ପାଳଘର ଖେଳ କାଳ, ପୋଡ଼ିହୋଇ ଗଲା ୩ ପିଲାଙ୍କ ପ୍ରାଣ

ବ୍ରହ୍ମପୁର(ଓଟି): ପିଲା ମନ। ସାଙ୍ଗସାଥୀ ହୋଇ ଖେଳୁଥିଲେ। ତୋଳିଥିଲେ ପାଳଘର। ହେଲେ ସେହି ପାଳଘରେ ନିଆଁ ଲାଗି ଚାଲିଯିବ ପ୍ରାଣ ବୋଲି କିଏ ଜାଣିଥିଲା। ଗଞ୍ଜାମ ଜିଲ୍ଲା ପୋଲସରା ନିକଟ ଖଇରଚଟା ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ପ୍ରଥମେ ୪ ପିଲା ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ପୋଲସରା ସିଏଚ୍‌ସି ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସିତ ଅବସ୍ଥାରେ ୩ ପିଲାଙ୍କ ଜୀବନ ଚାଲିଯାଇଛି। ଆଉଜଣେ ପୁଅପିଲାର ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରୁ ଦୁଇ ଝିଅ ଓ ଜଣେ ପୁଅ ବୋଲି ଜଣାପଡ଼ିଛି।

ଏହି ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିବା ସହ ଆହତଙ୍କୁ ମାଗଣା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ନିକଟ ଅତୀତ

ସୂଚନାଯୋଗ୍ୟ ଯେ ନଭେମ୍ବର ୨୦୧୯ରେ ମଧ୍ୟ କଳାହାଣ୍ଡିରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ପାଳଗଦା ନିଆଁରେ ପୋଡ଼ିହୋଇ ୩ ନାବାଳିକା ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରେ ଦୁଇଜଣ ଥିଲେ ଯାଆଁଳା ଭଉଣୀ। ସେହିପରି ଗତ ୧୮ ତାରିଖରେ ମାଲକାନଗିରି ଜିଲ୍ଲାରେ ନାବାଳିକା ଭାଇ-ଭଉଣୀ ନିଆଁରେ ପୋଡ଼ିହୋଇ ଗୁରୁତର ହୋଇ ଯାଇଥିଲେ। ଲଣ୍ଠନ ବା ଡିବିରିରୁ ନିଆଁ ଧରିଥିବାବେଳେ ଘରେ କେହି ନଥିଲେ ବୋଲି ଜଣାପଡ଼ିଥିଲା।

Leave a Reply

Your email address will not be published. Required fields are marked *