ଘର ସଜାଡ଼ିବ କଂଗ୍ରେସ! ତେଜୁଛି ଅନ୍ତଃସ୍ଵର

ନୂଆଦିଲ୍ଲୀ(ଓଟି): ଘର ସଜାଡ଼ିବାକୁ କଂଗ୍ରେସ ଉଦ୍ୟମ କରୁଛି। ବାରମ୍ବାର ନିର୍ବାଚନରେ ପରାଜୟ ପରେ ଦଳୀୟ ଅସନ୍ତୋଷ ତେଜୁଥିବାବେଳେ ଦଳକୁ ସମ୍ଭାଳିବା ପାଇଁ ନୂଆ ମୁଖିଆ ଖୋଜା ଚାଲିଥିବା ଜଣାପଡ଼ିଛି। ଏଭଳି ସନ୍ଧିକ୍ଷଣରେ କଂଗ୍ରେସର ସଭାପତି ନିର୍ବାଚନ ପାଇଁ ସମସ୍ୟା ରହିଥିବା ସ୍ପଷ୍ଟ ଅନୁମାନ କରାଯାଉଛି। ଗତ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ଦଳର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଫଳରେ ସୋନିଆଙ୍କୁ ହିଁ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଅର୍ପଣ କରାଯାଇଥିଲା। ତେବେ ଦଳର ସାଂଗଠନିକ ନିର୍ବାଚନ ସରିଲାଣି କିନ୍ତୁ ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ଚର୍ଚ୍ଚା ଚାଲିଛି। ଇତିମଧ୍ୟରେ ଦିଲ୍ଲୀ ନିର୍ବାଚନରେ ପୁଣି କଂଗ୍ରେସର ଖାତା ଖୋଲିନପାରିବାକୁ ନେଇ ଦଳରେ ଅସନ୍ତୋଷ ତେଜିଥିବାବେଳେ କିଏ ହେବ ମୁଖିଆ ସେନେଇ ଚିନ୍ତା ଚାଲିଛି। ଦଳର ବରିଷ୍ଠ ନେତାମାନେ ଭିନ୍ନ ଭିନ୍ନ ମତ ଦେଉଥିବାବେଳେ କିଏ ସୋନିଆ ତ କିଏ ରାହୁଲଙ୍କୁ ଦଳର ମୁଖ୍ୟ ଭାବେ ଚାହୁଛନ୍ତି। ସେହିପରି ପ୍ରିୟଙ୍କାଙ୍କ ସପକ୍ଷରେ ମଧ୍ୟ ଅନେକ ପ୍ରସ୍ତାବ ରହିଥିବା ଆଲୋଚନା ହେଉଛି।

ରାହୁଲଙ୍କୁ ପୁଣିଥରେ ସଭାପତି କରିବାକୁ ନେଇ ଦାବି ଉଠୁଥିବାବେଳେ ଦଳକୁ ପ୍ରଥମେ ଦୃଢ଼ କରିବାକୁ ହେଲେ ନେତୃତ୍ଵର ନିର୍ବାଚନ କରିବାକୁ ପଡ଼ିବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଶଶୀ ଥରୁର କଂଗ୍ରେସର କାର୍ଯ୍ୟକାରିଣୀକୁ କହିଛନ୍ତି । ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିରପ୍ପା ମୋଇଲି ମଧ୍ୟ ଦଳର ସ୍ଥିତି ନେଇ ଏକ ଚିନ୍ତନ ବୈଠକ ପାଇଁ ପ୍ରସ୍ତାବ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟରୁ ସୋନିଆ ଗାନ୍ଧି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଅଛନ୍ତି। ତା ପୂର୍ବରୁ ୨୦ମାସ ରାହୁଲ କଂଗ୍ରେସର ସଭାପତି ରହିଥିଲେ। ତେବେ ସାଧାରଣ ନିର୍ବାଚନରେ ପରାଜୟ ପରେ ରାହୁଲ ପଦରୁ ଇସ୍ତଫା ଦେଇଥିଲେ।

Leave a Reply

Your email address will not be published. Required fields are marked *