୨୦ରେ ହିଁ ‘ନିର୍ଭୟା’ ଦୋଷୀଙ୍କୁ ଫାଶୀ

ନୂଆଦିଲ୍ଲୀ (ଓଟି): ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ୪ର୍ଥ ଥର ଘୋଷଣା ହୋଇଛି। ଦିଲ୍ଲୀର ପଟିଆଲା କୋର୍ଟ ସାନି ୱାରେଣ୍ଟ୍‌ ଜାରି କରିଥିବାବେଳେ ଆସନ୍ତା ୨୦ରେ ଫାଶୀ ଦେବାକୁ ତାରିଖ ଧାର୍ଯ୍ୟ ହୋଇଛି। କିନ୍ତୁ ଆଇନର ଗଳାବାଟ ଦେଖି ପୁଣି ଏଥିରୁ ବର୍ତ୍ତିବାକୁ ଦୋଷୀମାନଙ୍କ ଉଦ୍ୟମ ଆରମ୍ଭ କରିବା ଫଳରେ ଚତୁର୍ଥ ଥର ପାଇଁ ଡେଥ୍‌ ୱାରେଣ୍ଟ୍‌ ଘୁଞ୍ଚିବାର ଆଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ ଆସନ୍ତା ୨୦ରେ ହିଁ ୪ ଦୋଷୀଙ୍କୁ ଫାଶୀ ହେବାନେଇ ଅପରିବର୍ତ୍ତନୀୟ ଓ ଅନ୍ତିମ ତାରିଖକୁ ବଜାୟ ରଖିଛନ୍ତି ଦିଲ୍ଲୀ କୋର୍ଟ।

ସୂଚନା ଅନୁସାରେ ‘ନିର୍ଭୟା’ ମାମଲାର ଅନ୍ୟତମ ଦୋଷୀ ମୁକେଶ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ପ୍ରାର୍ଥନା ପାଇଁ ଅନୁମତି ମାଗିଥିଲା। ତାର ଏହି ଆବେଦନ ଗ୍ରହଣ କରାଗଲେ ଫାଶୀ ତାରିଖ ପୁଣି ଘୁଞ୍ଚିବା ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ସମ୍ପୃକ୍ତ ୪ ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୨୦ ତାରିଖ ସକାଳ ସାଢ଼େ ୫ଟାରେ ଫାଶୀ ଦିଆଯିବ ବୋଲି କୋର୍ଟ ୱାରେଣ୍ଟ ଜାରି କରିଥିବାବେଳେ ଆଜି ତାହା ଅପରିବର୍ତ୍ତନୀୟ ରହିଛି ଏବଂ ଅନ୍ତିମ ତାରିଖ ବୋଲି କୁହାଯାଉଛି। ଏହା ପୂର୍ବରୁ ଏଭଳି ୩ ଥର ଡେଥ ୱାରେଣ୍ଟ ଜାରି ହୋଇଥିଲେ ମଧ୍ୟ ବାତିଲ ହୋଇଯାଇଥିଲା । ମାର୍ଚ୍ଚ ୩ରେ ଡେଥ ୱାରେଣ୍ଟ ଜାରି ହୋଇଥିବାବେଳେ ଦୋଷୀ ପୱନ ଗୁପ୍ତା ସୁପ୍ରିମକୋର୍ଟରେ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲା। ତେବେ କୋର୍ଟ ଏହାକୁ ଖାରଜ କରିଦେଇଥିଲେ ଏବଂ ନୂଆ ଡେଥ ୱାରେଣ୍ଟ ପାଇଁ ଦିଲ୍ଲୀ ସରକାର କୋର୍ଟରେ ଆବେଦନ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ଡିସେମ୍ବର ୧୬ରେ ପାରାମେଡିକାଲ ଛାତ୍ରୀ ‘ନିର୍ଭୟା’ଙ୍କୁ ଏକ ଚଳନ୍ତା ବସ୍‌ରେ ଗଣଦୁଷ୍କର୍ମ କରାଯିବା ସହ ଅମାନୁଷିକ ନିର୍ଯାତନା ଦିଆଯାଇଥିଲା। ୬ ଜଣ ଏଭଳି କାଣ୍ଡ ଘଟାଇବା ପରେ ନିର୍ଭୟାଙ୍କୁ ଚଳନ୍ତା ବସରୁ ଫିଙ୍ଗିଦେଇଥିଲେ। ଗୁରୁତର ଆହତ ପୀଡ଼ିତା ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଇଥିଲେ। ୬ଜଣଙ୍କ ମଧ୍ୟରୁ ଜଣେ ନାବାଳକ ଛାଡ଼ ପାଇଥିବାବେଳେ ଅନ୍ୟଜଣେ ଜେଲ୍‌ ଭିତରେ ଆତ୍ମହତ୍ୟା କରିଦେଇଥିଲା। ସମ୍ପ୍ରତି ୪ ଦୋଷୀଙ୍କୁ ଫାଶୀ ନିର୍ଦ୍ଦେଶ ହୋଇଛି।

Leave a Reply

Your email address will not be published. Required fields are marked *