ବା’ ଓ ବାପୁଙ୍କ ପ୍ରେମ

 

ବିଭୁତି ପତି ଜଣେ ବିଶ୍ଳେଷକ ତଥା ସ୍ଵାଧୀନ ଚିନ୍ତକ। ଏହି ଆଲେଖ୍ୟରେ ସେ ଯେଉଁ ଯୁକ୍ତି ଉପସ୍ଥାପନ କରିଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ଅନୁଶୀଳନ।

ସ୍ତୁରବା, ଯାହାଙ୍କର ପ୍ରେରଣା ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କୁ ସାଧାରଣ ମଣିଷରୁ ମହାତ୍ମା କରିଦେଲା; ଯିଏ ବିଶ୍ୱରେ ଶୃଙ୍ଖଳିତ, ସ୍ୱାଧୀନଚିନ୍ତା ଓ ଅହିଂସ ଉପାୟରେ ନାରୀ ହିଂସାର ପ୍ରତିବାଦ କରିବାର ସ୍ୱର ଉଠାଇଲେ, ଯାହାଙ୍କର ଅନୁପ୍ରାଣରେ ଗାନ୍ଧିଜୀ ବିଶ୍ୱକୁ ନୂଆ ମନ୍ତ୍ରରେ ମୁଗ୍ଧ କରି ଭିନ୍ନ ଏକ ଜନ ବିପ୍ଳବ ଆଲୋକରେ ଆଲୋକିତ କରିବାର ମାର୍ଗ ଦେଖାଇଥିଲେ, ଆଜି ଯେତେବେଳେ ଭାରତ ମହାତ୍ମାଙ୍କର ୧୫୦ତମ ଜନ୍ମ ବର୍ଷିକୀ ପାଳନ କରୁଛି, ଠିକ୍ ସେତିକିବେଳେ ଆମେ ସମସ୍ତେ ଭୁଲିଯାଇଛେ ଭାରତ ମାତାର ସୁଯୋଗ୍ୟା ପରମପୂଜ୍ୟା ସନ୍ତାନ କସ୍ତୁରବା – ପ୍ରିୟ ବା’ଙ୍କ ୧୫୦ତମ ଜନ୍ମ ବାର୍ଷିକୀ । ଭାରତର ଇତିହାସରେ ଏହାକୁ ଏକ ଅପରାଧ କହିଲେ ଅତ୍ୟୁକ୍ତି ହେବନାହିଁ । ବିଗତ ଏପ୍ରିଲ ୧୧ ତାରିଖ ଦିନ ସେହି ମହାନ ମହିୟସୀ ମହିଳା କସ୍ତୁରବାଙ୍କୁ ୧୫୦ ତମ ଜନ୍ମଦିନଥିଲା।  ଉପସ୍ଥାପନ କରୁଛୁ ମହାତ୍ମା ଓ ବା’ଙ୍କ ସମ୍ପର୍କିତ ଏହି ଅପୂର୍ବ କାହାଣୀକୁ।

ବା’ ଓ ବାପୁ: ମହାତ୍ମା ଓ ମହିୟସୀ

ସାରା ପୃଥିବୀକୁ ଦିଗ୍‌ଦର୍ଶନ ଦେଖାଇବାର ଶକ୍ତିଥିବା ଜଣେ ମହିୟସୀ ମହିଳାଙ୍କ ଜୀବନୀ ଆଜି ବି ଅନେକାଂଶରେ ପରଦା ପଛରେ ରହିଯାଇଛି । ସିଏ ହେଉଛନ୍ତି ଏଭଳି ମହାନ ମହିୟସୀ ମହିଳା, ଯାହାଙ୍କର ସ୍ୱାଧୀନଚେତା ଚିନ୍ତା, ଶାନ୍ତିର ସଂଗ୍ରାମ ଶୈଳୀ, ସତ୍ୟ ନିଷ୍ଠାର ମନ୍ତ୍ର ଜଣେ ସାଧାରଣ ମଣିଷକୁ ମହାତ୍ମା କରିଦେଇ ଭାରତର ସ୍ୱାଧୀନତା ଆନ୍ଦୋଳନର ମାର୍ଗ ଦେଖାଇଥିଲା । ୨୦୨୦ ବିଶ୍ୱ ମହିଳା ଦିବସର ବାର୍ତ୍ତା ଦେଇଥିବା ସେହି ପରମ ପୂଜ୍ୟା ମହିଳା ହେଉଛନ୍ତି ବା’ ।
ଚଳିତ ବର୍ଷ ହେଉଛି କସ୍ତୁରବା ଗାନ୍ଧୀଙ୍କ ୭୬ତମ ମୃତ୍ୟୁ ବାର୍ଷିକୀ ଏବଂ ୧୫୦ତମ ଜନ୍ମ ବାର୍ଷିକୀ । ୧୯୨୦ ଦଶକରେ ବିଶ୍ୱ ଜଣେ ଏଭଳି ପୁରୁଷର ପରିଚୟ ପାଇଥିଲା, ଯିଏକି ହୃଦୟ ନିଗାଡ଼ି ନିଜର ଅପ୍ରିୟ ସତ୍ୟରେ ତାଙ୍କର ଆତ୍ମଜୀବନୀ ଲେଖିଥିଲେ – “ସତ୍ୟ ସହ ମୋର ପରୀକ୍ଷା ନିରୀକ୍ଷା’ । ତାଙ୍କର ଲେଖାରେ ସେହି ଲେଖକ ନିଜ ବ୍ୟକ୍ତିଗତ ଜୀବନ ଓ ସାର୍ବଜନୀନ ଜୀବନ ମଧ୍ୟରେ ଥିବା ପ୍ରାଚୀରକୁ ଅତିକ୍ରମ କରିଯାଇଥିଲେ । ସେ ହେଉଛନ୍ତି ମୋହନ ଦାସ କରମଚାନ୍ଦ ଗାନ୍ଧୀ । ବିଂଶ ଶତାବ୍ଦୀର ସେହି ରକ୍ଷଣଶୀଳ ସମାଜରେ ଯେଉଁ ଅଳ୍ପ କେତେଜଣ ସତ୍ୟ ନିଷ୍ଠା ତଥା ସମ୍ବେଦନଶୀଳ ବ୍ୟକ୍ତିମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ, ଯେଉଁମାନେ ସ୍ୱତଃପ୍ରବୃତ୍ତ ଭାବେ ମହିଳାମାନଙ୍କ ସମସ୍ୟା ପ୍ରତି ସମବେଦନା ଜଣାଇଛନ୍ତି ସେମାନଙ୍କ ମଧ୍ୟରେ ମୋହନ ଦାସ କରମଚାନ୍ଦ ଗାନ୍ଧୀ ବିଶ୍ୱରେ ସର୍ବପ୍ରଥମ ।

ଅବଶ୍ୟ ମୋହନଦାସ ନିଜ ବୈବାହିକ ଜୀବନର ପ୍ରଥମ ପର୍ଯ୍ୟାୟରେ ଏପରି ନଥିଲେ । ପୁରୁଷ ପ୍ରାଧାନ୍ୟ ସମାଜର ପରିବାରରେ ପୌରୁଷତ୍ୱ ଜାହିର କରିବା ଦିଗରେ ସେ ମଧ୍ୟ ନିଜ ସ୍ତ୍ରୀ କସ୍ତୁରବାଙ୍କ ପ୍ରତି ପାରିବାରିକ ହିଂସା ଆଚରଣ କରିଥିଲେ । କିନ୍ତୁ ନିଜ ଭୁଲକୁ ସେ ସୁଧାରି, ନିଜ ଅନ୍ୟାୟ ପ୍ରତି କ୍ଷମା ମାଗି ଏବଂ ସେ ନିଜ ଆଚରଣ ତ୍ୟାଗ କରି କସ୍ତୁରବାଙ୍କୁ ମହିୟସୀର ସ୍ଥାନ ଦେଇଥିଲେ । କସ୍ତୁରବାଙ୍କ ଆଚାର ବ୍ୟବହାର ଦ୍ୱାରା ମୋହନଦାସ ଗଭୀର ଭାବରେ ପ୍ରଭାବିତ ହୋଇ ଦକ୍ଷିଣ ଆଫ୍ରିକାରୁ ନାରୀ ସ୍ୱାଧୀନତାର ମନ୍ତ୍ର ଗାଇଥିଲେ ।

ସେଭଳି ଏକ ସମ୍ବେଦନଶୀଳ ସମୟ ଓ ରକ୍ଷଣଶୀଳ ଯୁଗରେ ତାଙ୍କର ମନର ଭାବନାକୁ ସେ ସର୍ବସାଧାରଣରେ ଅକୁଣ୍ଠ ଚିତ୍ତରେ କହିଥିଲେ, ଯେତେବେଳ ଏପରି ପ୍ରକାଶ କରିବାକୁ ଆଦୌ ସମାଜରେ ଭଲ ନଜରରେ ଦେଖାଯାଉନଥିଲା । ଅତ୍ୟନ୍ତ କୋମଳ ତଥା ଛାପ ରହିଯାଉଥିବା ବୟସରେ ହିଁ କସ୍ତୁରବା, ମୋହନଦାସଙ୍କ ଜୀବନରେ ପ୍ରବେଶ କରିଥିଲେ । କିଶୋରୀ ବୟସରେ କସ୍ତୁରବା ତାଙ୍କର ସହଧର୍ମିଣୀ ବନିଥିଲେ ଏବଂ ମୋହନଦାସ ତାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ । ମୋହନଦାସଙ୍କ ପରବର୍ତ୍ତୀ ଜୀବନରେ ଏତେ ଅନୁରାଗ ପାଇଁ ନିଜେ ଅନେକ ଖୁସି ଅନୁଭବ କରିଥିଲେ। ହେଲେ ଦକ୍ଷିଣ ଆଫ୍ରିକାର ବାରିଷ୍ଟର ଜୀବନରେ ମୋହନ ଦାସଙ୍କର ପାରିବାରିକ ସ୍ୱାମୀ ସ୍ତ୍ରୀ ସମ୍ପର୍କର ଦ୍ୱନ୍ଦ ମଧ୍ୟ ସୃଷ୍ଟି ହୋଇ ଯେଉଁ ହିଂସାର ପରିସ୍ଥିିତି ଉପୁଜିଥିଲା ସେଥିପ୍ରତି ସେ ଲଜ୍ଜା ଅନୁଭବ କରିଥିଲେ । ମୋହନଦାସଙ୍କ ଆତ୍ମଜୀବନୀରେ ଆମେ କସ୍ତୁରବାଙ୍କୁ ଏକ କିଶୋରୀରୁ ପ୍ରସ୍ଫୁଟିତ ହୋଇ ନିଜ ସ୍ୱାଧୀନ ଚିନ୍ତନ ଥିବା ଜଣେ ମହିଳା ହେବାର ଦେଖିପାରିବା । ସେହି ଚିନ୍ତାଧାରା ମୋହନଦାସଙ୍କୁ ମହାତ୍ମା ତଥା ବାପୁର ପରିଚୟ ଦେଇ ଦେଇଥିବାବେଳେ କସ୍ତୁରବାଙ୍କୁ ଆମ ସମସ୍ତଙ୍କ ନିକଟରେ ପ୍ରିୟ “ବା’ର ନାମରେ ପରିଚିତ କରାଇଥିଲା ।

ମୋହନଦାସଙ୍କ ଆତ୍ମଜୀବନୀର ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ହେଉଛନ୍ତି କସ୍ତୁରବା – “ବା’ – ଯିଏ କି ଏକଦା ତାଙ୍କ ବାରିଷ୍ଟର ସ୍ୱାମୀଙ୍କ କ୍ଷେତ୍ରରେ ଘଟୁଥିବା ପରିବର୍ତ୍ତନକୁ ବୁଝି ନପାରି ବିମୂଢ଼ ହୋଇଯାଇଥିଲେ । ତାଙ୍କ ସ୍ୱାମୀ ଜଣେ ୟୁରୋପୀୟଙ୍କ ପରି ପୋଷାକ ପିନ୍ଧୁଥିଲେ ଏବଂ ସେହିମାନଙ୍କ ପରି ନିଜ ପିଲାମାନଙ୍କ ପାଇଁ ଗୃହ ଶକ୍ଷୟିତ୍ରୀ ରଖିଥିଲେ । ତା’ପରେ ତାଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସୁଛି । ସେ ତାଙ୍କର ଚାକରବାକରଙ୍କୁ ତ୍ୟାଗ କରୁଛନ୍ତି । ନିଜେ ବିଭିନ୍ନ ସାର୍ବଜନିକ କାର୍ଯ୍ୟରେ ସଂପୃକ୍ତ ହେଉଛନ୍ତି ଓ ପ୍ରତିବାଦ କରୁଛନ୍ତି । ସେ ପୋଲିସ ବର୍ବରତାର ଶିକାର ହେଉଛନ୍ତି, କିନ୍ତୁ ପ୍ରତିଆକ୍ରମଣ କରୁନାହାନ୍ତି । ସେ କାରାବରଣ କରୁଛନ୍ତି ଏବଂ ଅନୁରୂପ ସଂସ୍କାରବାଦୀମାନେ ତାଙ୍କୁ ଦେଖା କରିବାକୁ ଆସୁଛନ୍ତି । ଏହି ଅତିଥିମାନଙ୍କର ସତ୍କାର ବା’ଙ୍କ ଧୈର୍ଯ୍ୟର ପରୀକ୍ଷା ନେଉଛି । ଗୋଟିଏ ସମୟରେ ସଂସ୍କାରବାଦୀ ସ୍ୱାମୀ ମୋହନଦାସ ତାଙ୍କ ସ୍ତ୍ରୀ ବା’ଙ୍କୁ ଅତିଥିମାନଙ୍କର ପାଇଖାନା ପରିସ୍କାର କରିବାକୁ ବାଧ୍ୟ କରୁଛନ୍ତି ଏବଂ ଶେଷରେ ବା’ଙ୍କ ସହିବାର ସୀମା ଅତିକ୍ରମ କରିଯାଉଛି । ଏହାପରେ ସ୍ୱାମୀ ସ୍ତ୍ରୀ (ଗାନ୍ଧିଜୀ ଓ କସ୍ତୁରବା) ଦୁହିଁଙ୍କ ମଧ୍ୟରେ ପ୍ରଚଣ୍ଡ ପାରିବାରିକ ବିବାଦ ଦେଖାଦେଇଛି । କସ୍ତୁରବା ନିଷ୍ପତ୍ତି ନେଇଛନ୍ତି, “ଢ଼େର ହୋଇଗଲା, ଆଉ ନୁହେଁ ‘ । ଏହାପରେ ଯେଉଁ ତୀବ୍ର ପାରିବାରିକ ବିବାଦ ଉପୁଜିଛି କ୍ଷଣକ ପାଇଁ ହେଲେ ମଧ୍ୟ ମୋହନଦାସଙ୍କ ଚରିତ୍ରରେ ନାରୀ ହିଂସାର ରୂପକୁ ଚିତ୍ରିତ କରିଛି ।

ସ୍ୱାମୀ ସ୍ତ୍ରୀଙ୍କର କଳହ ଏପରି ଶିଖରରେ ପହଁଚୁଛି ଯେ, ଗାନ୍ଧିଜୀ ତାଙ୍କ ସ୍ତ୍ରୀ ବା’ଙ୍କୁ ଘରୁ ବାହାରି ଯିବାକୁ କହିଲେ । ଯେତେବେଳେ କସ୍ତୁରବା ପ୍ରତିଆକ୍ରମଣ କଲେ, ସେତେବେଳେ ଗାନ୍ଧିଜୀ ଅନୁତାପ କରି ସ୍ୱାମୀ-ସ୍ତ୍ରୀର ସମ୍ପର୍କକୁ ତର୍ଜମା କଲେ । ସେ ଅନୁଭବ କଲେ ଯେ ତାଙ୍କର ଆଚରଣ ଭୁଲ ଓ ଅନ୍ୟାୟ ଥିଲା । ଏହି ଘଟଣା ଗାନ୍ଧୀଜୀଙ୍କ ହୃଦୟ ଭିତରେ ଏପରି ତୀବ୍ର ସଂସ୍କାରବାଦୀ ଉଦ୍ଦୀପନା ସୃଷ୍ଟି କଲା, ଯାହାକି ଦକ୍ଷିଣ ଆଫ୍ରିକାରେ ତାଙ୍କୁ ପ୍ରଥମ ଶ୍ରେଣୀ ବଗିରୁ ବାହାରକୁ ଫିଙ୍ଗି ଦିଆଯାଇଥିବାବେଳେ ସୃଷ୍ଟି ହୋଇଥିଲା । ମହାତ୍ମା ଗାନ୍ଧୀ ଯେତେବେଳେ କସ୍ତୁରବାଙ୍କୁ ଘରୁ ବାହାରକୁ ଧକ୍କା ଦେଇଥିଲେ, ସେତେବେଳେ କସ୍ତୁରବାଙ୍କ କଥା ତାଙ୍କ ଅନ୍ତରାତ୍ମାକୁ ଦୋହଲାଇଦେଇଥିଲା । ଗାନ୍ଧିଜୀ ଏହି ଘଟଣାକୁ ନିଜ ଆତ୍ମ ଜୀବନୀରେ ବର୍ଣ୍ଣନା କରି ଲେଖିଛନ୍ତି, ବା’ଙ୍କ ଆଖିର ଲୁହ ମୂଷଳ ଧାରାରେ ବର୍ଷା ପରି ତାଙ୍କ ଗାଲ ଉପର ଦେଇ ବୋହୁଥିଲା ଏବଂ ବା’ ଚିତ୍କାର କରୁଥିଲେ, “ତମର କ’ଣ ଲାଜ ସରମ କିଛି ନାହିଁ ? ତୁମେ କଣ ତୁମ ନିଜତ୍ୱ ଭୁଲିଗଲ? ମୁଁ କୁଆଡ଼େ ଯିବି ? ତୁମେ କ’ଣ ଭାବୁଛ ଯେ, ତୁମର ସ୍ତ୍ରୀ ହୋଇଥିବାରୁ ତୁମର ବିଧା ଗୋଇଠା ସହିବି ? ଭଗବାନଙ୍କ ପାଇଁ ହୋସକୁ ଆସ ଏବଂ ଗେଟ୍ ବନ୍ଦ କର । ତମେ ଆଉ ଲୋକହସା ହେବାରୁ କ୍ଷାନ୍ତ ରୁହ । ଗାନ୍ଧୀଜୀ ପୁଣି ଲେଖିଛନ୍ତି, “ମୋର ମୁହଁଟାଣ ଯାଇନଥାଏ । ମାତ୍ର ମୁଁ ପ୍ରକୃତ ପକ୍ଷେ ମୋ ଆଚରଣ ପାଇଁ ଲଜ୍ଜିତ ଅନୁଭବ କରୁଥିଲି ଏବଂ ଗେଟ୍ ବନ୍ଦ କରିଦେଲି । ମୋ ସ୍ତ୍ରୀ ଯଦି ମୋତେ ଛାଡ଼ି ପାରିବ ନାହିଁ, ତେବେ ମୁଁ ବି ତ ତାକୁ ଛାଡ଼ିପାରିବିନି । ଆମ ମଧ୍ୟରେ ଅନେକ ଥର କହଳ ହୋଇଛି । ମାତ୍ର କଳହ ଶେଷରେ ଶାନ୍ତି ହିଁ ସ୍ଥାପିତ ହୋଇଛି । “ବା’ ତାଙ୍କର ଅତୁଳନୀୟ ସହନଶୀଳତା ବଳରେ ସର୍ବଦା ବିଜୟିନୀ ହୋଇଛନ୍ତି । ବୋଧହୁଏ “ବା’ଙ୍କର ଅନାବିଳ ପ୍ରେମ, ଭଲପାଇବା ଓ ସର୍ବଂସହା ସମ୍ପର୍କ ଗାନ୍ଧୀଙ୍କୁ ସତ୍ୟର ପୂଜାରୀ କରିଦେଇଥିଲା ବୋଲି ଗାନ୍ଧୀଜୀଙ୍କ ଉପରେ ଗବେଷଣା କରିଥିବା ଅନେକ ଗବେଷକ ଏହି ମତ ଦିଅନ୍ତି ।

ଏକଥା ଲକ୍ଷ୍ୟ କରାଯିବା ତାତ୍ପର୍ଯ୍ୟପୂର୍ଣ୍ଣ ଯେ, ଖୋଦ ଗାନ୍ଧିଜୀ ଏପରି ସ୍ମୃତିଚାରଣକୁ ପବିତ୍ର’ ବୋଲି ଅଭିହିତ କରିଛନ୍ତି । ମହିଳାମାନଙ୍କ ପ୍ରତି ନ୍ୟାୟ ସକାଶେ ସଂଗ୍ରାମ କରୁଥିବା ଜଣେ ବ୍ୟକ୍ତିକୁ ରୂପାନ୍ତରିତ ହେବା କ୍ଷେତ୍ରରେ ଗାନ୍ଧିଜୀଙ୍କ ଦକ୍ଷିଣ ଆଫ୍ରିକା ଅଭିଜ୍ଞତା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରେ । ଉପରନ୍ତୁ ଏହା କସ୍ତୁୁରବାଙ୍କୁ ଆଗକୁ ଆଣିଲା । ହଜାର ହଜାର ଅନ୍ୟ ମହିଳାମାନଙ୍କ ସହିତ ମିଶି ଇମିଗ୍ରେସନ୍ ନିୟନ୍ତ୍ରଣ ବିଲ୍ ଏବଂ ୩ ଡ଼ଲାର ଟ୍ୟାକ୍ସ୍ ବିଲ୍‌ର ବିରୋଧରେ ପୁରୁଷମାନଙ୍କ ସତ୍ୟାଗ୍ରହରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିବା ସତେ ଯେପରି ଗାନ୍ଧୀଜୀଙ୍କ ପାଇଁ କସ୍ତୁରବାଙ୍କୁ ନୂଆ କରି ଜାଣିବା ପରି ଥିଲା । ସତ୍ୟାଗ୍ରହରେ କସ୍ତୁରବାଙ୍କ ଏପରି ଅଂଶଗ୍ରହଣ ଗାନ୍ଧିଜୀଙ୍କୁ ଅପାର ଉତ୍ସାହିତ କରିଥିଲା । ଖ୍ରୀଷ୍ଟିଆନ୍ ଆଇନ ଅନୁଯାୟୀ ଅନୁଷ୍ଠିତ ହୋଇନଥିବା ସମସ୍ତ ବିବାହକୁ ଅବୈଧ ଘୋଷଣା କରିବା ପାଇଁ ଦକ୍ଷିଣ ଆଫ୍ରିକାର ତତ୍କାଳୀନ ପ୍ରଶାସକ ନେଇଥିବା ନିଷ୍ପତ୍ତିକୁ ବିରୋଧ କରି ମହିଳାମାନଙ୍କର ଆନ୍ଦୋଳନ ଆରମ୍ଭ ହୋଇଥିଲା । ମହିଳାମାନଙ୍କର ସଂକଳ୍ପର ପ୍ରଶଂସା କରି ମହାତ୍ମା ଗାନ୍ଧୀ ଇଣ୍ଡିଆନ୍ ଓପିନିଅନ୍‌ରେ ଲେଖିଥିଲେ, “ବିବାହ ପ୍ରସଙ୍ଗକୁ ନେଇ ଜୋହାନସ୍‌ବର୍ଗରେ ଭାରତୀୟ ମହିଳାମାନେ ଗ୍ରହଣ କରିଥିବା ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ ପରୋକ୍ଷ ବିରୋଧ ଅଭିଜାନ କ୍ଷେତ୍ରରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଆମେ ଆମ ନିର୍ଭୀକ ଭଉଣୀମାନଙ୍କୁ ସ୍ୱାଗତ କରୁଛୁ  ।

ଅନେକ ଦିଗରୁ ଦେଖିବାକୁ ଗଲେ କସ୍ତୁରବା ଥିଲେ ମହାତ୍ମା ଗାନ୍ଧୀଙ୍କର ପ୍ରଥମ ଶିଷ୍ୟା । ବା’ଙ୍କ ରକ୍ଷଣଶୀଳତାର ବିରୁଦ୍ଧାଚରଣ କରୁଥିବା ଏକ ଜୀବନଚର୍ଯ୍ୟା ସହ ତାଙ୍କୁ ଖାପ ଖୁଆଇ ଚଳିବାକୁ ପଡ଼ୁଥିଲା । କିନ୍ତୁ ଶେଷରେ ଦେଖିବାକୁ ଗଲେ ଭାରତୀୟ ସମାଜ ଓ ଇତିହାସରେ କସ୍ତୁରବା ହିଁ ଥିଲେ ସ୍ୱୀକୃତି ପାଇନଥିବା ନାୟିକା । ବା’ଙ୍କ ସହଯୋଗ ବିନା ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କର ମହାତ୍ମାରେ ରୂପାନ୍ତରଣ ହୋଇପାରିନଥାନ୍ତା ।
୧୯୨୯ ମସିହାରେ ହୋରେସ୍ ଜି. ଆଲେକ୍‌ଜାଣ୍ଡର ଗାନ୍ଧିଜୀଙ୍କୁ ଏକ ପତ୍ର ଲେଖି ଏପରି ଗୋଟିଏ ପୁ୍‌ସ୍ତକ ପ୍ରତି ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ, ଯେଉଁ ପୁସ୍ତକ ପଢ଼ି ହୋରେସ୍‌ଙ୍କର ଧାରଣା ହୋଇଥିଲା, କସ୍ତୁରବା ଏବଂ ଗାନ୍ଧୀ ସର୍ବଦା ନିଜ ବିଚାରରେ ଏକମତ ନଥିଲେ । ଗାନ୍ଧିଜୀ ନିଜ ଜୀବନରେ କସ୍ତୁରବାଙ୍କ ପ୍ରତି କରିଥିବା କେତେକ ଅନ୍ୟାୟକୁ ଯେପରି ଅନୁତାପ କରି ସତ୍ୟର ଉପସ୍ଥାପନ କରିଛନ୍ତି ପୃଥିବୀର ଅନ୍ୟ କେହି ଏପରି କରିବାର ପ୍ରାୟତଃ ନଜରକୁ ଆସେନାହିଁ । ତେଣୁ ହୋରେସ୍‌ଙ୍କ ପରି ଅନେକ ବ୍ୟକ୍ତି ବିଶେଷ ଆଶ୍ଚର୍ଯ୍ୟଜନକ ଭାବେ ମହାତ୍ମା ଗାନ୍ଧୀ ଓ କସ୍ତୁରବାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ କେତେକ ବଦ୍ଧମୂଳ ଭ୍ରାନ୍ତ ଧାରଣା ବଳବତ୍ତର ରହିଛି ଏବଂ ବା’ ଓ ବାପୁଙ୍କ ସାର୍ବଜନିକ ଜୀବନର ଆରମ୍ଭରୁ ଆଜିଯାଏଁ ଏହା ତିଷ୍ଠି ରହିଛି ତଥା ଗାନ୍ଧିଜୀଙ୍କ ପ୍ରତି କୁତ୍ସା ରଟନା ପାଇଁ ବ୍ୟବହୃତ ହୋଇଆସୁଛି । ଅନେକ ସମୟରେ କେତେକ ବ୍ୟକ୍ତି ବିଶେଷ ଏକଥା କହିବାର ଶୁଣାଯାଏ ଯେ, “ମୁଁ ଗାନ୍ଧିଜୀଙ୍କୁ ପସନ୍ଦ କରେ ନାହିଁ, କାରଣ ସେ ତାଙ୍କ ସ୍ତ୍ରୀଙ୍କ ପ୍ରତି ଅତ୍ୟନ୍ତ ନିର୍ଦ୍ଦୟ ଥିଲେ ।’

ସେମାନେ କିପରି ଏକଥା ଜାଣିବାକୁ ପାଇଲେ ବୋଲି ସେମାନଙ୍କୁ ପ୍ରଶ୍ନ କରାଗଲେ ସେଭଳି ବ୍ୟକ୍ତି ବିଶେଷଙ୍କ ପାଖରେ କୌଣସି ଉତ୍ତର ନଥାଏ । ଏଠାରେ ମନେରଖିବାକୁ ହେବ ଆମେ ସମସ୍ତ ବିଷୟ ଜାଣିପାରିଛୁ କାରଣ ମୋହନ ଦାସ କରମଚାନ୍ଦ ଗାନ୍ଧୀ ତାଙ୍କ ଜୀବନର ଭୁଲ ଓ ଅନ୍ୟାୟଗୁଡ଼ିକ ସମ୍ପର୍କରେ ସାଧୁତା ଓ ସତ୍ୟନିଷ୍ଠ ଭାବରେ ସ୍ୱୀକାରୋକ୍ତି କରିଛନ୍ତି । ନିଜର ଭୁଲକୁ ସୁଧାରି ନିଜ ଅନ୍ୟାୟ ପାଇଁ କ୍ଷମା ପ୍ରାର୍ଥନା କରି ପରବର୍ତ୍ତୀ ସମୟରେ ଗାନ୍ଧିଜୀ ନିଜ ସ୍ତ୍ରୀ ବା’ଙ୍କୁ ଯେଉଁ ସମ୍ମାନର ଅଧିକାର ଦେଇଛନ୍ତି ଏବଂ ଯେଉଁ ଭଳି ଉଚ୍ଚ ଆସନରେ ବସାଇଛନ୍ତି ତାହା ମଧ୍ୟ ଆଜିର ସମାଜରେ ଗ୍ରହଣୀୟ ହେବା ଜରୁରୀ । ଗାନ୍ଧିଜୀଙ୍କ ପ୍ରତି ସମାଲୋଚନା ଓ କୁତ୍ସାରଟନା କରୁଥିବା ସେହି ବ୍ୟକ୍ତି ବିଶେଷ ନିଜ ଅନ୍ତରାତ୍ମାକୁ ପଚାରିବା ଦରକାର, ସେମାନେ ଯେଉଁ ସାଧାରଣ ଭୁଲ ଓ ଅନ୍ୟାୟ ଜୀବନରେ କରିଛନ୍ତି ସେଥିପ୍ରତି ସେମାନେ କେବେ କ୍ଷମା ପ୍ରାର୍ଥନା କରିଛନ୍ତି କିମ୍ବା କ୍ଷମା ପ୍ରାର୍ଥନା କରିବା ପାଇଁ ସତ୍‌ସାହାସ ତାଙ୍କ ମନରେ ଜନ୍ମିଛି ? ସେଥିପାଇଁ ଗାନ୍ଧିଜୀ ଅତୁଳନୀୟ ।

ବା’ଙ୍କ ନେତୃତ୍ୱରେ କ୍ରିୟାଶୀଳ ତଥା ସମର୍ପିତ ମହିଳାମାନଙ୍କ ସଂଗ୍ରାମ ଦ୍ୱାରା ଗାନ୍ଧିଜୀଙ୍କ ଗ୍ରାମୀଣ ପୁର୍ନଜୀବନ ଓ ଆତ୍ମନିର୍ଭରଶୀଳତାର ସ୍ୱପ୍ନ ସଫଳ ହୋଇଥିଲା । ଗାନ୍ଧିଜୀଙ୍କ ଆଶ୍ରମଗୁଡ଼ିକ ବା’ଙ୍କର ପ୍ରେରଣାଦାୟୀ ମନ୍ତ୍ରରେ ଓ ପରିଚାଳନାରେ ଅହିଂସା, ସ୍ୱଚ୍ଛତା, ସାଧୁତା ତଥା ଆତ୍ମନିର୍ଭରଶୀଳତାର କେନ୍ଦ୍ରରୂପେ ଗଢ଼ିହୋଇ ପାରିଥିଲା । ୧୯୪୪ ମସିହାର ଫେବୃଆରୀ ୨୨ ତାରିଖରେ କରାଗାରରେ ଥିବା ଅବସ୍ଥାରେ ହିଁ ବା’ଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ସ୍ମୃତିରେ ମହାତ୍ମା ଗାନ୍ଧୀ ୧୯୪୫ ମସିହାରେ ବା’ ମେମୋରିଆଲ ଟ୍ରଷ୍ଟ ସ୍ଥାପନ କରିଥିଲେ । ବା’ଙ୍କର ଚିନ୍ତାଧାରା ଓ କାର୍ଯ୍ୟଶୈଳୀ ଏହି ମେମୋରିଆଲ ଟ୍ରଷ୍ଟକୁ ଗଭୀରଭାବରେ ପ୍ରଭାବିତ କରିଥିଲା ।

କୌତୁହଳର ବିଷୟ ଯେ ବା’ଙ୍କ ଜୀବନ ଅତ୍ୟନ୍ତ କଷ୍ଟଦାୟକ ହୋଇଥିଲେ ମଧ୍ୟ ଗାନ୍ଧୀଜୀଙ୍କ ବିରୁଦ୍ଧରେ ସେ କାହାରିକୁ କିଛି ହେଲେ କହିବାର ସୁଯୋଗ ଦେଉ ନ’ଥିଲେ । ସଂଯୁକ୍ତ ରାଷ୍ଟ୍ର (ଇଂଲଣ୍ଡ) ର ଜଣେ ଗବେଷକ ଏମ୍ମାଟାରୋଲ ତାଙ୍କର ସନ୍ଦର୍ଭ “ମହାତ୍ମାଙ୍କ ସହ ବିବାହ: କସ୍ତୁରବାଙ୍କ ପାଇଁ ଅପ୍ରୀତିକର ସ୍ଥିତି’ ଏଥିରେ ଏମ୍ମାଟାରୋଲ ଗାନ୍ଧୀଜୀଙ୍କ ଆଶ୍ରମକୁ ଆସିଥିବା ଲୀଳାବତୀ ନାମ୍ନୀ ଜଣେ ମହିଳାଙ୍କ ସହ ସଂପୃକ୍ତି ସଂପର୍କ ପ୍ରସଙ୍ଗର ଉଲ୍ଲେଖ କରିଥିଲେ । ଇଂଲଣ୍ଡ ଫେରିଯିବା ପରେ ଏମ୍ମାଟାରୋଲ, କସ୍ତୁରବାଙ୍କୁ ଏକ ପତ୍ର ଲେଖି ଗାନ୍ଧୀଜୀଙ୍କ ସହ ବା’ କେତେ ଦୁଃଖୀ ଥିଲେ ତାହା ନିଜ ଆଖିରେ ଦେଖିବା ପରେ ଅତ୍ୟନ୍ତ ଦୁଃଖିତ ହୋଇଥିଲେ ବୋଲି ଜଣାଇଥିଲେ । ସ୍ୱାମୀ ବାପୁଙ୍କୁ ଅତ୍ୟନ୍ତ ଭଲ ପାଉଥିବା ବା’ ବେଶ ସରଳ ଭାବେ କିନ୍ତୁ ଦୃଢତାର ସହ ଏହି ପତ୍ରର ଉତ୍ତର ଲେଖିଥିଲେ । ବା’ ଦେବୀ ପାର୍ବତୀଙ୍କ ଉଦାହରଣ ଏମ୍ମାଟାରୋଲଙ୍କୁ ଦେଇଥିଲେ । ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ତାଙ୍କ ସ୍ୱାମୀଙ୍କର ସମ୍ମାନ ରକ୍ଷାପାଇଁ ପ୍ରାଣ ତ୍ୟାଗ କରିଥିଲେ ବୋଲି ବା’ ଦୃଷ୍ଟାନ୍ତ ଦେଇଥିଲେ । ମଣିଷ ମାତ୍ରକେ ଭୁଲ କରେ, କିନ୍ତୁ ମୋ ସ୍ୱାମୀ ନିଜ ଭୁଲକୁ ସୁଧାରି ସତ୍ୟର ମାର୍ଗରେ ପରିଚାଳିତ ହୁଅନ୍ତି ଏବଂ ମୋତେ ଅନ୍ତରର କ୍ଷମା, ପ୍ରେମ ଓ ସ୍ନେହ ମମତାର ବନ୍ଧନରେ ସର୍ବଦା ବାନ୍ଧି ରଖନ୍ତି ।

“କସ୍ତୁରବା ଜଣେ ଆଦର୍ଶ ହିନ୍ଦୁ ପତ୍ନୀ ହେବାକୁ ଲକ୍ଷ୍ୟ ରଖିଥିଲେ ବୋଲି ଜଣାଇବା ବୋଧହୁଏ ତାଙ୍କ ଚିଠିର ସବୁଠାରୁ ସ୍ପଷ୍ଟ ବାର୍ତ୍ତା ଥିଲା । ତାଙ୍କୁ ଯେ ଅସୁଖୀ ବୋଲି ବିଚାର କରାଯାଉଛି ସେକଥା କସ୍ତୁରବାଙ୍କ ସ୍ୱାଭିମାନକୁ ଆହତ କରିଥିଲା । ତାଙ୍କର ସ୍ୱାମୀଙ୍କ ପ୍ରତି ଥିବା ନିଃସନ୍ଦେହ ସମ୍ମାନ ଓ ପ୍ରେମ ଏବଂ ଦେବୀ ପାର୍ବତୀଙ୍କର ତାଙ୍କ ସ୍ୱାମୀଙ୍କ ସମ୍ମାନ ପାଇଁ ପ୍ରାଣ ତ୍ୟାଗର ଦୃଷ୍ଟାନ୍ତ ଏକଥାର ସାମାଜିକ ଉଦାହରଣ ଥିଲା ଯେ, ପାରମ୍ପରିକ ହିନ୍ଦୁ ସମାଜରେ ମହିଳାମାନଙ୍କର ସ୍ଥିତି କିପରି ଥିଲା’ । ତେବେ ବା’ ନିଜ ସ୍ୱାମୀ ବାପୁଙ୍କ ପ୍ରତି ତାଙ୍କ ନିଷ୍ଠାକୁ ଜଣେ ନୀତିନିଷ୍ଠ ହିନ୍ଦୁ ନାରୀ ହେବା ପାଇଁ ତାଲିମ ରୂପେ ବିବେଚନା କରି ସ୍ୱାଧୀନତା ଓ ସ୍ୱାଭିମାନକୁ ସାଲିସ ନକରି ସତ୍ୟ ଶୃଙ୍ଖଳିତ ଜୀବନର ମାଗ ଦେଖାଇଥିଲେ – ଅହିଂସାର ମନ୍ତ୍ର ଶିଖାଇଥିଲେ ।


ବା’ ଓ “ବାପୁ’ଙ୍କ କାହାଣୀକୁ ବାରମ୍ବାର କୁହାଯିବା ଆବଶ୍ୟକ, କାରଣ ତାହା ସ୍ତ୍ରୀ ବିଦ୍ୱେଷର ଲମ୍ବା ଇତିହାସରେ ବେଶ ଗୁରୁତ୍ୱପୂର୍ଣ୍ଣ । ମହତ୍ମା ଗାନ୍ଧୀଙ୍କ ନେତୃତ୍ୱ ଆଂଶିକ ଭାବରେ ତାଙ୍କର ନିଜସ୍ୱ ଥିଲା ଏବଂ ଯେତେ ନଗଣ୍ୟ ହେଲେ ମଧ୍ୟ ଅନ୍ୟ ଅଂଶଟି କସ୍ତୁରବାଙ୍କ ଯୋଗୁଁ ସମ୍ଭବ ହୋଇଥିଲା । କସ୍ତୁରବାଙ୍କ ନିକଟରେ ମହାତ୍ମା ଗାନ୍ଧୀ ଚିର ଋଣୀ ବୋଲି ସ୍ୱୀକାର କରିବାର ପୁରୁଷତ୍ୱ ମଧ୍ୟ ରହିଥିଲା । ଏହାକୁ ଆମେ ଭୁଲିଯିବା ଉଚିଚ ନୁହେଁ ।
ମହିୟସୀ ମହିଳା କସ୍ତୁରବା, ଗାନ୍ଧିଜୀଙ୍କୁ ମହାତ୍ମାଙ୍କ ମାର୍ଗ ଦେଖାଇ, ନାରୀ ସମାଜକୁ ପରାଧୀନ ଭାରତରେ ସ୍ୱାଧୀନ ଚିନ୍ତାର ବାର୍ତ୍ତା ବାଣ୍ଟି ତଥା ନାରୀ ହିଂସା ବିରୋଧରେ ଆଲୋକର ଆଶା ଉଜ୍ଜୀବିତ କରି ରକ୍ଷଣଶୀଳ ସମାଜକୁ ନିିଜର ତ୍ୟାଗ ଓ ସହନଶୀଳତାର ପ୍ରେରଣାରେ ପୁରୁଷକୁ ଶାନ୍ତିର ପଥ ଦେଖାଇଥିବା ଭାରତର ପରମପୂଜ୍ୟା ବିପ୍ଳବୀ ବ୍ୟକ୍ତିତ୍ୱ ବା’ ପଞ୍ଚଭୂତରେ ବିଲୀନ ହୋଇ ଆଜିବି ଅମର ହୋଇ ରହିଛନ୍ତି । ବାପୁଙ୍କ ସହିତ ବା’ଙ୍କର ଏହି ଅନ୍ତର ଆତ୍ମାର ଅନୁରୂପ ସମ୍ପର୍କକୁ ମନେରଖିଲେ, ତେବେ ଯାଇ ଗାନ୍ଧିଜୀଙ୍କର ୧୫୦ତମ ଜନ୍ମ ବାର୍ଷିକୀ ପାଳନ ସାର୍ଥକ ହେବ । ବା\’ଙ୍କ ବିନା ବାପୁଙ୍କର ଜନ୍ମ, ମୃତ୍ୟୁ ଓ ଅମରତ୍ୱର କାହାଣୀ ମଳିନ ହୋଇଯିବ ।

ଏକ ଜଟିଳ ଜୀବନ: ବା ଓ ବାପୁ

ମହାତ୍ମା ଗାନ୍ଧୀଙ୍କର ପଣନାତି ତୁଷାର ଗାନ୍ଧୀ ଅକପଟ ଭାବେ କୁହନ୍ତି, ବା’ଙ୍କୁ ଅନେକ ଦୁଃଖ ସହିବାକୁ ପଡ଼ିଥିଲା । ହେଲେ ବା’ ଜଣେ ପରାଜିତା ମହିଳା ନ ଥିଲେ । ବା’ ଏପରି ଜଣେ ମହିଳା ଥିଲେ, ଯାହାଙ୍କଠାରେ ତ୍ୟାଗ ସ୍ୱୀକାର କରିବାର ଓ ଯେ କୌଣସି ପରିସ୍ଥିତିର ସମ୍ମୁଖୀନ ହୋଇ ବିଜୟ ଲାଭ କରିବାର ଅସୀମ ଶକ୍ତି ରହିଥିଲା।’

ତୁଷାର ଗାନ୍ଧୀଙ୍କର ଦୃଢ ବିଶ୍ୱାସ ଯେ, ବା’ଙ୍କ ବ୍ୟତୀତ ଗାନ୍ଧିଜୀ ମହାତ୍ମା ହୋଇପାରି ନ’ଥାନ୍ତେ । ଗାନ୍ଧିଜୀଙ୍କ ଜୀବନରେ ତଥା ଭାରତର ସ୍ୱାଧୀନତା ସଂଗ୍ରାମରେ ବା’ଙ୍କର ଅବଦାନକୁ ଅବହେଳା କରିବାର ଅପରାଧ କରିଛି ଭାରତ ଇତିହାସ ।’ ଆଜି ଯେତେବେଳେ ଭାରତ ଗାନ୍ଧୀଙ୍କର ୧୫୦ତମ ଜନ୍ମ ବାର୍ଷିକୀ ପାଳନ କରୁଛି, ଠିକ୍ ସେହି ସମୟରେ ସମଗ୍ର ଦେଶବାସୀ ଭଲିଯାଇଛନ୍ତି, ଆମ ଜନ୍ମ ଭୂମିର ସୁଯୋଗ୍ୟ ମହିୟସୀ ମହିଳା ବା’ଙ୍କର ୧୫୦ତମ ଜନ୍ମ ବାର୍ଷିକୀରେ ତାଙ୍କ ପ୍ରତି ସାମାନ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ । ଏହା ଏକ ଅପରାଧ ।

ତୁଷାର ଗାନ୍ଧୀ ଅନୁଭବ କରନ୍ତି ଯେ,  ବା’ ଓ ବାପୁଙ୍କ ସଂପର୍କ ଥିଲା ବହୁ ପରୀକ୍ଷା ନିରୀକ୍ଷାର ସତ୍ୟ ଉପରେ ପର୍ଯ୍ୟବେଷିତ ଓ କାଳଜୟୀ ଫଳପ୍ରଦ ଜୀବନ । କିନ୍ତୁ ଏକଥା ସତ୍ୟ ଯେ ବାପୁଙ୍କର ରୂପାନ୍ତରଣ ପ୍ରକ୍ରିୟାର ଦୁର୍ଦ୍ଦଶା ବା’ଙ୍କୁ ହିଁ ଭୋଗିବାକୁ ପଡୁଥିଲା । ଏଥିରେ କୌଣସି ସନ୍ଦେହର ଅବକାଶ ନାହିଁ, ବା’ ଓ ବାପୁଙ୍କ ସଂପର୍କ ଅନେକ ଝଡ଼, ଝଞ୍ଜା ଦେଇ ଗତି କରୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ପ୍ରଗାଢ ପ୍ରେମ ଏବଂ ଅଖଣ୍ଡ ବିଶ୍ୱାସ ରହିଥିଲା । ଯଦିଓ ବା’ଙ୍କୁ ବାପୁଙ୍କ ପାଇଁ ଅନେକ କିଛି ପରିତ୍ୟାଗ କରିବାକୁ ପଡ଼ୁଥିଲା, ତଥାପି ବା’ କେବେହେଲେ ବିରୋଧ କରୁନ’ଥିଲେ । ସମ୍ଭବତଃ ବା’ କେବଳ ତାଙ୍କ ସ୍ୱାମୀ ବାପୁଙ୍କ ପ୍ରତିଥିବା ଅଗାଧ ଭକ୍ତି ଓ ପ୍ରଗାଢ଼ ପ୍ରେମ ଯୋଗୁଁ ହିଁ ଗାନ୍ଧିଜୀ ଙ୍କର ରୂପାନ୍ତରଣ ଘଟି ସେ ମହାତ୍ମା ପରି ଏକ ବ୍ୟକ୍ତିତ୍ୱରେ ବିକଶିତ ହୋଇଥିଲେ, ଯାହା ତାଙ୍କ ବୋଧଗମ୍ୟତାର ଊର୍ଦ୍ଧ୍ୱରେ ବୋଲି ହୃଦୟଙ୍ଗମ କରିବା ଫଳରେ ବାପୁ ଏଥିରେ ସଫଳ ହୋଇଥିଲେ ।”

ଆମେମାନେ ଏକଥା ବୁଝିବା ଦରକାର ଯେ, ଗାନ୍ଧିଜୀ ଜଣେ ଆବେଶଗ୍ରସ୍ତ (ଅବ୍‌ସେସିଭ୍‌) ମଣିଷ ଥିଲେ । ନିରନ୍ତର ସେ ନିଜ ଭିତରେ ନିଜର ହିଁ ଦୋଷ ଖୋଜୁଥିଲେ ଏବଂ ଅନ୍ୟକୁ କିମ୍ବା ପରିସ୍ଥିତିକୁ ଦୋଷ ଦେବା ବଦଳରେ ନିଜକୁ ସଂଶୋଧନ କରିବାକୁ ଚେଷ୍ଟା କରୁଥିଲେ । ଏହା ପରିବାର ଭିତରେ ବାପୁଙ୍କ ପାଇଁ ବା’ଙ୍କର ହିଁ ପ୍ରେରଣା ଥିଲା । ଏପରିକି ବାପୁ ଦେଶ ବିଭାଜନର ଦୋଷ ମଧ୍ୟ ନିଜ ଉପରକୁ ନେଇଥିଲେ । ଦେଶ ବିଭାଜନ ପରବର୍ତ୍ତୀ କାଳରେ ହିନ୍ଦୁ ଓ ମୁସଲମାନଙ୍କ ହତ୍ୟା ସକାଶେ ମଧ୍ୟ ସେ ନୈତିକ ଦାୟିତ୍ୱ ନେଇଥିଲେ । ଏପରି ଜଣେ ଲୋକଙ୍କ ସହିତ ବଞ୍ଚୁଥିବା ଯେ କୌଣସି ବ୍ୟକ୍ତିଙ୍କୁ ଅନେକ କଷ୍ଟ ଓ ତ୍ୟାଗର ସମ୍ମୁଖୀନ ହେବାକୁ ପଡିବ ବୋଲି ତୁଷାର ଗାନ୍ଧୀ କୁହନ୍ତି ।

ଲେଖିକା ନୀଳିମା ଡାଲମିଆ ଆଧାରଙ୍କ ୨୦୧୬ ମସିହାରେ ବା’ଙ୍କ ସଂପର୍କରେ ଲେଖିଥିବା ପୁସ୍ତକ “କସ୍ତୁରବାଙ୍କ ଗୋପନ ଡାଏରୀ’ (ଦି ସିକ୍ରେଟ୍ ଡ଼ାଇରୀ ଅଫ୍ କସ୍ତୁରବା)ରେ ଉଲ୍ଲେଖ କରିଛନ୍ତି, ବା’ ଓ ବାପୁଙ୍କ ମଧ୍ୟରେ ଥିବା ସଂପର୍କ ଏକାଧାରରେ ଥିଲା ସୂକ୍ଷ୍ମ ତଥା ଜଟିଳ । ମୂଳତଃ ବା’ ଥିଲେ ବାପୁଙ୍କର ହିନ୍ଦୁପତ୍ନୀ । ସେମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ରହିଥିଲେ ମଧ୍ୟ ବା’ ଆଗକୁ ଚିନ୍ତା କରି ପାରୁଥିଲେ, ସ୍ପଷ୍ଟବାଦିନୀ ଏବଂ ନିଜର ସ୍ୱାଧୀନଚେତା ଅଧିକାରକୁ ଶୃଙ୍ଖଳିତ ଭାବେ ଶାନ୍ତିପୂର୍ଣ୍ଣ ଉପାୟରେ ସାବ୍ୟସ୍ତ କରୁଥିଲେ । ମାତ୍ର ୧୩ବର୍ଷ ବୟସରେ ବାପୁଙ୍କୁ ବିବାହ କରି ତାଙ୍କ ଘରକୁ ବୋହୁ ହୋଇ ଆସିବା ଦିନଠାରୁ ଯୌନ ସଂପର୍କକୁ ନେଇ ମଧ୍ୟ ବା’ ସ୍ପଷ୍ଟବାଦିନୀ ଥିଲେ । ବା’ ତାଙ୍କ ଭିତରେ ଥିବା ବିପ୍ଲବୀ ନାରୀତ୍ୱକୁ କେବେ ମରିବାକୁ ଦେଇ ନ’ଥିଲେ’ ।

କୌଣସି ପ୍ରସଙ୍ଗରେ ଆତ୍ମସମର୍ପଣ କରିଦେବା ବା’ଙ୍କ ପ୍ରକୃତିରେ ନ’ଥିଲା । ବା’ ତାଙ୍କ ଅସନ୍ତୁଷ୍ଟିକୁ ବେଶ ସ୍ପଷ୍ଟ ରୂପେ ଶୃଙ୍ଖଳା ଓ ଶାନ୍ତ ସ୍ୱାଭାବରେ ପ୍ରକାଶ କରୁଥିଲେ । ଗାନ୍ଧୀ ପରିବାର ଦକ୍ଷିଣ ଆଫ୍ରିକାରେ ଥିବାବେଳେ ପିଲାମାନଙ୍କୁ ସେ ଘରେ ପାଠ ପଢାଇବେ ବୋଲି ଗାନ୍ଧିଜୀ କହିଥିଲେ । ମାତ୍ର ବା’ ପିଲାମାନଙ୍କର ବିଦ୍ୟାଳୟ ଯିବା ଅଧିକାରକୁ ଦୃଢତାର ସହ ସମର୍ଥନ କରିଥିଲେ । ବାପୁଙ୍କ ପ୍ରସ୍ତାବର ପ୍ରତିବାଦ କରି ବା’ କାନ୍ଥରେ ତାଙ୍କ ମୁଣ୍ଡ ପିଟି ଦେଇଥିଲେ ଏବଂ ମୁଣ୍ଡବାଳ ଛିଣ୍ଡାଇ ଦେଇଥିଲେ । ଅନୁରୂପ ଭାବେ, ହଠାତ୍ ଯୌନ ସଂପର୍କରୁ ଦୂରେଇ ରହିବାର ନିଷ୍ପତ୍ତିକୁ ବା’ଙ୍କ ଉପରେ ବାପୁ ଲଦି ଦେଇଥିଲେ । ଏହାପରେ ବାପୁ ସଂଯମର ଅଭୂତ ପରୀକ୍ଷା ନୀରିକ୍ଷା ଚଳାଇ ତାଙ୍କର ଝିଆରୀ ଓ ନାତୁଣୀମାନଙ୍କ ସହ ଉଲଗ୍ନ ହୋଇ ଶୋଇବା ଘଟଣାକୁ ମଧ୍ୟ ବା’ଙ୍କୁ ସହ୍ୟ କରିବାକୁ ପଡ଼ିଥିଲା । ତେବେ ଏହା ଏକତରଫା ନିଷ୍ପତ୍ତି ନଥିଲା । ଏହାକୁ ମଧ୍ୟ ବା’ ସହିଯାଇଥିଲେ ।

ବା’ ଓ ବାପୁଙ୍କ ସଂପର୍କର ଏକ ଦୁଃଖଦ ଦିଗ ହେଲା, ସେମାନଙ୍କର ପୁଅ ହୀରାଲାଲକୁ ନେଇ ସେମାନଙ୍କ ମଧ୍ୟରେ ଲାଗିରହିଥିବା ବିବାଦ । ହୀରାଲାଲ ଇଂଲଣ୍ଡରେ ପାଠ ପଢିବା ସକାଶେ ମେଧାବୃତ୍ତି ପାଇଥିଲେ । ମାତ୍ର ବାପୁ ଏହି ମେଧାବୃତ୍ତିକୁ ତାଙ୍କ ଦଳର ଆଉ ଜଣକୁ ଦେଇ ଦେଇଥିଲେ । ଏହି ଘଟଣା ହୀରାଲାଲଙ୍କୁ ବାପାଙ୍କର ବିରୋଧୀ କରିଦେଇଥିଲା ଏବଂ ବାପା-ପୁଅଙ୍କ ମଧ୍ୟରେ ସଂପର୍କ ଆହୁରି ତିକ୍ତ ହୋଇ ଯାଇଥିଲା । ସେହି ସମୟରେ ବା’ ବାପୁଙ୍କୁ କହିଥିଲେ, “ନିଃସନ୍ତାନ ହୋଇଥିଲେ ସେ ଅଧିକ ଖୁସି ହୋଇଥାଆନ୍ତେ, କାରଣ ସେ ଓ ତାଙ୍କ ସନ୍ତାନ ବାପୁଙ୍କ ପାଇଁ ଯେତେ ତ୍ୟାଗ ସ୍ୱୀକାର କଲେ ମଧ୍ୟ ପ୍ରତିବଦଳରେ ସେମାନଙ୍କୁ କେବଳ ବାଛ ବିଚାର ହିଁ ମିଳିଛି’ ।

ଆଜିର ସମୟରେ ଯେତବେଳେ ଜନସାଧାରଣ ବାପୁଙ୍କୁ ମହାତ୍ମାର ଆସନରେ ବସାଇ ଗଭୀର ଭକ୍ତି ଓ ଶ୍ରଦ୍ଧା କରୁଛନ୍ତି, ସେପରି କ୍ଷେତ୍ରରେ ଲେଖିକା ନୀଳିମା ଡାଲମିଆ ଗାନ୍ଧୀଜୀଙ୍କୁ ଏକ ନକରାତ୍ମକ ଚରିତ୍ର ରୂପେ ନିଜ ପୁସ୍ତକରେ ପ୍ରତିପାଦିତ କାହିଁକି କରିଛନ୍ତି? ଏହାର ଉତ୍ତରରେ ଡାଲମିଆ କୁହନ୍ତି ” ମୁଁ ଗାନ୍ଧିଜୀଙ୍କୁ ଦାନବ ରୂପେ ଚିତ୍ରିତ କରିନାହିଁ । ବାସ୍ତବରେ ମୁଁ ଗାନ୍ଧିଜୀଙ୍କୁ ଜଣେ ପ୍ରକୃତ ମଣିଷ ରୂପେ ହିଁ ଚିତ୍ରଣ କରିଛି । ମୁଁ ମୋ ମା\’ଙ୍କ ଦୃଷ୍ଟିଭଙ୍ଗୀରେ ଏହି ପୁସ୍ତକ ରଚନା କରିଥିଲି, ଯାହାକୁ ମୋ ବାପା ଯୁବାବସ୍ଥାରେ ହିଁ ପରିତ୍ୟାଗ କରିଥିଲେ । ମୁଁ ଜଣେ ଆଧୁନିକ ମହିଳାଙ୍କ ଦୃଷ୍ଟିଭଙ୍ଗୀରେ ହିଁ ମୋ ପୁସ୍ତକ ଲେଖିଥିଲି’ ।

ମଞ୍ଚ ନାଟକରେ ବା’ ଓ ବାପୁ

ବା’ ଥିଲେ ନିରକ୍ଷର, ବାପୁ ଜଣେ ବିଦ୍ୱାନ । ବା’ ଥିଲେ ଜଣେ ଗୃହୀଣୀ, ବାପୁଙ୍କ ଭିତରେ ଜଣେ ଯୋଦ୍ଧାର ଚରିତ୍ର ଲୁଚିଥିଲା ଓ ସେ ଥିଲେ ଏକ ଜିଦିଆ । ଦେବୀ ଅନୁସୂୟା, ସୀତା ଓ ସାବିତ୍ରୀଙ୍କ କାହାଣୀ ଶୁଣି ବଡ଼ ହୋଇଥିବା ବା’ ଥିଲେ ଜଣେ ପତିବ୍ରତା ପତ୍ନୀ । ଅନ୍ୟପକ୍ଷରେ ବାପୁ ତାଙ୍କ ସ୍ତ୍ରୀ ବା’ଙ୍କର “ଭଗବତ ବିଶ୍ୱସ୍ତତା’ର ପରଖ କରିବା ସକାଶେ ଜଣେ ଯୌନ କର୍ମୀଙ୍କୁ ନେଇ ପରୀକ୍ଷା କରିଥିଲେ । ବା’ ଥିଲେ ସର୍ବସଂହା । କେବଳ କ୍ଷମା କରିବା ବ୍ୟତୀତ ଆଉ କିଛି ଜାଣି ନ’ ଥିଲେ । ଏହି ବର୍ଣ୍ଣନା ହେଉଛି ସୈଫ ହାଇଦର ହସନଙ୍କ ନୂତନ ମଞ୍ଚ ନାଟକ “ପ୍ରିୟ ବାପୁ, କସ୍ତୁରବାଙ୍କୁ ଭଲ ପାଅ’ (ଡ଼ିଅର ବାପୁ, ଲଭ୍ କସ୍ତୁରବା) ର କଥାବସ୍ତୁ । ହାସନ୍‌, ବା’ ଓ ବାପୁଙ୍କ କଥାବସ୍ତୁକୁ ନେଇ ଏକ ମଞ୍ଚ ନାଟକ କରିଛନ୍ତି । ନାଟକଟି ବର୍ତ୍ତମାନ ଦିଲ୍ଲୀ, ବମ୍ବେ ଭଳି ସହରରେ ବେଶ ସୁଖ୍ୟାତି ଲାଭ କରିଛି ।

ସୈଫ ହାଇଦର ହସନ

ଏହି ନାଟକର ଆଧାର ହେଉଛି, ମହାତ୍ମା ଗାନ୍ଧୀ ଓ ତାଙ୍କ ପତ୍ନୀ କସ୍ତୁରବାଙ୍କ ମଧ୍ୟରେ ପବିତ୍ର ପାରିବାରିକ ସଂପର୍କ ଏବଂ “ଗାନ୍ଧୀ ଓ କସ୍ତୁରବାଙ୍କ ମଧ୍ୟରେ କେବେ ଲେଖାଯାଇ ନଥିବା ଚିଠି ମାଧ୍ୟମରେ’ ଏହି ମଞ୍ଚ ନାଟକର ରୂପାୟନ କରାଯାଇଛି । ଗାନ୍ଧିଜୀଙ୍କର କସ୍ତୁରବାଙ୍କ ସହିତ ନିବିଡ଼ ସଂପର୍କ ବିଷୟରେ ଲୋକେ ଜାଣିବା ତ ଦୂରର କଥା, ମହାତ୍ମା ଗାନ୍ଧୀଙ୍କ ଛାଇରେ ବଞ୍ଚୁଥିବା ଏବଂ ପ୍ରତିଟି ମୂହୁର୍ତ୍ତରେ ସତ୍ୟ ସହ ଗାନ୍ଧିଜୀଙ୍କ ପରୀକ୍ଷାର ସମ୍ମୁଖୀନ ହେଇଥିବା କସ୍ତୁରବା କେବେହେଲେ ଲୋକଲୋଚନକୁ ଆସିପାରି ନ’ ଥିଲେ । ସୈଫ ହାଇଦର ହସନଙ୍କ ଏହି ନାଟକ ମଞ୍ଚସ୍ଥ ହେବା ଏପରି ପ୍ରଥମ ଉଦ୍ୟମ । ବା ଓ ବାପୁଙ୍କ ଜୀବନର ସତ୍ୟ ଉପରେ ଆଧାରିତ ଏବଂ ସେମାନଙ୍କର ୬୦ ବର୍ଷର ସ୍ୱାମୀ ସ୍ତ୍ରୀଙ୍କ ପାରିବାରିକ ବନ୍ଧନକୁ “ବା’ ଓ ବାପୁଙ୍କ ମଧ୍ୟରେ ଆଦାନ ପ୍ରଦାନ ହୋଇଥିବା କାଳ୍ପନିକ ଚିଠିରେ ହସନ୍ ଏହାକୁ ନାଟ୍ୟ ରୂପାନ୍ତରିତ କରିଛନ୍ତି । ଏହି ଗାଳ୍ପିକ ଚିଠିଗୁଡ଼ିକ ସାତବର୍ଷ ବୟସରେ ବା ଓ ବାପୁଙ୍କ ଜୀବନର “ବାକ୍‌ଦାନ’ଠାରୁ ଆରମ୍ଭ ହୋଇ ମୃତ୍ୟୁ ପର୍ଯ୍ୟନ୍ତ ପରିବ୍ୟାପ୍ତ ।

ନାଟକର ପୃଷ୍ଠଭୂମି ହେଉଛି ନୈସର୍ଗିକ – ବା’ ଙ୍କ ଆତ୍ମା ବାପୁଙ୍କ ସହ କଥାବାର୍ତ୍ତା କରୁଛନ୍ତି ଏବଂ ବାପୁ, ବା’ଙ୍କ ପ୍ରଶ୍ନଗୁଡ଼ିକର ଉତ୍ତର ଦେଉଛନ୍ତି । କସ୍ତୁରବା ଗାନ୍ଧିଜୀଙ୍କୁ “ବାପୁ’ ବୋଲି ସମ୍ବୋଧନ କରୁଛନ୍ତି ଏବଂ ଗାନ୍ଧିଜୀ କସ୍ତୁରବାଙ୍କୁ “କସ୍ତୁର’ ବୋଲି ସ୍ନେହରେ ଡ଼ାକୁଛନ୍ତି । ବା’ ଓ ବାପୁ ସେମାନଙ୍କ ଜୀବନର ସ୍ମୃତି, ଅଭିଯୋଗ ଓ ଅନୁଶୋଚନା ବାଣ୍ଟୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ ହୋଇଥିବା ମତପାର୍ଥକ୍ୟ, ଭାବପ୍ରବଣତା ଓ ପବିତ୍ରତାକୁ ମନେପକାଉଛନ୍ତି । ବା’ ମୃଦୁ ଭତ୍ସନା କରୁଛନ୍ତି, ଝଗଡା କରୁଛନ୍ତି, ପ୍ରତିବାଦ କରୁଛନ୍ତି, ଅଭିଯୋଗ କରୁଛନ୍ତି ଏବଂ ବାପୁ ଦୋଷ ସ୍ୱୀକାର କରୁଛନ୍ତି, ଉପସ୍ଥାପନ କରୁଛନ୍ତି ତଥା ନିଜର ପକ୍ଷ ରଖୁଛନ୍ତି । ବାପୁ ନିଜ ଅନ୍ୟାୟକୁ ବୁଝିପାରି ଅନୁଶୋଚନାରେ ବା’ଙ୍କ ନିକଟରେ କ୍ଷମା ମାଗୁଛନ୍ତି ଏବଂ ସତ୍ୟକୁ ଗ୍ରହଣ କରୁଛନ୍ତି । ବାପୁ, ବା’ଙ୍କର ସତ୍ୟ ଓ ଅହିଂସା ନୀତି ଦ୍ୱାରା ଅନୁପ୍ରାଣିତ ହୋଇ ତାଙ୍କର ସ୍ୱାଧୀନ ଚେତା ଓ ସ୍ୱାଭିମାନର ଶାନ୍ତ ଜୀବନଶୈଳୀକୁ ଗ୍ରହଣ କରୁଛନ୍ତି । ହସନ୍‌, କାଳ୍ପନିକ ଚିଠି ମାଧ୍ୟମରେ ମଞ୍ଚ ଉପରେ ବା’ ଓ ବାପୁଙ୍କର ଜୀବନକୁ ଅତି ଜୀବନ୍ତ ଭାବରେ ଉପସ୍ଥାପନ କରୁଛନ୍ତି ।
ଦୀର୍ଘ ୨୫ବର୍ଷ ପରେ ଜୀନତ ଅମନ ପୁଣି ଥରେ ଅଭିନୟକୁ ମଞ୍ଚ ନାଟକ ମାଧ୍ୟମରେ ଫେରିଛନ୍ତି, ତା’ ପୁଣି ବା’ଙ୍କ ଭୂମିକାରେ । ବା’ ଥିଲେ ଜୀନତ ଅମନଙ୍କ ଚଳଚ୍ଚିତ୍ରର ମୌଳିକ ଚରିତ୍ର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ମୁକ୍ତ ଚେତା, ରୋମାଣ୍ଟିକ୍ ଓ ବିୟୁଟି କୁଇନ ଛବିର ଠିକ୍ ଓଲଟା ପରି । ତେବେ ମଞ୍ଚରେ ଜୀନତ ଅମନ ନିଖୁଣ ଭାବରେ ତାଙ୍କର ସଂଳାପ ରଖିଥିଲେ ଏବଂ ଅଭିନୟ କରିଥିଲେ । ସେ ଅନୁଭବ କରିଥିଲେ ବୟସ ଓ ସମ୍ପର୍କ ଦୃଷ୍ଟିରୁ ମଞ୍ଚର ଅଭିନୟରେ ସେ ଏବଂ ବା’ ଉଭୟ ସମାନ । ଏହି ଭାବନା ତାଙ୍କୁ ବା’ଙ୍କ ଭୂମିକାରେ ଜୀବନ୍ତ ଅଭିନୟର ରୂପ ଦେଇଥିଲା । ଜୀନତ ଅମନଙ୍କ କଣ୍ଠ ଥିଲା ଶ୍ରୁତି ମଧୁର, ଏବଂ ସୁଲଳିତ ସ୍ୱର ତାଙ୍କ ବୟସକୁ ପରାଜିତ କରୁଥିଲା ।

ଏପରି ଏକ ଭୂମିକରେ ପୁଣି ଥରେ ଅଭିନୟକୁ ଫେରିବାର ନିଜସ୍ୱ ଗୁରୁତ୍ୱ ଜୀନତ ଅମନଙ୍କର ରହିଛି । ବା’ ଦୃଢମନା ଥିଲେ । ସେ ଏକାଧିକ ଭୂମିକା ନିର୍ବାହ କରିଥିଲେ । ୧୩ବର୍ଷ ବୟସରେ ବିବାହ କଲେ । ସନ୍ତାନମାନଙ୍କର ଲାଳନ ପାଳନ କଲେ । ମହାତ୍ମା ଗାନ୍ଧୀଙ୍କ ଖିଆଲରେ ମାତ୍ର ୩୦ବର୍ଷର ଯୁବା ବୟସରେ ସଂଯମ ଆଚରଣ କଲେ । ସ୍ୱାଧୀନତା ସଂଗ୍ରାମରେ ଗାନ୍ଧିଜୀଙ୍କ ସହ ପାଦରେ ପାଦ ମିଶାଇ ଚାଲିଲେ । ମହିଳାମାନଙ୍କର ପ୍ରେରଣାଦାତ୍ରୀ ସାଜି ମହିୟସୀ ପାଲଟିଗଲେ । ବା’ଙ୍କର ସ୍ୱାସ୍ଥ୍ୟରେ ଅବନତି ହେବା ସତ୍ତ୍ୱେ କାରାବରଣ କଲେ । ବାପୁଙ୍କ ଅନୁପସ୍ଥିତିରେ ମାନସିକ ଯନ୍ତ୍ରଣା ଭୋଗିଲେ । “ଏହା ହେଉଛି ପ୍ରତ୍ୟେକ ଭାରତୀୟ ମହିଳାଙ୍କର ଭାବର ଗଡ୍ଡାଳିକା, ଅଥଚ କେବଳ ବା’ ଙ୍କ କାହାଣୀ । ବା’ଙ୍କର ଭୂମିକା ନିର୍ବାହ କରିବା ଆଦୌ ସହଜସାଧ୍ୟ ନଥିଲା’ ବୋଲି କୁହନ୍ତି ଜୀନତ ଅମନ । ମଞ୍ଚସ୍ଥ ହୋଇଥିବା ଏହି ନାଟକ ଦର୍ଶକମାନଙ୍କ ମନରେ ବା’ ଓ ବାପୁଙ୍କର ସଂପର୍କ ବିଷୟରେ ଅଧିକ ଜାଣିବାର ତୃଷ୍ଣା ଓ ଆଗ୍ରହ ସୃଷ୍ଟି କରିଛି । ବା’ ଓ ବାପୁଙ୍କର ଅନାବିଳ ପ୍ରେମ ଆଜିର ମଣିଷ ପାଇଁ ଏକ ପ୍ରେରଣାଦାୟୀ ବାର୍ତ୍ତା ପାଲଟିଛି ।

୧୯୪୪ ମସିହାରେ ବା’ଙ୍କ ମୃତ୍ୟୁ ପରେ ବାପୁ ଏକାନ୍ତ ଏକୁଟିଆ ହୋଇଗଲେ । ବା’ଙ୍କ ମୃତ୍ୟୁକୁ ବାପୁ ଅନ୍ତର ଭିତରେ ସହ୍ୟ କରିବାର ଅବସ୍ଥାରେ ନଥିଲେ । ଯଦିଓ ଏହାକୁ ସେ ନିଜ ଚେହେରାରେ ପରିପ୍ରକାଶ କରିବାକୁ ସହଜରେ ଦେଉନଥିଲେ । ବାପୁ, ବା’ଙ୍କୁ ଭେଟୁଥିବାର ଏବଂ ତାଙ୍କ ସହ କଥାବାର୍ତ୍ତା କରୁଥିବାର ଭ୍ରାନ୍ତିରେ ମଧ୍ୟ ଅନେକ ସମୟରେ ରହୁଥିଲେ । ଏପରି ଥିଲା ସେମାନଙ୍କ ମଧ୍ୟରେ ପ୍ରେମ । ହାସନ ତାଙ୍କର ନାଟକରେ କାଳ୍ପନିକ ଚିଠି ମାଧ୍ୟମରେ ଏହାକୁ ଅତି ସୁନ୍ଦରଭାବରେ ମଞ୍ଚ ଉପରେ ଉପସ୍ଥାପନ କରିଛନ୍ତି । ବାପୁଙ୍କ ଭୂମିକାରେ ଆରିଫ୍ ଜାକାରିଆ ମଧ୍ୟ ଅତି ସୁନ୍ଦର ଓ ମର୍ମସ୍ପର୍ଶୀ ଅଭିନୟ କରିଛନ୍ତି ।

ସଫ୍‌ଦରଜଙ୍ଗ୍ ଏନ୍‌କ୍ଲେଭ, ନୂଆଦିଲ୍ଲୀ
୯୯୧୦୭୪୦୮୩୯

Leave a Reply

Your email address will not be published. Required fields are marked *