ଆଜି ଉତ୍କଳ ଦିବସ: ଓଡ଼ିଆ ଭାଷାର ‘ନବୀନ’ କରଣ ଉପରେ ଏକ ନଜର

କଳାକଳେବର କହ୍ନାଇ ସଙ୍ଗେ ରୋହଣୀ ସୂତ,
କରନ୍ତି ମଥୁରା ବିଜୟ ଦାଣ୍ଡେ ଦେଖ ସଙ୍ଗାତ।
ଖସିପଡ଼ୁଛି କି ଆକାଶୁ କି ହେ ଗଙ୍ଗାଜମୁନା,
ଖୀର ସଙ୍ଗେ ପ୍ରାଣ ଶେଷିଲେ ନାଶ ଗଲା ପୂତନା।

କବି ଭକ୍ତଚରଣ ଦାସଙ୍କ ଦ୍ୱାରା ରଚନା ହୋଇଥିବା ଏହି ଚଉତିସା ଦିନେ ଘରେ ଘରେ ବେଶ‍୍‌ ପରିଚିତ ଥିଲା। ପ୍ରାୟ ସବୁରି ତୁଣ୍ଡରେ ଏହି ଗୀତଟି ଯେମିତି ସ୍ୱର ସହ ସ୍ୱତଃ ବାହାରି ଆସୁଥିଲା। ୧୯୭୮ ମସିହାରେ ଏହି ଗୀତଟି ପ୍ରଣବ ପଟ୍ଟନାୟକ ସୂର ତାଳରେ ଗାଇଲେ। ରେଡିଓରେ ଯେତେବେଳେ ଏହା ପରିବେଷିତ ହେଉଥିଲା, ଲାଗୁଥିଲା ଯେମିତି ରେଡିଓ ଶୁଣୁଥିବା ସବୁ ଲୋକ ଏକ ସାଙ୍ଗେ ଏହି ଚଉତିସାକୁ ଗାଉଥିଲେ।

ଏହି ଗୀତକୁ ଏଠାରେ ଉଲ୍ଲେଖ କରିବାର କାରଣ ହେଉଛି ଏହା ଓଡ଼ିଆ ବର୍ଣ୍ଣମାଳାର ପ୍ରତିଟି ଅକ୍ଷରକୁ ନେଇ ଲିଖିତ ଏକ ଚଉତିସା; ଆଉ ସମସ୍ତଙ୍କ ମୁହଁରେ କାଳ କାଳଧରି ଏହା ଶୋଭା ପାଉଥିଲା। ହେଲେ ଆଜି ଯେମିତି ସେସବୁ ହଜିଲାପରି ମନେ ହୁଏ। ଲୋକେ ବର୍ଣ୍ଣମାଳାର ଏହି ଅକ୍ଷର ସଂଯାଜନା ଅପେକ୍ଷା ଇଂରାଜୀ ଓ ହିନ୍ଦୀ ଷ୍ଟାଇଲ‍୍‌ରେ କଥା କହିବାକୁ ଅଧିକ ପସନ୍ଦ କରନ୍ତି । ଏହି ପ୍ରକାର କଥାକୁ କେହି କେହି ‘ନବୀନ’ ଓଡ଼ିଆ ବୋଲି ମଧ୍ୟ କହନ୍ତି। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗଲା ୧୭ ବର୍ଷ ଭିତରେ ଏପରି ଓଡ଼ିଆର ବିଶେଷ ପ୍ରଚାର ହୋଇଛି। ତେବେ କେମିତି ଆସିଲା ଏ ପରମ୍ପରା, କିଏ ତାଙ୍କୁ ଏହା ଶିଖାଇଲା ନା ସେ ମନକୁ ମନ ଏ ନୂଆ କୌଶଳଟିର ଉଦ୍ଭାବନ କଲେ? ସ୍ୱତନ୍ତ୍ର ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନର ୮୧ ବର୍ଷ ପୂର୍ତ୍ତି ଅବସରରେ ଉପସ୍ଥାପନ କରୁଛୁ ‘ନବୀନ ଓଡ଼ିଆ’ ସୃଷ୍ଟିର ସେହି କାହାଣୀକୁ।

୧୭ଏପ୍ରିଲ‍୍‌ ୧୯୯୭ରେ ଓଡ଼ିଶାର ଜଣେ ମହାନ ଜନନେତା ବିଜୁ ପଟ୍ଟନାୟକଙ୍କ ପରଲୋକ ହେଲା। ପ୍ରଥମଥର ପାଇଁ ଓଡ଼ିଶା ତା’ର ନିଜର କାହାକୁ ହରାଇଲା ପରେ ମନେହେଲା ଯେତେବେଳେ, ସହସ୍ର ଜନତା ଶବ ଶୋଭାଯାତ୍ରାରେ ଏକାଠି ହେଲେ ପୁରୀଯାଏଁ। ତାହା ଯିଏ ଦେଖିଛି ସିଏ ଆଉ କେବେ ପୂର୍ବରୁ ଦେଖିନଥିବ ବା ଏଯାଏଁ ଦେଖିନାହିଁ ବୋଲି ଛାତିରେ ହାତ ଥୋଇ କହିବ ନିଶ୍ଚୟ। ସେହି ହସ୍ତିଙ୍କ ବିୟୋଗ ପରେ କିଛିଦିନ ଓଡ଼ିଶା ରାଜନୀତି ନୀରବ ହୋଇଗଲା। ନେତା ନଥିଲେ ତା’ ନୁହେଁ କିନ୍ତୁ ବିଜୁଙ୍କ ଦାୟାଦ କିଏ ହେବ ତାହାକୁ ନେଇ କେହି ନିଜକୁ ସ୍ଥିର କରିପାରିଲେ ନାହିଁ। ଏକାଠି ହୋଇ କିଛି ଜନତା ଦଳ ନେତା ବିଜୁ ବାବୁଙ୍କ ସାନ ପୁଅ ନବୀନ ପଟ୍ଟନାୟକଙ୍କୁ ମଙ୍ଗ ଧରିବାକୁ ଅନୁରୋଧ କଲେ। ଆମେରିକାରେ ରହୁଥିବା ନବୀନ କେବେ ଓଡ଼ିଶା, ଓଡ଼ିଆ ବା ରାଜନୀତି ସମ୍ୱନ୍ଧରେ ରୁଚି ରଖି ନଥିଲେ। ବିଜୁବାବୁ ମଧ୍ୟ ତାଙ୍କ ପରିବାରକୁ କେବେ ଓଡ଼ିଶା ରାଜନୀତିରେ ପ୍ରବେଶ ପାଇଁ ସୁଯୋଗ ଦେଇନଥିଲେ।
… ତାହାହିଁ ହେଲା। ନବୀନ ଓଡ଼ିଶା ଆସିଲେ। ବୋଧହୁଏ ପୂର୍ବରୁ କେବେ ଆସ୍କା ଦେଖି ନଥିଲେ। କିନ୍ତୁ ଲୋକଙ୍କ ସଦିଚ୍ଛାରୁ ସାଂସଦ ହେଲେ। କେନ୍ଦ୍ରମନ୍ତ୍ରୀ ହେଲେ। ପରେ ବିଜୁ ଜନତାଦଳ ଗଠନ ହେଲା। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ହେମାନନ୍ଦ ବିଶ୍ୱାଳଙ୍କଠୁ ସେ ଦାୟିତ୍ୱ ନେଲେ। ଏହା ମାର୍ଚ୍ଚ ୫, ୨୦୦୦ ମସିହା କଥା।
ଶାସନର କିଛି ଦିନ ପରେ ଉତ୍କଳ ଦିବସ ଆସିଲା। ଏହାଙ୍କ ପୂର୍ବରୁ ସମସ୍ତ ମୁଖ୍ୟମନ୍ତ୍ରୀ ଉତ୍କଳ ଦିବସ ବାର୍ତ୍ତାକୁ ଓଡ଼ିଆରେ ଦିଅନ୍ତି। ବାର୍ତ୍ତା ତଳେ ଓଡ଼ିଆ ଅକ୍ଷରରେ ତାଙ୍କ ଦସ୍ତଖତ କରାଯାଇଥାଏ। ହେଲେ ନବୀନ ବାବୁ ଓଡ଼ିଆ ଲିପି ଜାଣନ୍ତି ନାହିଁ। ନୂଆ ନୂଆ ମୁଖ୍ୟମନ୍ତ୍ରୀଙ୍କ ଜନସମ୍ପର୍କ ଦାୟିତ୍ୱ ନେଇଥାଆନ୍ତି ଏବେକାର ସୂଚନା ଓ ଲୋକସମ୍ପର୍କ ବିଭାଗର ଅନ୍ୟତମ ନିର୍ଦେଶକ ନିରଞ୍ଜନ ସେଠୀ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀଭାବେ ସେ ପୂର୍ବରୁ କାର୍ଯ୍ୟ କରୁଥିଲେ। ଅର୍ଥାତ୍ ଅଣଓଡ଼ିଆ ରାଜନେତାଙ୍କ ସହ ଓଡ଼ିଶାରେ କାମ କରିବାର ସୁଯୋଗ ତାଙ୍କୁ ଆଗରୁ ମିଳିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଓଡ଼ିଆରେ ଦସ୍ତଖତ ପାଇଁ। ହେଲେ ଶିଖାଯିବ କେମିତି?
ଶ୍ରୀ ସେଠୀ ନେିଜେ ଏକ କାଗଜରେ ତାଙ୍କ ନାଁକୁ ଲେଖି ଶ୍ରୀ ପଟ୍ଟନାୟକଙ୍କୁ ଦେଲେ। ସେତେବେଳେ ତାଙ୍କର ଓଡ଼ିଶା ପ୍ରତି ଦୁର୍ବଳତା ବଢ଼ୁଥାଏ। ଜଣେ ଚିତ୍ରକର ଭାବେ ତାଙ୍କର ପୂର୍ବରୁ ରୁଚିବି ଥିଲା। ଏଣୁ ନିରଞ୍ଜନଙ୍କ ଓଡ଼ିଆ ଅକ୍ଷରଗୁଡ଼ିକୁ ସେ ଚିତ୍ର ଭାବେ ଗ୍ରହଣ କରି ସାଦା କାଗଜରେ ଆଙ୍କିଦେଲେ। ଆଉ ତାହା ପରେ ସ୍କାନ‍୍‌ ହୋଇ ବିଭିନ୍ନ ଖବରକାଗଜକୁ ପଠାଗଲା ଉତ୍କଳ ଦିବସର ବାର୍ତ୍ତା ସହ। ଅର୍ଥାତ୍ ଉତ୍କଳ ଦିବସରେ ଓଡ଼ିଆର ମର୍ଯ୍ୟାଦା ରକ୍ଷା ହୋଇପାରିଲା। ଯଦି ମୁଖ୍ୟମନ୍ତ୍ରୀ ଚାହିଁ ନଥାଆନ୍ତେ ତାଙ୍କୁ ଏଥିପାଇଁ କେହି ବାଧ୍ୟ କରି ପାରି ନଥାଆନ୍ତା, କିନ୍ତୁ ସେ ଏପରି ଅଘଟଣ ହେବାକୁ ଦେଲେ ନାହିଁ। ଏହା ହିଁ ଥିଲା ଗୁରୁତ୍ୱପୂର୍ଣ୍ଣ। ଏହାପରେ କିଛି ଛୋଟ ଛୋଟ ବାକ୍ୟକୁ ଇଂରାଜୀରେ ଲେଖି ଲୋକଙ୍କ ଆଗରେ ଭାଷଣ ଦେବାର ପରମ୍ପରା ଆରମ୍ଭ ହେଲା।

ଏମିତି କିଛିଦିନ ପରେ ଦିବଙ୍ଗତ ପ୍ରଶାସକ ପ୍ୟାରୀମୋହନ ମହାପାତ୍ର ଆସିଲେ ମୁଖ୍ୟମନ୍ତ୍ରୀଙ୍କ ରାଜନୀତିକ, ପ୍ରଶାସନିକ ମେଣ୍ଟର‍୍‌ ( ଗୁରୁ/ପରାମର୍ଶଦାତା) ଭାବେ। ତାଙ୍କର ବି ଦକ୍ଷତା କିଛି କମ‍୍‌ ନୁହେଁ। ବିରୋଧୀ ଯେଉଁ ଯୁକ୍ତି ବାଢ଼ୁଥିଲେ ତାହାକୁ ଲଗାମ ଦେବା ଲାଗି ପ୍ୟାରୀବାବୁ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଶିଖିବାକୁ ପରାମର୍ଶ ଦେଲେ। ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବରେ ହଁ ବା ନାଁ କହିଥିଲେ ତାହା ଜଣାନାହିଁ କିନ୍ତୁ ପ୍ରଫେସର ରାଜକିଶୋର ମିଶ୍ରଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଗଲା। ପ୍ରଫେସର ମିଶ୍ର ଜଣେ ଜ୍ଞାନୀଗୁଣି ବ୍ୟକ୍ତିତ୍ୱ। ବିଜେବି କଲେଜରେ ଇଂରାଜୀ ବିଭାଗର ପ୍ରାଧ୍ୟାପକ ଭାବେ ସେ କାର୍ଯ୍ୟ କରୁଥିଲେ। ପରେ ତାଙ୍କୁ “ଓଡ଼ିଶା ରିଭ୍ୟୁ’ ଓ “ଉତ୍କଳ ପ୍ରସଙ୍ଗ’ର ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିଲା। ଅନେକ ପ୍ରଚେଷ୍ଟା ସେ କଲେ। ଜଣେ ଅଣ ଓଡ଼ିଆକୁ ଓଡ଼ିଆ କେମିତି କୁହାଯିବ ସେଥିପାଇଁ ଚେଷ୍ଟା ଆରମ୍ଭ ହେଲା। ୧୦୦ ପୃଷ୍ଠାର ଏକ ପାଣ୍ଡୁଲିପି ଏଥିପାଇଁ ଶ୍ରୀ ମିଶ୍ର ପ୍ରସ୍ତୁତ କଲେ ଅଢ଼େଇ ବର୍ଷ କାଳ ତାଙ୍କୁ ଶିକ୍ଷାଦାନ କଲେ। ହେଲେ ଓଡ଼ିଆ ଅକ୍ଷରକୁ ଶିଖିବା ନବୀନଙ୍କ ପକ୍ଷେ ସମ୍ଭବ ହେଲା ନାହିଁ। ଏଣୁ ଶ୍ରୀ ମିଶ୍ର ଆରମ୍ଭ କଲେ ଇଂରାଜୀ ଲିପିରେ ଓଡ଼ିଆ ପଢ଼ାଇବା ଓ ପଢ଼ିବାର ପରମ୍ପରା। ବୋଧହୁଏ ଏହା ଓଡ଼ିଶାରେ ଆଉ କେବେ ହୋଇ ନଥିଲା। ଆମ ଭାଷାରେ ବ୍ୟବହୃତ ଶବ୍ଦଗୁଡ଼ିକୁ ଠିକଣା ଭାବେ ପଢ଼ିବା ପାଇଁ ସେ ଇଂରାଜୀ ଅକ୍ଷରକୁ ଏପରି ସଜାଇଲେ ଯେ, ତାଙ୍କୁ ଓଡ଼ିଆରେ ଭାଷଣ ଦେବା ସହଜ ହୋଇପାରିଲା। ଲୋକେ ତାକୁ ଗ୍ରହଣ କରିନେଲେ। ସୂଚନା ଅଧିକାରୀମାନେ ଯାହା ଲେଖିଲେ ତାହାକୁ ସେ ପଢ଼ିଦେଲେ। ତାହାର ଅର୍ଥ କ’ଣ ତାଙ୍କୁ ଜଣାଥିଲା ବା ନଥିଲା ତାହା କହିବା ସମ୍ଭବପର ନୁହେଁ।
କିନ୍ତୁ ପ୍ରଫେସର ମିଶ୍ରଙ୍କ କହିବା ଅନୁସାରେ ସେ ଓଡ଼ିଆ ଭାଷା ବୁଝୁଥିଲେ। କିନ୍ତୁ କହିବା ପାଇଁ ସାହସ କରିପାରୁ ନଥିଲେ। ଫଳରେ ଇଂରାଜୀ ଅକ୍ଷରର ସହାୟତା ନେବାକୁ ବାଧ୍ୟ ହେଉଥିଲେ। ହେଲେ କାହିଁକି ସେ ଶିଖିପାରିଲେ ନାହିଁ ତା’ର ଉତ୍ତରରେ ଶ୍ରୀ ମିଶ୍ର କହନ୍ତି “ବୋଧହୁଏ ତାଙ୍କ ପାଇଁ ମୁଁ ଉପଯୁକ୍ତ ଶିକ୍ଷକ ନଥିଲି। ଏହାବାଦ ତାଙ୍କ କାର୍ଯ୍ୟଭାର ତାଙ୍କୁ ଏଥିଲାଗି ସମୟ ଦେଉ ନଥାଇପାରେ’।
ଯାହା ହେଲେ ବି ଏହି ୧୭ ବର୍ଷ ଭିତରେ ଏକ ନୂଆ ପରମ୍ପରା ସୃଷ୍ଟି ହେଲା। ଓଡ଼ିଶାକୁ ଯିଏ ଅଣ ଓଡ଼ିଆ ଆସିଲେ ସେ ଏହି ପ୍ରକ୍ରିୟାକୁ ଓଡ଼ିଆ କହିବା ପାଇଁ ବ୍ୟବହାର କଲେ। ଅର୍ଥାତ୍ ଏକ “ନବୀନ ଓଡ଼ିଆ’ ଆରମ୍ଭ ହେଲା। ଏହି ଶୈଳୀ ଆମ ଭାଷା ପାଇଁ ଏକ ଛଳନା ହୋଇପାରେ। କିନ୍ତୁ ଦିନକୁ ଦିନ ଏହାର ବହୁଳ ବ୍ୟହାର ଯେ ହେଉଛି ତାହାକୁ କେହି ଅସ୍ୱୀକାର କରିବେ ନାହିଁ।
(ପ୍ରସ୍ତୁତି: ଓଡ଼ିଶାଟାଇମ‍୍‌ଡଟ‍୍‌କମ‍୍‌ ବ୍ୟୁରୋ, ପୂର୍ବରୁ ପ୍ରକାଶିତ)

 

Leave a Reply

Your email address will not be published.