ଚାନ୍ଦ ଚୋରି…

ହଁ, ଆଜ୍ଞା କିଛି ଦିନ ହେବ ଭାରତୀୟ ରାଜନୀତିକୁ ହଲଚଲ୍ କରିବାରେ ଲାଗିଛି ଏ “ଚାନ୍ଦ ଚୋରି” ପ୍ରସଙ୍ଗ । କାହା ଚାନ୍ଦ, କିଏ ଚୋରି କରିନେଇଛି ! କାହା ଚାନ୍ଦକୁ କିଏ ଚୋରି କରିନେବାକୁ ଚେଷ୍ଟା କରୁଛି ! …ଆମ ଗାଁ ଚାନ୍ଦ, ନା ତମ ଗାଁ ଚାନ୍ଦ, ନା ତାଙ୍କ ଗାଁ ଚାନ୍ଦ !
ଚାନ୍ଦ କହିଲେ ଚନ୍ଦ୍ର ବା ଜହ୍ନ, ଯାହାର ପ୍ରତିଶବ୍ଦ ହେଉଛି ଶଶୀ । ଆଉ ଭାରତୀୟ ରାଜନୀତିରେ ଏବେ ଭାରି ପଡ଼ିଛନ୍ତି ଏହି ଚାନ୍ଦ ବା ଶଶୀ ବା ଶଶୀ ଥରୁର । ଏକଦା କଂଗ୍ରେସ ହାଇକମାଣ୍ଡଙ୍କ ବିରୋଧରେ ସୃଷ୍ଟି ହୋଇଥିବା ଅନୌପଚାରିକ G-23ର ସଦସ୍ୟ ଥିଲେ ଶଶୀ ଥରୁର । G-23 ସଦସ୍ୟଙ୍କ ବିରୋଧରେ କଂଗ୍ରେସ Action ନେଲା, କପିଲ ସିବଲଙ୍କ ଭଳି କିଛି ସଦସ୍ୟ ନିଜ ଆତ୍ମ ସମ୍ମାନକୁ ରକ୍ଷା କରିବାକୁ ଯାଇ କଂଗ୍ରେସ ଛାଡ଼ିଦେଲେ । କିନ୍ତୁ ଶଶୀ ଥରୁର କଂଗ୍ରେସରେ ରହିଗଲେ । କହିବାକୁ ଗଲେ, କପିଲ ସିବଲଙ୍କ ତୁଳନାରେ ଶଶୀ ଥରୁର ହିଁ ନିଜକୁ ଅଧିକ ଉପଯୁକ୍ତ ସାବ୍ୟସ୍ତ କରିଦେଲେ କଂଗ୍ରେସ ପାଇଁ । ଆପଣ ଏହାକୁ ଏକ ପ୍ରକାର କୂଟନୀତି ବୋଲି କହିପାରନ୍ତି । କହିପାରନ୍ତି କଣ, ଏହା ହିଁ ପ୍ରକୃତ କୂଟନୀତି । ଆଉ ଯେଉଁ କୂଟନୀତି, ଏବେ ଭାରତୀୟ ରାଜନୀତିରେ ପ୍ରତିଫଳିତ ହେବାକୁ ଯାଉଛି ବା ଧୀରେ ଧୀରେ ହେବାରେ ଲାଗିଲାଣି ।
ପହଲଗାମ୍ ଆତଙ୍କୀ ହମଲା ପରର Military Operation ଏବଂ ତା ପରର ପଦକ୍ଷେପ ସ୍ବରୂପ ବିଦେଶ ଯିବା ପାଇଁ ଗଠନ ହୋଇଥିବା ସର୍ବଦଳୀୟ କମିଟିର ରୂପରେଖ କଥା କୁହନ୍ତୁ… । ବିଦେଶ ଗସ୍ତ ନିମନ୍ତେ ସର୍ବଦଳୀୟ କମିଟି ପାଇଁ କଂଗ୍ରେସ ତାର ପ୍ରତିନିଧି ପଠାଇବାକୁ,ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପତ୍ର ଲେଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ । ପହଲଗାମ୍ ଆକ୍ରମଣ ଏବଂ ତା ପରେ ପାକିସ୍ତାନ ବିରୋଧରେ ଭାରତ କରିଥିବା Military Operationକୁ ନିସର୍ତ୍ତ ସମର୍ଥନ କରି ଆସିଥିବା କଂଗ୍ରେସ, ଅସ୍ତ୍ରବିରତିକୁ ନେଇ ପ୍ରଶ୍ନ ଉଠାଇଛି ସତ, କିନ୍ତୁ ଭାରତର Operation Sindoorକୁ ନେଇ କିମ୍ବା ଭାରତ ସରକାର ଏବଂ ବିଜେପି ସୃଷ୍ଟି କରିଥିବା Euphoria ବାବଦରେ ପ୍ରଶ୍ନ ଉଠାଇ ନାହିଁ । ଯଦିଓ ଭାରତ-ପାକ୍ ମଧ୍ୟରେ ଅସ୍ତ୍ରବିରତି ନେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରଥମ ଘୋଷଣା ପରେ ପରେ, କଂଗ୍ରେସ, ସର୍ବଦଳୀୟ ବୈଠକ ଏବଂ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡକାଯାଉ ବୋଲି କହି ଚାଲିଛି, କିନ୍ତୁ ତାହା ହେଲା ଭଳି ଲାଗୁନି । କଂଗ୍ରେସ ଏହା ଜାଣିଛି ସତ, କିନ୍ତୁ ଯେତେବେଳେ ପ୍ରସଙ୍ଗ, … ଦେଶ ସୁରକ୍ଷାର, ଦେଶର ସାର୍ବଭୌମତ୍ବ ଏବଂ ସଂହତିର… ଦେଶ ପାଇଁ ବିଦେଶ ନୀତି ଓ କୂଟନୀତିର, … ସେତେବେଳେ କଂଗ୍ରେସ ବିନା ପ୍ରଶ୍ନରେ, କିରେନ ରିଜିଜୁଙ୍କ ପତ୍ର ଆଧାରରେ ୪ ଜଣଙ୍କ ନାମ ସୁପାରିଶ କଲା, ଯେଉଁଥିରେ ନଥିଲା ଶଶୀ ଥରୁରଙ୍କ ନାଁ । କିନ୍ତୁ ସରକାରଙ୍କ ୭ ଜଣିଆ ପ୍ରତିନିଧି ମଣ୍ଡଳୀର ନେତୃତ୍ବ ନେଉଛନ୍ତି ଶଶୀ ଥରୁର ।
ଶଶୀ ଥରୁରଙ୍କ Knowledge, Intelligence … କୂଟନୀତି ଓ ବିଦେଶନୀତି ଉପରେ ଅଭିଜ୍ଞତା… ସର୍ବୋପରି ଉପସ୍ଥିତ ବୁଦ୍ଧି, ବର୍ତ୍ତମାନ ସୁଦ୍ଧା ଭାରତର କୌଣସି ରାଜନେତାଙ୍କ ପାଖରେ ଦେଖିବାକୁ ମିଳିନି । ଜାତିସଂଘର Under General Secretary ଥିବା ଏହି Hi-Fi English କେରଳୀ ବ୍ୟକ୍ତିତ୍ବ ଜଣକ, ଜଣେ Seasoned Diplomat ଠାରୁ କୌଣସି ଗୁଣରେ କମ ନୁହଁନ୍ତି । ତେଣୁ ଏଭଳି ପରିପ୍ରେକ୍ଷୀରେ ବର୍ତ୍ତମାନର ସମସ୍ତ ଭାରତୀୟ ସାଂସଦଙ୍କ ମଧ୍ୟରେ (ଉଭୟ ଲୋକସଭା ଓ ରାଜ୍ୟସଭା) ଶଶୀ ଥରୁର ଯେ ଏକମାତ୍ର ଚାନ୍ଦ, ତାହା କେହି ଅସ୍ବୀକାର କରିବେ ନାହିଁ । ସୂତରାଂ, ଏଭଳି ସ୍ଥିତିରେ, ଶଶୀ ଥରୁର୍ ବିଦେଶକୁ ଯିବା ସର୍ବଦଳୀୟ ଟିମର ନେତୃତ୍ବ ନେବାରେ କିଛି ଭୁଲ ନାହିଁ । ସରକାର ଏମିତି ହିଁ ହେବା କଥା, ଏମିତି ହିଁ ଚାଲିବା କଥା । ଦକ୍ଷ ବ୍ୟକ୍ତିତ୍ବଙ୍କୁ ଉପଯୁକ୍ତ ପଦ, ମର୍ଯ୍ୟାଦା ଏବଂ ଦାୟିତ୍ବ ମିଳିବା କଥା ।
ଶଶୀ ଥରୁରଙ୍କୁ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀର ମୁଖ୍ୟ କରିବାରେ ସରକାରଙ୍କର କିଛି ତ୍ରୁଟି ନାହିଁ । ବରଂ ଏହା ନିଶ୍ଚିତ ଭାବେ ସରକାରଙ୍କର ଏକ ଅତି ସଠିକ ନିଷ୍ପତ୍ତି । କାରଣ ଏହା ହିଁ ସ୍ପଷ୍ଟ କରି ଦେଉଛି, ବିଦେଶ ସେବା ଅଧିକାରୀ ନହୋଇ ମଧ୍ୟ, ମୋଦି ସରକାରର Blue-Eyed Boy ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ଉପରେ ଭାରି ପଡ଼ିଛନ୍ତି Jargon Jaguar ଶଶୀ ଥରୁର । କାରଣ ବିଦେଶ ଯିବାକୁ ଥିବା ୭ ଜଣିଆ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀରେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କ ନାଁ ହିଁ ନାହିଁ । ଏହା କଣ ସୂଚାଉଛି ??? …
ଏକଦା ଚୀନ ବିରୋଧରେ ଭାରତର ସାମରିକ ଦକ୍ଷତାକୁ ନ୍ୟୁନ କରି ସର୍ବସାଧାରଣରେ ମନ୍ତବ୍ୟ ଦେଇଥିବା ଭାରତର ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର, ପହଲଗାମ୍ ଆକ୍ରମଣ କିମ୍ବା ତା ପରର Military Operationକୁ ନେଇ ମୁହଁ ଖୋଲି ନଥିଲେ । କିନ୍ତୁ ପାକ୍ ଆତଙ୍କବାଦୀଙ୍କ ବିରୋଧରେ ଭାରତର ସାମରିକ ଅଭିଯାନ ଆରମ୍ଭ ପୂର୍ବରୁ, ଭାରତ ସରକାର କାଳେ, ପାକିସ୍ତାନ ସରକାରଙ୍କୁ ଆଗୁଆ ସୂଚିତ କରିଥିଲେ, ନିଜେ ବିଦେଶମନ୍ତ୍ରୀ ଏସ୍. ଜୟଶଙ୍କର ତାହା କହିଛନ୍ତି । ତେଣୁ ଏଭଳି ସ୍ଥିତିରେ, ବିଦେଶ ନୀତି ଓ କୂଟନୀତି ଉପରେ ଜୟଶଙ୍କରଙ୍କ ଦଖଲ କେତେ, ତାହା ବୋଧହୁଏ ବୁଝାଇବାର ଆବଶ୍ୟକତା ନାହିଁ । କିନ୍ତୁ ପହଲଗାମ୍ ଆକ୍ରମଣ, ଭାରତର ସାମରିକ ଅଭିଯାନ, ତା’ ପରର ଅସ୍ତ୍ରବିରତି ନେଇ ଶଶୀ ଥରୁର୍ କେବେ ବି ତାଙ୍କ ବୟାନ ଏପଟ-ସେପଟ କରି ନାହାନ୍ତି । କେହି କହିପାରନ୍ତି ସେ Party Lineରୁ ଯାଇ ସରକାରଙ୍କୁ ସମର୍ଥନ କରୁଛନ୍ତି… ଆଗକୁ ତାଙ୍କର ବଡ଼ ଉଦ୍ଦେଶ୍ୟ ରହିଥାଇ ପାରେ… କିନ୍ତୁ ଥରୁର୍ ସାହେବ, ଯେଉଁ ପକ୍ଷ ରଖି ଚାଲିଛନ୍ତି ତାହା ଭାରତର ସ୍ବାର୍ଥରେ… ସମସ୍ତ ଭାରତୀୟଙ୍କ ସ୍ବାର୍ଥରେ…
ଜଣେ ଭଲ Batter ବା Bowler ଯେ, ଭଲ Coach ହୋଇପାରିବ, ସେଥିରେ କିଛି Guarantee ନାହିଁ । ଯାହାର ଜ୍ବଳନ୍ତ ଉଦ୍ଦାହରଣ ହେଉଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନର ପୂର୍ବତନ କୋଚ୍ କିଶୋର ମାଣିଆ । ତେଣୁ ଏଭଳି ସ୍ଥିତିରେ, ବିଦେଶ ସେବା ଅଧିକାରୀ ନହୋଇ, ଜାତିସଂଘର ବିଚାରପତି ଆସନରେ ବସି, ସାରା ବିଶ୍ବର କୂଟନୀତିଜ୍ଞଙ୍କୁ ଅତି ପାଖରୁ ଦେଖିଥିବା ଶଶୀ ଥରୁରଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇବା ଧୃଷ୍ଟତା ବ୍ୟତୀତ ଆଉ କିଛି ନହେଁ । ଖାସ୍ ସେଇଥି ପାଇଁ ବୋଧେ, ତାଲିକାରେ ଥରୁରଙ୍କ ନାଁ ନଦେଇ ମଧ୍ୟ, କଂଗ୍ରେସ ସେହିଭଳି ମାତ୍ରାରେ ବିରୋଧ କରିପାରୁନି । କରି ପାରିବନି ମଧ୍ୟ, କାରଣ- ଶଶୀ ଥରୁର କଂଗ୍ରେସ ନେତା, ଯାହା ସେ କହି ସାରିଛନ୍ତି । ଦେଶର ସୁରକ୍ଷା, ଦେଶର ବିଦେଶ ନୀତି, ଦେଶର କୂଟନୀତି ଏବଂ ସର୍ବୋପରି ଦେଶର ଓ ଦେଶବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେ Party Lineରୁ ଓହରି ଏଯାଏ ବୟାନ ଦେଇ ନାହାନ୍ତି । ଠିକ ସେହିଭଳି କଂଗ୍ରେସ ମଧ୍ୟ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀରେ ଥରୁରଙ୍କ ନେତୃତ୍ବକୁ ଖୋଲାଖୋଲି ବିରୋଧ କରିପାରିବ ନାହିଁ ।
ହେଲେ ସେ ଶଶୀ ଥରୁର । ଥରିବା ବା କିମ୍ବା ଥରହର ହେବା ଲୋକ ନୁହଁନ୍ତି । ବରଂ ନିଜର Knowledge ଏବଂ Intelligence ବଳରେ ଅନ୍ୟକୁ ଥରାଇଦେବା ଭଳି, ଥରହର କରିଦେବା ଭଳି ଦମ୍ ରଖନ୍ତି ।
ବିଦେଶ ଯିବାକୁ ଥିବା ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀରେ ଥରୁରଙ୍କ ନେତୃତ୍ବ କିମ୍ବା ଦକ୍ଷତାକୁ ନେଇ କେହି ବି ପ୍ରଶ୍ନ ଉଠାଇ ପାରିବେ ନାହିଁ ।
ଯେ କୌଣସି ସଭାରେ, ବିଦେଶ ପ୍ରସଙ୍ଗ ଉପରେ, ଏସ୍. ଜୟଶଙ୍କରଙ୍କ ମନ୍ତବ୍ୟ ଏବଂ ଉତ୍ତରକୁ ନେଇ ଏକଦା ପ୍ରଶ୍ନ ଉଠାଇଥିଲେ ଶଶୀ ଥରୁର । ତାଙ୍କ ପ୍ରଶ୍ନ ଥିଲା ଏମିତି- କ’ଣ ବିଦେଶ ମନ୍ତ୍ରୀ, ସବୁଠି, ସମସ୍ତଙ୍କ, ସବୁ ପ୍ରଶ୍ନର ଉତ୍ତର ଦେବାର ଆବଶ୍ୟକତା ରହିଛି କି ! ସରକାରଙ୍କ Blue-eyed Seasoned Diplomat ଜୟଶଙ୍କର ନା, ଶଶୀଙ୍କ ମନ୍ତବ୍ୟ ଉପରେ କିଛି କହିବାକୁ ସାହସ କରିଥିଲେ ନା ମୋଦି ସରକାରଙ୍କ ତରଫରୁ ଥରୁରଙ୍କୁ ସେତେବେଳେ କେହିଁ କାଉଣ୍ଟର କରିଥିଲେ ?
ଦେଶର ସ୍ବାର୍ଥକୁ ନେଇ ଜୟଶଙ୍କରଙ୍କୁ ଏକ ପ୍ରକାର ପରୋକ୍ଷ ତାଗିଦ କରିଥିଲେ ଥରୁର । କିନ୍ତୁ ତାଙ୍କ ସ୍ତ୍ରୀ ସୁନନ୍ଦା ପୁଷ୍କରଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପ୍ରତି କରିଥିବା, ନିହାତି ବ୍ୟକ୍ତିଗତ ଆକ୍ଷେପ ଏବଂ ଅଗ୍ରହଣୀୟ, “୫୦ କୋଟି ଟଙ୍କିଆ Girl Friend” ପ୍ରସଙ୍ଗରେ ମୁହଁ ଖୋଲି ନଥିଲେ… ସତରେ, ଏହା ହିଁ Diplomacy.
କିଛି ଦିନ ତଳେ କେରଳର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ମଞ୍ଚରେ ଥିଲେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । କଂଗ୍ରେସ ସାଂସଦ ଶଶୀ ଥରୁର ବି ସେଠାରେ ଥିଲେ । କିନ୍ତୁ ଥରୁରଙ୍କୁ ନେଇ, ବିରୋଧୀ କଂଗ୍ରେସ ପ୍ରତି ମୋଦିଙ୍କ ‘କିରକିର୍’ ମନ୍ତବ୍ୟ, ବେଶ ଚର୍ଚ୍ଚାକୁ ଆସିଥିଲା । ଆଉ ଏସବୁ ହେଉଛି ତା ପରର ଗୋଟେ ଗୋଟେ Development.
ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଚାହିଁଥିଲେ Off the record , ଶଶୀ ଥରୁରଙ୍କ ନାଁ ତାଲିକାରେ ରଖିବାକୁ କଂଗ୍ରେସକୁ ଅନୁରୋଧ କରି ପାରିଥାନ୍ତେ । ଆଉ ଏହା ନିଶ୍ଚିତ ଯେ, କଂଗ୍ରେସ ତାହା କେବେ ବି ଏଡ଼ାଇ ପାରି ନଥାନ୍ତା । ଆଉ ଯଦି ଏଡ଼ାଇ ଥାନ୍ତା, ତେବେ ଭଲ ରକମ Expose ହୋଇଥାନ୍ତା । ଏବେ ଯେମିତି ଚୁପ୍ ରହିଛି, ସେତେବେଳେ ସେମିତି ଚୁପଚାପ୍ ତାଲିକାରେ ଥରୁରଙ୍କ ନାଁ ରଖିବାକୁ ବାଧ୍ୟ ହୋଇଥାନ୍ତା । ତେଣୁ ଏ ଦୃଷ୍ଟିରୁ ଦେଖିଲେ କେନ୍ଦ୍ରର ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ଦେଶ ଭିତରର ରାଜନୈତିକ Diplomacyରେ ସମ୍ପୂର୍ଣ୍ଣ ଫେଲ୍ ହୋଇଛନ୍ତି । ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀର ନେତୃତ୍ବ ନେଉଥିବା ଶଶୀ ଥରୁର କିନ୍ତୁ ଭାରତ କିମ୍ବା ଭାରତ ସରକାରଙ୍କୁ ବିଦେଶରେ ଫେଲ୍ ହେବାକୁ ଦେଲା ଭଳି ଲାଗୁନି ।
ଏଭଳି ସ୍ଥିତିରେ ପ୍ରଶ୍ନ ଉଠିବା ସ୍ବାଭାବିକ… ଶଶୀ ଥରୁରଙ୍କୁ ମିଳିବ କଣ ? କଣ ହୋଇପାରେ ତାଙ୍କ ପାଉଣା ? ଏସ. ଜୟଙ୍କରଙ୍କୁ Exit ଦ୍ବାର ଦେଖାଇ, ସରକାରୀ Corriderରେ In କରି ଯିବେନି ତ ଥରୁର୍ ! କଂଗ୍ରେସକୁ ଅଲବିଦା କରି ପଦ୍ମ ପୋଖରୀକୁ ଡେଇଁ ପଡ଼ିବେନି ତ ! ରାଜୀବ ଚନ୍ଦ୍ରଶେଖରଙ୍କୁ ନେଇ କେରଳ ରାଜନୀତିରେ ବିଫଳ ହୋଇଥିବା ବିଜେପି, ଥରୁରଙ୍କ ସହାୟତାରେ, କେରଳର LDF-UDF ରାଜନୀତିକୁ ଧୂଳିସାତ କରିଦେବନି ତ ! ଦେଶର ଅନ୍ୟ ରାଜ୍ୟ ଅପେକ୍ଷା, କେରଳରେ RSSର କାର୍ଯ୍ୟକଳାପ ଅଧିକ, କିନ୍ତୁ ବିଜେପି ପାଇଁ ସଫଳତା ଶୂନ । ଏଭଳି ସ୍ଥିତିରେ ଥରୁରଙ୍କ ଜରିଆରେ ଯଦି ବିଜେପି, କେରଳରେ ତା ନିଜ ରେଳ ଚଳାଇ ଦେଲା, ତେବେ ସେଭଳି ସ୍ଥିତିରେ କୁଳଗୁରୁ RSS ଉପରେ BJP ଭାରି ପଡ଼ବିନି ତ !
ଏଠି ଆଉ ଗୋଟେ ପ୍ରଶ୍ନ ଉଠୁଛି । ବୋଧହୁଏ ପହଲଗାମ୍ ଆକ୍ରମଣ ଏବଂ ତା ପରର Development ନେଇ ନିଜ ସରକାର ଓ ନିଜ ଦଳର ସଦସ୍ୟଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭରସା ନାହିଁ ! ଯେଉଁଥି ପାଇଁ କଂଗ୍ରେସ ସାଂସଦ ଥରୁରଙ୍କୁ ସେ ସାହାରା କରିଛନ୍ତି ! କିନ୍ତୁ ଥରୁରଙ୍କୁ ବାନ୍ଧି ରଖିପାରିବେ ତ ! …
ଦିନ ଥିଲା, ବିଜେପିକୁ ନେଇ ଗର୍ବ କରୁଥିଲେ ସୁବ୍ରମଣ୍ୟମ ସ୍ବାମୀ… ଆଉ ବିଜେପି ମଧ୍ୟ ତାଙ୍କୁ ନେଇ କିଛି କମ ଗର୍ବ କରୁ ନଥିଲା । କିନ୍ତୁ ଏବେ ସୁବ୍ରମଣ୍ୟମ ସ୍ବାମୀ, ମୋଦି ସରକାରଙ୍କ ସମସ୍ତ ପ୍ରକାର ନୀତିକୁ ଖୋଲାଖୋଲି ସମାଲୋଚନା କରୁଛନ୍ତି । ଏପରିକି ନରେନ୍ଦ୍ର ମୋଦିଙ୍କୁ ସେ ପ୍ରଧାନମନ୍ତ୍ରୀ ବୋଲି ମଧ୍ୟ ସମ୍ବୋଧନ କରିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି । ଏହାର ଏକମାତ୍ର କାରଣ ହେଉଛି-Highly brilliant, knowledgeable ଏବଂ Intelligent ଲୋକଙ୍କୁ ବାନ୍ଧି ରଖିବା ମୁସ୍କିଲ । ସବୁ କ୍ଷେତ୍ରରେ ସ୍ବାମୀଙ୍କର ଯାହା ଦଖଲ ରହିଛି, ଥରୁରଙ୍କର ବି ତାଙ୍କଠାରୁ କିଛି କମ ନାହିଁ । ପୁଣି ଦେଖିବାକୁ ଗଲେ, ସ୍ବାମୀଙ୍କଠାରୁ ଥରୁର ଯଥେଷ୍ଟ ଶକ୍ତିଶାଳୀ ମଧ୍ୟ । କାରଣ, ସ୍ବାମୀ, Straight Forward, କିନ୍ତୁ ଥରୁର୍ Diplomatically Extreme Forward ।
Sky has no limit, in the same way, Knowledge and Intelligence have no limits… ତେଣୁ ଏଭଳି ସ୍ଥିତିରେ ଶଶୀ ଥରୁର୍, କାହା ଆକାଶର ଚାନ୍ଦ ନା, ସେ ନିଜେ ଗୋଟେ ଚନ୍ଦ୍ରମା, ତାହା କେବଳ ସମୟ ହିଁ କହିବ ।…

Leave a Reply

Your email address will not be published. Required fields are marked *