିଶ୍ଚିତ ଭାବରେ ଏନଡିଏ ସକାଶେ ବଡ଼ ମୁଣ୍ଡ ବ୍ୟଥା ବନିଛି।

ସରକାରୀ ବିରୋଧୀ ହାୱାରୁ ଫାଇଦା

୨୦୧୯ରେ ଭାରତୀୟ ଜନତା ପାର୍ଟି ସବୁଠାରୁ ଅଧିକ ଫାଇଦା ଦୁଇଟି ରାଜ୍ୟ ପଶ୍ଚିମବଙ୍ଗ ଓ ଓଡ଼ିଶାରୁ ଉଠାଇବାର ଲକ୍ଷ୍ୟରେ ରହିଛି । ୨୦୧୪ ନିର୍ବାଚନରେ ଏହି ଦୁଇରାଜ୍ୟର ୬୩ଟି ଲୋକସଭା ଆସନ ଭିତରୁ କେବଳ ତିନିଟି ଆସନ ବିଜେପି ଜିତିଥିଲା। ହେଲେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏବଂ ଓଡ଼ିଶାରେ ବିଜୁ ଜନତା ଦଳ ବିରୋଧରେ ସୃଷ୍ଟି ହୋଇଥିବା ସରକାର ବିରୋଧୀ ହାୱାକୁ ନିଜ ସପକ୍ଷ ଭୋଟରେ ରୂପାନ୍ତରିତ କରିବା ପାଇଁ ବିଜେପି ବଡ଼ ମସୁଧାରେ ଅଛି।

ପଶ୍ଚିମବଙ୍ଗରେ ଏଥର ଯଦି ୨୦୧୪ ଲୋକସଭା ଆସନବେଳର ବାମ ଭୋଟ ପ୍ରତିଶତର ଅଧା ଏଥର ବିଜେପି ସପକ୍ଷକୁ ଯିବ, ତା ହେଲେ ୧୧ଟି ଲୋକସଭା ଆସନରେ ଦଳ ବିଜୟ ଲାଭ କରିଯିବ। ତେଣୁ ମମତାଙ୍କ ବିରୋଧୀ ଜନମତକୁ ନିଜ ଆଡକୁ ଆଣିପାରିବାର ବଡ଼ ଚ୍ୟାଲେଞ୍ଜ ବିଜେପି ପାଇଁ ରହିଛି।

ସେହିପରି କଂଗ୍ରେସର ଭୋଟ ସେୟାର ପୁରା ନିଜ ଆଡକୁ ଆଣିବା ଏବଂ ଲମ୍ୱା ଶାସନ ପରେ ବିଜେଡି ସରକାର ବିରୋଧରେ ସୃଷ୍ଟି ହୋଇଥିବା ପବନକୁ ନିଜ ସପକ୍ଷରେ ବୁହାଇଲେ ଓଡ଼ିଶାରେ ମଧ୍ୟ ଚମତ୍କାର ରେଜଲ୍ଟ ଆସିବ ବିଜେପି ସକାଶେ ଆସିବ। ତେଣୁ ଏହି ଦୁଇଟି ରାଜ୍ୟ ଉପରେ ଏବେ ଅଧିକରୁ ଅଧିକ ଫୋତ୍ତ କରିବା ଆରମ୍ଭ କରଛି ବିଜେପି।

Leave a Reply

Your email address will not be published. Required fields are marked *