ଏପ୍ରିଲ୍ ୩୦ ଯାଏ ଟାଣ ଖରା, ମେ’୧ରେ ଝଡ଼ତୋଫାନ
ଭୁବନେଶ୍ଵର, (ଓଟି): ଆଜିଠୁ ୩୦ ତାରିଖଯାଏ ଉଦୁଉଦିଆ ଖରା ପାଗ ରହିବ। ଦିନବେଳର ତାପମାତ୍ରା ଯଥେଷ୍ଟ ଅଧିକ ରହିବ। ଏପରିକି ଏହା କୌଣସି ସ୍ଥାନରେ ୩୯ରୁ ୪୩ ଯାଏ ପହଞ୍ଚିପାରେ। ପୁଣି ସବୁଠାରୁ ଉଦ୍ବେଗର କାରଣ ହେଉଛଇ ଯେଉଁ ସନ୍ଧ୍ୟାବେଳିଆ କାଳ ବୈଶାଖୀ ହୁଏ ଏହି ୫ ଦିନ ଯାଏ ତାହା ହେବ ନାହିଁ। ବର୍ତ୍ତମାନର ଆକାଶରେ ବାଦଲ ଓ ପବନର ଦିଗ ସମ୍ବନ୍ଧିତ ମଡେଲ୍କୁ ଆଧାର କରି ସୋଆ ବିଶ୍ଵବିଦ୍ୟାଳୟର ପାଣିପାଗ ବିଜ୍ଞାନୀ ଡ. ସରୋଜ ସାହୁ ଏହା ପ୍ରକାଶ କରିଛନ୍ତି।
ବର୍ଷା ଆଶଙ୍କା ସମ୍ପର୍କରେ ଶ୍ରୀ ସାହୁ କହିଛନ୍ତି, ମେ’ ୧ ତାରିଖ ପରେ ଯାଇ ବର୍ଷା ହେବା ସମ୍ଭାବନା ରହିଛି। ତାହା ପୁଣି ଝଡ଼ ତୋଫାନ ଆକାରରରେ। ଏହି ଦିନ ଦକ୍ଷିଣ ଓଡ଼ିଶାରେ ପ୍ରବଳ ଝଡ଼ ତୋଫାନ ହୋଇପାରେ। ଆନ୍ଧ୍ୟ ଉପକୂଳର ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରୁ ଏହି ଝଡ଼ ବୋହିବ ଏବଂ ଏହାରି ପ୍ରଭାବରେ ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ତୋଫାନ ଲାଗି ରହିପାରେ। ଏହି ଝଡ଼ ତୋଫାନ ମେ ମାସ ୪ ତାରିଖରେ ଓଡ଼ିଶା ଉପକୂଳ ଦେଇ ପାର କରିବ। ଏହି ସମୟରେ ଉପକୂଳ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ରହିଛି।
ମେ ମାସ ୨ ତାରିଖରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମେଘୁଆ ଆକାଶ ସାଙ୍ଗକୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି ବୋଲି ଡ. ସାହୁ ସୂଚନା ଦେଇଛନ୍ତି।