ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ
ରାଜ୍ୟର ପରିଚିତ ଓ ଚର୍ଚ୍ଚିତ ନେତାଙ୍କ ଭାଗ୍ୟ ଇଭିଏମରେ ବନ୍ଦ
ଏବେ ଗଣତିକୁ ଅପେକ୍ଷା
ବିଦାୟୀ ବିଧାନସଭାର ୨୪ ସଦସ୍ୟଙ୍କର ଭାଗ୍ୟ ନିର୍ଦ୍ଧାରିତ
ଅପରାହ୍ଣ ୫ଟା ସୁଦ୍ଧା ରାଜ୍ୟରେ ୬୬ ପ୍ରତିଶତ ମତଦାନ
ଆଜି ରାଜ୍ୟର ଚତୁର୍ଥ ଓ ଶେଷ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଚାରିଜଣ ମନ୍ତ୍ରୀ, ତିନିଜଣ ରାଜ୍ୟସଭା ସଦସ୍ୟ,ପ୍ରଦେଶ କଂଗ୍ରେସ ସଭାପତି ଓ କାର୍ଯ୍ୟକାରୀ ସଭାପତି ଏବଂ ଭାରତୀୟ ଜନତା ପାର୍ଟିର ଉପସଭାପତି ସମେତ ବହୁ ହେଭି ଓ୍ବେଟ ଭାଗ୍ୟ ପରୀକ୍ଷା ହୋଇଯାଇଛି। ଯେଉଁ ଚାରି ଜଣ ମନ୍ତ୍ରୀଙ୍କର ଭାଗ୍ୟ ଆଜି ନିର୍ଦ୍ଧାରଣ ହୋଇଯାଇଛି ସେମାନେ ହେଲେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା,ସ୍ୱାସ୍ଥ୍ୟ ଓ ସଳଚନା ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା,ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ଶିଲ୍ପ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ।
ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀଙ୍କ ମଧ୍ୟରେ ଆଜି ଲଢେଇ ହୋଇସାରିଛି ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଣ୍ଡାରୀ ପୋଖରୀ ବିଧାନସଭା ଆସନରେ। ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ ଓ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ ଏବଂ ପୂର୍ବତନ ମନ୍ତ୍ରୀ ଶରତ ରାଉତଙ୍କର ଇଲେକ୍ଟ୍ରାନିକ ଭୋଟିଂ ମେସିନ୍ରେ ବନ୍ଦୀ ହୋଇସାରିଛି।
ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା,ଚର୍ଚ୍ଚିତ ରାଜନେତା ଦାମୋଦର ରାଉତ, ବରିଷ୍ଠ ଦଳୀୟ ନେତା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମନମୋହନ ସାମଲ,ଭାରତୀୟ ଜନତା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କର ମଧ୍ୟ ଭାଗ୍ୟ ପରୀକ୍ଷା ହୋଇଯାଇଛି। ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ହୋଇଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ପଦ୍ମଲୋଚନ ପଣ୍ଡାଙ୍କର ମଧ୍ୟ ନିର୍ବାଚନ ଆଜି ଶେଷ ହୋଇଛି। ରାଜ୍ୟସଭା ସଦସ୍ୟ ଅନୁଭବ ମହାନ୍ତି,ପ୍ରତାପ ଦେବ ଏବଂ ସରୋଜିନୀ ହେମ୍ବ୍ରମଙ୍କର ମଧ୍ୟ ଆଜି ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱିତା ଶେଷ ହୋଇଛି।
ଆଜି ମଧ୍ୟ ବିଜୁ ଜନତା ଦଳର ଅତନୁ ସବ୍ୟସାଚୀ ନାୟକ,ପ୍ରଣବ ପ୍ରକାଶ ଦାସ,ପ୍ରମିଳା ମଲ୍ଲିକ,ଅମର ପ୍ରସାଦ ଶତପଥୀ,ସୁଦାମ ମାରାଣ୍ଡି, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଥିବା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଚରଣ ଦାସଙ୍କର ଭାଗ୍ୟ ନିର୍ଦ୍ଧାରଣ ହୋଇଯାଇଛି।
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ ଚନ୍ଦ୍ର ହେମ୍ବ୍ରମ୍,ଉପସଭାପତି ରାମଚନ୍ଦ୍ର ମୁର୍ମୁ ଓ ସାଧାରଣ ସଂପାଦକ କଳିଙ୍ଗ କେଶରୀ ଜେନା ଏବଂ ଏହି ଦଳର ମୁଖ୍ୟ ଶିବୁ ସୋରେନଙ୍କର କନ୍ୟା ଅଞ୍ଜନୀ ସୋରେନଙ୍କର ମଧ୍ୟ ଭାଗ୍ୟ ପରୀକ୍ଷା ହୋଇଯାଇଛି।
ଅପରାହ୍ଣ ୫ଟା ସୁଦ୍ଧା ରାଜ୍ୟରେ ୬୬ ପ୍ରତିଶତ ମତଦାନ
ରାଜ୍ୟରେ ଦିନ ୫ଟା ୩୦ ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ୬୬ ପ୍ରତିଶତ, ଯାଜପୁରରେ ୬୫ ପ୍ରତିଶତ ମତଦାନ ହୋଇଛି। କେନ୍ଦ୍ରାପଡ଼ାରେ ୬୫, ଜଗତସିଂହପୁରରେ ୬୪ ପ୍ରତିଶତ, ବାଲେଶ୍ୱର ୬୪ ପ୍ରତିଶତ ଏବଂ ଭଦ୍ରକ ୬୮ ପ୍ରତିଶତ ମତଦାନ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।
ବିଦାୟୀ ବିଧାନସଭାର ୨୪ ସଦସ୍ୟଙ୍କର ଭାଗ୍ୟ ନିର୍ଦ୍ଧାରିତ
ବିଦାୟୀ ବିଧାନସଭାର ସଭ୍ୟ ଥିବା ୨୪ ଜଣଙ୍କର ଭାଗ୍ୟ ନିର୍ଦ୍ଧାରଣ ହୋଇଯାଇଛି। ଆଜି ଶେଷ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ମତଦାନରେ ଏହି ବିଧାୟକମାନଙ୍କର ଭାଗ୍ୟ ଇଭିଏମରେ କଏଦ ହୋଇଛି। ସେମାନେ ହେଲେ ପ୍ରମିଳା ମଲ୍ଲିକ (ବିଂଝାରପୁର),ଅମର ଶତପଥୀ (ବଡ଼ଚଣା),ପ୍ରଣବ ବଳବନ୍ତରାୟ (ଧର୍ମଶାଳା),ପ୍ରଣବ ପ୍ରକାଶ ଦାସ (ଯାଜପୁର),ପ୍ରୀତିରଂଜନ ଘଡ଼େଇ (ସୁକିନ୍ଦା),ସୁଦାମ ମାରାଣ୍ଡି (ବାଙ୍ଗିରୀପୋଷୀ),ଅଶ୍ୱିନୀ ପାତ୍ର (ଜଳେଶ୍ୱର),ନିତ୍ୟାନନ୍ଦ ସାହୁ (ବସ୍ତା),ଜୀବନପ୍ରଦୀପ ଦାଶ(ବାଲେଶ୍ୱର),ପର୍ଶୁରାମ ଧଡ଼ା (ସୋର),ଜ୍ୟୋତିପ୍ରକାଶ ପାଣିଗ୍ରାହୀ(ସିମୁଳିଆ),ବ୍ୟୋମକେଶ ରାୟ (ଚାନ୍ଦବାଲି),ଅତନୁ ସବ୍ୟସାଚୀ ନାୟକ(ମହାକାଳପଡ଼ା),ରାଜଶ୍ରୀ ମଲ୍ଲିକ (ତିର୍ତ୍ତୋଲ),ପ୍ରମୋଦ ମଲ୍ଲିକ (ନିଆଳି),ପ୍ରଶାନ୍ତ ମୁଦୁଲି (ବାଲିଗୁଡା-ଏରସମା),ସମୀର ରଂଜନ ଦାଶ (ନିମାପଡ଼ା),ଦାମୋଦର ରାଉତ (ପାରାଦୀପ),ଗୋବିନ୍ଦ ଚନ୍ଦ୍ର ଦାସ (ରେମୁଣା),ସୁକାନ୍ତ ନାୟକ (ନୀଳଗିରି),ପ୍ରକାଶ ବେହେରା (ସାଲେପୁର),ଦେବେନ୍ଦ୍ର ଶର୍ମା (ଆଳି),ଅଂଶୁମାନ ମହାନ୍ତି (ରାଜନଗର) ଏବଂ ଚିରଞ୍ଜୀବ ବିଶ୍ୱାଳ (ଜଗତସିଂହପୁର)।