ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ୪୨ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ-ଇ ମହମ୍ମଦର ଆତ୍ମଘାତୀ କାର୍‌ ବୋମା ବିସ୍ଫୋରଣ ହେତୁ ୪୨ଜଣ ସିଆର୍‌ପିଏଫ୍‌ ଜବାନ୍‌ଙ୍କ ପ୍ରାଣ ଯାଇଛି। ଶ୍ରୀନଗରଠାରୁ ୨୦ କିଲୋମିଟର ଦୂର ପୁଲ୍‌ୱାମା ଜାତୀୟ ରାଜପଥରେ ଏହିପରି ବିସ୍ଫୋରଣ ଘଟିଛି। ଜୈଶ-ଇ-ମହମ୍ମଦ ଏହି ଆକ୍ରମଣ ତା ପକ୍ଷରୁ କରାଯାଇଥିବା ନେଇ ବିବୃତି ପ୍ରକାଶ କରିଛି।

ସୁରକ୍ଷା ସମ୍ବନ୍ଧିତ କ୍ୟାବିନେଟ୍‌ କମିଟି ବୈଠକ

ଦେଶର ବିଭିନ୍ନ ସ୍ତରରୁ ଏହିଭଳି କାପୁରୁଷତାକୁ ନିନ୍ଦା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜରୁରୀକାଳୀନ କ୍ୟାବିନେଟ୍‌ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବାକୁ ଯାଉଛି। ସକାଳ ୯.୧୫ ମିନିଟ୍‌ ସମୟରେ ଏହି ବୈଠକ ଅନୁଷ୍ଠିତ ହେବ। ସୁରକ୍ଷା ବିଷୟରେ ତର୍ଜମା ତଥା ପ୍ରତିପକ୍ଷକୁ ମୁହଁତୋଡ଼ ଜବାବ ଦେବାଲାଗି ଏହିପରି ଗୁରୁତ୍ଵପୂଣ୍ଣ ବୈଠକ ଆହ୍ବାନ କରାଯାଇଥାଏ।

ଆକ୍ରମଣର ତୀବ୍ରତା

ଅପରାହ୍ଣ ପ୍ରାୟ ୩ଟା ୧୫ ମିନିଟ୍‌ ସମୟରେ ଏହି ଆକ୍ରମଣ ଘଟିଛି। ଏହି ସମୟରେ ସିଆର୍‌ପିଏଫ୍‌ର ୭୮ଟି ବସ୍‌ ପାଖାପାଖି ୨୫୦୦ ଜବାନ୍‌ଙ୍କୁ ନେଇ କଶ୍ମୀର ଅଭିମୁଖେ ଯାତ୍ରା କରିଥିଲା। ଜମ୍ମୁ-ଶ୍ରୀନଗର ହାଇଓ୍ବେର ଅୱନ୍ତିପୁରା ଲାଥୁପୁରଠାରେ ବିପରୀତ ଦିଗରୁ ଏକ ଭ୍ୟାନ୍‌ ଆସି ଏହି ଆମ୍ବୁଶ୍‌ରେ ପ୍ରବେଶ କରିଥିଲା। ଏହା ଗୋଟିଏ ବସ୍‌କୁ ଧକ୍କା ଦେଇଥିଲା। ଯେଉଁ ବସ୍‌ରେ ୩୯ରୁ ୪୪ଜଣ ଜବାନ୍‌ ବସିଥିଲେ। ଯେଉଁ କାର୍‌ଟି ଧକ୍କା ଦେଇଥିଲା ତାହା ଆର୍‌ଡିଏକ୍ସରେ ଭର୍ତ୍ତିଥିଲା। ଜୈଶ-ଇମହମ୍ମଦ ସେଥିରେ ୩୫୦ କିଲୋ ଆର୍‌ଡିଏକ୍ସ ବା ବିସ୍ଫୋରକ ଥିବା ନେଇ ପ୍ରକାଶ କରୁଥିବାବେଳେ ସିଆର୍‌ପିଏଫ୍‌ ପକ୍ଷରୁ ତାହା ୧୦୦ କିଲୋ ବୋଲି କୁହାଯାଇଛି।

ଏହି ଆକ୍ରମଣ ଦ୍ଵାରା ସମୁଦାୟ ବସ୍‌ ଟି ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ଅନେକ ଦୂର ଯାଏ ଏହି ଶବ୍ଦ ଦେଖିବାକୁ ମିଳିଥିଲା। ବସ୍‌ଟିର କିଛି ଅଂଶ ତରଳି ରାସ୍ତାକଡ଼ରେ ଏପଟସେପଟ ପଡ଼ିଥିବା ଲକ୍ଷ୍ୟ କରାଯାଇଛି। ଅନ୍ୟ କିଛି ବସ୍‌ ମଧ୍ୟ ପ୍ରଭାବିତ ହୋଇଛି। ଆହତ ତଥା ଗୁରୁତରଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣାରେ କେତେଜଣଙ୍କ ମୃତ୍ୟୁ ହୋଇଛି ତାହା ଜାଣିବା ଲାଗି ଯାଞ୍ଚ ଚାଲିଛି।

ଘଟଣାକୁ ବିଭିନ୍ନ ସୂତ୍ରରୁ ନିନ୍ଦା କରାଯାଇଛି। ଉଭୟ ଶାସକ ଓ ବିରୋଧୀ ଦଳ ପାକିସ୍ତାନର ଏହି କାର୍ଯ୍ୟକଳାପକୁ ଭୀରୁତା ବୋଲି ଦର୍ଶାଇଛନ୍ତି।

ସବୁଠାରୁ ବଡ଼ ଆକ୍ରମଣ

ଆତଙ୍କବାଦୀଙ୍କ ଏହା ସବୁଠାରୁ ବଡ଼ କାର୍‌ବୋମା ଆକ୍ରମଣ ବୋଲି ଏହି ଘଟଣାକୁ କୁହାଯାଉଛି। ଯଦିଓ ୨୦୦୧ ମସିହାରେ ଜମ୍ମୁ ବିଧାନସଭାରେ ଏହିପରି ଏକ ଆକ୍ରମଣ ହୋଇଥିଲା। ଯେଉଁଥିରେ ୪୧ଜଣଙ୍କ ପ୍ରାଣ ଯାଇଥିଲା। ସେଥିରେ ୩ଜଣ ଆତ୍ମଘାତୀ ଆତଙ୍କବାଦୀ ବି ନିହତ ହୋଇଥିଲେ।

ଜମ୍ମୁ-ଶ୍ରୀନଗର ହାଇଓ୍ବେ ଏବେ ଆତଙ୍କବାଦୀଙ୍କ ଲାଗି ଏକ ଖୋଲା ଖୋଲି ବିଚରଣର ସ୍ଥାନ ପାଲଟିଛି। ୨୦୧୬ ଜୁନ୍‌ରେ ଲେଥୋପୁରାଠାରୁ ୭ କିଲୋମିଟର ଦୂର ପାମ୍ପୋର୍‌ଠାରେ ଏକ ଆକ୍ରମଣ ହୋଇଥିଲା। ଯେଉଁଥିରେ ୭ଜଣ ଜବାନ ନିହତ ହୋଇଥିଲେ। ଅନ୍ୟ ୨୨ ଆହତ ହୋଇଥିଲେ।

ସେହିବର୍ଷ ପାମ୍ପୋର୍‌ଠାରେ ସିଆର୍‌ପିଏଫ୍‌ ଉପରେ ଆକ୍ରମଣ ହୋଇଥିଲା। ପରେ ସେମାନେ ଯାଇ ଏକ ସରକାରୀ କୋଠାରେ ଆଶ୍ରୟ ନେଇଥିଲେ। ଏଥିପାଇଁ ସିଆର୍‌ପିଲଫ୍‌ର ଅପରେସନ୍‌କୁ ୨ଦିନ ଲାଗିଥିଲା। ଏହି ଅପରେସନ୍‌ରେ ୯ ଜଣଙ୍କ ପ୍ରାଣ ଯାଇଥିଲା ଯେଉଁଥିରେ ଜଣେ ଜବାନ୍‌ ଥିଲେ।

ସେପ୍ଟେମ୍ବର ୨୦୧୬ରେ ଉରିଠାରେ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଯାହାଦ୍ଵାରା ୧୮ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ଦେଶକୁ ସର୍ଜିକାଲ୍‌ ଷ୍ଟାଇକ୍‌ କରିବାକୁ ବାଧ୍ୟ କରିଥିଲା।

Leave a Reply

Your email address will not be published. Required fields are marked *