ରିଭ୍ୟୁ : ଦ ସ୍କାଇ ଇଜ୍ ପିଙ୍କ୍

ଏଥର ଫ୍ରାଇଡେ’ ରିଲିଜରେ ସିନେମାଘରକୁ ଆସିଛି ଗ୍ଲୋବାଲ୍ ଗାର୍ଲ ପ୍ରିୟଙ୍କା ଚୋପ୍ରା ଜୋନ୍ସ ଓ ଫରାହାନ୍ ଅଖତରଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଫିଲ୍ମ ‘ଦ ସ୍କାଇ ଇଜ୍ ପିଙ୍କ୍’ । ସୋନାଲି ବୋଷଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଦ ସ୍କାଇ ଇଜ୍ ପିଙ୍କ୍’ ସମ୍ପୂର୍ଣ୍ଣ ଭାବେ ପାରିବାରିକ ଏବଂ ବେଶ୍ ଇମୋସନାଲ୍ । ନାଚ ଗୀତର ଧୁମ୍ ଧଡ଼କା ଠାରୁ ଦୂରେଇ ରହିଥିବା ଏକ ଭିନ୍ନ ସ୍ୱାଦର ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ୧୪୯ ମିନିଟ୍ ଅବଧି ବିଶିଷ୍ଠ ଏହି ଫିଲ୍ମର କାହାଣୀ ମୃତ୍ୟୁର କରାଳ ଦୃଶ୍ୟକୁ ଦର୍ଶକଙ୍କ ସାମନାକୁ ଆଣିଛି । ଏହି ଫିଲ୍ମରେ ପିସି ମା’ ଭୂମିକାରେ ପରଦା ଉପରକୁ ଆସିଥିବାବେଳେ ତାଙ୍କର ଝିଅ ଚରିତ୍ରରେ ଅଛନ୍ତି ଜାୟରା ବସିମ୍ । କାହାଣୀ ଅନୁଯାୟୀ ଝିଅଟି ଜନ୍ମ ହେବା ପରଠାରୁ ହିଁ ସିଭିୟର୍ କମ୍ବାଇଣ୍ଡ ଇମ୍ୟୁନୋ ଡେଫିସିଏନ୍ସି ଭଳି ରୋଗରେ ଆକ୍ରାନ୍ତ । ଏଥିପାଇଁ ପରବର୍ତ୍ତି ସମୟରେ ସେ ପଲମୋନରି ଫାଇବ୍ରୋସିନ୍ ଭଳି ଏକ ଫୁସଫୁସ ଜନିତ ରୋଗରେ ପୀଡ଼ିତ ହୋଇଥାନ୍ତି । ଏହାର ଚିକିତ୍ସା ସମ୍ଭବ ନୁହେଁ । ତେଣୁ ବାପା ମା’ ନିଜ ଆଖି ସାମନାରେ ଝିଅର ଏହି କଷ୍ଟକୁ ପ୍ରତିଦିନ ଦେଖନ୍ତି, କିନ୍ତୁ ସେମାନେ ନିରୁପାୟ । ସେମାନେ ଝିଅର ମୃତ୍ୟୁ ତାରିଖ ଜାଣିବା ପରେ ମଧ୍ୟ କିଭଳି ଭାବେ ସେହି ଦୁଃଖକୁ ଲୁଚାଇ ରଖି ଝିଅକୁ ଖୁସି ଦେଇପାରନ୍ତି, ତାହାକୁ ନେଇ କାହାଣୀ ଆଗକୁ ବଢ଼ିଛି ।

ଏଭଳି ଏକ ଇମୋସନାଲ୍ କାହାଣୀରେ ପ୍ରତ୍ୟେକ କଳାକାର ସେମାନଙ୍କର ଅଭିନୟର ପରାକାଷ୍ଠା ପ୍ରମାଣ କରିଛନ୍ତି । ପ୍ରିୟଙ୍କା ଚୋପ୍ରା, ରାନି ସ୍କୁୱାଲା ଓ ସିଦ୍ଧାର୍ଥ ରାୟ କପୁରଙ୍କ ପ୍ରଯୋଜିତ ଏହି ଫିଲ୍ମ ଦର୍ଶକଙ୍କ ସହିତ ଫିଲ୍ମ ସମୀକ୍ଷକଙ୍କୁ ମଧ୍ୟ ଆକୃଷ୍ଟ କରିଛି । ଏହି ଫିଲ୍ମ ପରଠାରୁ ଜାୟରା ଫିଲ୍ମ କରିବେ ନାହିଁ ବୋଲି ବହୁପୂର୍ବରୁ ଘୋଷଣା କରିଥିଲେ । ତେଣୁ ଜାୟରାଙ୍କ ପ୍ରଶଂସକ ଏହାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏହା ବ୍ୟତୀତ ଅନେକ ଦିନ ପରେ ପିସିଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିଥିବାରୁ ସିନେପ୍ରେମୀ ଫିଲ୍ମ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି ବୋଲି କୁହାଯାଉଛି । କାରଣ ଯାହା କିଛି ହେଉ ନା କାହିଁକି ‘ଦ ସ୍କାଇ ଇଜ୍ ପିଙ୍କ’ ବକ୍ସଅଫିସରେ ଆଖିଦୃଶୀୟା ବ୍ୟବସାୟ କରିବ ବୋଲି ଟ୍ରେଡ୍ ଆନାଲିଷ୍ଟମାନେ ଏବେଠାରୁ ଅନେକ ଆକଳନ କରୁଛନ୍ତି ।

Leave a Reply

Your email address will not be published. Required fields are marked *