#ଲକଡାଉନ୍: ଫସିଥିଲା ପୁଅ, ୧୪ଶହ କିମି ଘୂରିଲେ ମା’

ହାଇଦ୍ରାବାଦ (ଓଟି): ଲକ୍‌ଡାଉନ ଯୋଗୁ ପୁଅ ଅଟକି ରହିଥିଲା। ଏହାକୁ ସହିପାରିଲେନି ମା’। ସ୍କୁଟି ନେଇ ବାହାରି ପଡ଼ିଲେ ପୁଅକୁ ଉଦ୍ଧାର ପାଇଁ। ଏପରିକି ସ୍କୁଟି ଚଲାଇ ସେ ଦୀର୍ଘ ୧୪୦୦ କିମି ଦୂରରେ ଥିବା ପୁଅ ନିକଟକୁ ପହଞ୍ଚିଗଲେ। ଅବିଶ୍ଵାସ ଲାଗୁଥିଲେ ମଧ୍ୟ ଜଣେ ମା’ ନିଜର ସନ୍ତାନ ପ୍ରତି ମମତାର ପରାକାଷ୍ଠା ପ୍ରତିପାଦନ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ତେଲେଙ୍ଗାନା ନିଜାମାବାଦର ଜଣେ ଶିକ୍ଷୟିତ୍ରୀ। ନାମ ରଜିଆ ବେଗମ୍‌।

ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶ ନେଲୋରରେ ଅଟକି ରହିଥିବା ପୁଅକୁ ଘରକୁ ଆଣିବା ଲାଗି ରାଜ୍ୟ ପୁଲିସ ଠାରୁ ଅନୁମତି ନେଇଥିଲେ ରଜିଆ। କିନ୍ତୁ ତାଙ୍କୁ ବିଭିନ୍ନ ସ୍ଥାନରେ ଅଟକିବାକୁ ପଡ଼ିଥିଲା ଓ ଅଧିକାରୀମାନଙ୍କୁ ବୁଝାଇ ସେ ଲକ୍ଷ୍ୟସ୍ଥଳରେ ପହଞ୍ଚି  ପୁଅକୁ ଉଦ୍ଧାର କରିବା ଚର୍ଚ୍ଚାର ବିଷୟ ପାଲଟିଛି। ରଜିଆଙ୍କ ପୁଅ ନିଜାମୁଦ୍ଦିନ୍ ହାଇଦ୍ରାବାଦର ଏକ କୋଚିଂ ସେଣ୍ଟର୍‌ରେ ପଢୁଥିଲେ।   ଗତମାସରେ ସେ ତାଙ୍କର ଜଣେ ବନ୍ଧୁଙ୍କୁ ନେଇ ଘରକୁ ଆସିଥିବାବେଳେ ବନ୍ଧୁ ପିତାଙ୍କ ଅସୁସ୍ଥ ଖବର ପାଇ ଦୁହେଁ ନେଲୋର ଚାଲିଯାଇଥିଲେ। ସେହି ସମୟରେ ଦେଶରେ ଲକଡାଉନ୍ ଘୋଷଣା ହୋଇଥିଲା। ପୁଅ ଅଟକି ରହିବାକୁ ସହ୍ୟ କରିନପାରି ମା’ ରଜିଆ ପୁଲିସ୍‌ଠାରୁ ଅନୁମତି ନେଇ ସ୍କୁଟି ଯୋଗେ ବାହାରି ପଡ଼ିଥିଲେ। ସମ୍ପ୍ରତି ମା’-ପୁଅ ଦୁହେଁ ନିଜ ଘରେ ପହଞ୍ଚି ସାରିଛନ୍ତି।

Leave a Reply

Your email address will not be published. Required fields are marked *