୨୪ ମଧ୍ୟରାତ୍ରିରୁ ସାରା ଓଡ଼ିଶା ଲକ୍‌ଡାଉନ୍‌

ଭୁବନେଶ୍ୱର (ଓଟି): କୋବିଡ୍‌-୧୯ ତଥା ‘କରୋନା’ର ମୁକାବିଲା ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେଇଛନ୍ତି। କଟକଣାକୁ ଆହୁରି କଡ଼ାକଡ଼ି କରାଯାଇଛି। ଏହି କ୍ରମରେ ସାରା ଓଡ଼ିଶା ଲକ୍‌ଡାଉନ୍‌ ଘୋଷଣା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ୫ ଜିଲ୍ଲା ଓ ରାଜ୍ୟର କେତେକ ପ୍ରମୁଖ ସହର ପରେ ସୋମବାର ୧୪ ଜିଲ୍ଲାକୁ ଲକ୍‌ଡାଉନ୍‌ କରାଯାଇଥିଲା। ତେବେ ଆଜି ରାଜ୍ୟର ସମସ୍ତ ୩୦ଜିଲ୍ଲାକୁ ଲକ୍‌ ଡାଉନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁସାରେ ଆଜି ମଧ୍ୟରାତିରୁ ମାର୍ଚ୍ଚ ୨୯ ଯାଏ ସମସ୍ତ ଜିଲ୍ଲା ଲକ୍‌ ଡାଉନ ରହିବ। ରାଜ୍ୟ ସରକାରଙ୍କ ମୁଖ୍ୟପାତ୍ର (ଆଇଇସି) ସୁବ୍ରତୋ ବାଗଚୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଶ୍ରୀ ବାଗଚୀ କହିଛନ୍ତି ଯେ, ଲକ୍ ଡାଉନ୍ ବେଳେ ମେଡିକାଲ, କ୍ଲିନିକ, ପାଥୋ ଲ୍ୟାବ୍ ଓ ଔଷଧ ଦୋକାନ ଖୋଲା ରହିବ। ପୁଲିସ, ଅଗ୍ନିଶମ, ବିଦ୍ୟୁତ, ଓଡ୍ରାଫ୍ ଓ ପୌର କର୍ମଚାରୀ  ଏହି କଟକଣାରୁ ମୁକ୍ତ ରହିବେ। କରୋନା ମୁକାବିଲାରେ ସାହାଯ୍ୟ କରୁଥିବା ସଂସ୍ଥା ପାଇଁ କଟକଣା ଲାଗିବନି। ଗ୍ରୋସରୀ, ଫଳ, କ୍ଷୀର, ପାଉଁରୁଟି, ବିସ୍କୁଟ, ପରିବା, ମାଛ ଓ ମାଂସ ବିକ୍ରି ହେବ। କ୍ଷୀର ବୁଥରେ କେବଳ କ୍ଷୀର ବିକ୍ରି ହେବ। ତେବେ ଚା, କଫି ବିକ୍ରି ହେବନି। ସେହିପରି ଲକ୍ ଡାଉନ୍ ବେଳେ ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ ନିର୍ଦ୍ଦିଷ୍ଟ ସମୟ ପାଇଁ ଖୋଲା ରହିବ। ଏଟିଏମ୍ ଗୁଡ଼ିକରେ ଟଙ୍କା ଭର୍ତ୍ତି ରଖିବାକୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟାଙ୍କରେ କର୍ମଚାରୀଙ୍କ ଉପସ୍ଥାନ ୧୦% ଭିତରେ ସୀମିତ ରହିବ। ଜିଲ୍ଲାପାଳଙ୍କ ସହ ପରାମର୍ଶ କରି ବ୍ୟାଙ୍କ କର୍ମଚାରୀ ଉପସ୍ଥାନ ସ୍ଥିର କରିବେ। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏସ୍‌ସି/ଏସ୍‌ଟି ହଷ୍ଟେଲ ପିଲାଙ୍କୁ ଘରେ ପହଞ୍ଚାଇବା ବ୍ୟବସ୍ତା କରିବେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ।

ଏପରିକି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମ ଜରିଆରେ ରାଜ୍ୟବାସୀଙ୍କୁ ଏ ସମ୍ପର୍କରେ ସ୍ଵତନ୍ତ୍ର ନିବେଦନ କରିବେ ବୋଲି ଶ୍ରୀ   ବାଗଚୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published.