ଗଡ଼ିଲା ଅହମ୍ମଦାବାଦ-ମୁମ୍ବାଇ ତେଜସ୍
ମୁମ୍ବାଇ: ଭାରତୀୟ ରେଳବାଇର ସହାୟକ କମ୍ପାନୀ ଇଣ୍ଡିଆନ୍ ରେଲ୍ୱେ କ୍ୟାଟେରିଂ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ୍ (ଆଇଆର୍ସିଟିସି)ର ଦ୍ୱିତୀୟ ଟ୍ରେନ୍ ଅହମ୍ମଦାବାଦ-ମୁମ୍ବାଇ ତେଜସ୍ ଏକ୍ସପ୍ରେସ୍କୁ ଶୁଭାରମ୍ଭ କରାଯାଇଛି । ରେଳମନ୍ତ୍ରୀ ପୀୟୂଷ ଗୋଏଲ୍ ଏବଂ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଅହମ୍ମଦାବାଦ ରେଳ ଷ୍ଟେସନ୍ରୁ ସବୁଜ ସଙ୍କେତ ଦେଖାଇ ଏହି ଏକ୍ସପ୍ରେସ୍କୁ ଶୁଭାରମ୍ଭ କରିଛନ୍ତି । ସାଧାରଣ ଜନତାଙ୍କ ପାଇଁ ଏହି ଟ୍ରେନ୍ଟିକୁ ଜାନୁଆରୀ ୧୯ରୁ ଯାତ୍ରା ପାଇଁ ଉପଲବ୍ଧ କରାଯିବ । ଆଇଆର୍ସିଟିସି ପକ୍ଷରୁ ଏହାର ବୁକିଂ ଆରମ୍ଭ କରାଯାଇଛି । ଏହି ଏକ୍ସପ୍ରେସ୍ ସକାଳ ୬.୪୦ରୁ ଅହମ୍ମଦାବାଦରୁ ଯାତ୍ରା ଆରମ୍ଭ କରିବ ଏବଂ ମଧ୍ୟାହ୍ନ ୧.୧୦ରେ ମୁମ୍ବାଇ ସେଣ୍ଟ୍ରାଲ୍ରେ ପହଞ୍ଚିବ । ଫେରସ୍ତ ସମୟରେ ମୁମ୍ବାଇ ସେଣ୍ଟ୍ରାଲ୍ରୁ ଏହା ଅପରାହ୍ଣ ୩.୪୦ରୁ ଯାତ୍ରା ଆରମ୍ଭ କରି ରାତି ୯.୫୫ରେ ଅହମ୍ମଦାବାଦରେ ପହଞ୍ଚିବ । ଗ୍ରାହକମାନେ ପେଟିଏମ୍, ଇକ୍ସିଗୋ, ଫୋନ୍ପେ, ମେକ୍ ମାଇଁ ଟ୍ରିପ୍, ଗୁଗଲ୍ପେ, ଗୋ-ଆଇବିବୋ, ରେଳଯାତ୍ରୀ ଆଦି ଆଇଆର୍ସିଟିସିର ଅନ୍ଲାଇନ୍ ଟ୍ରାଭେଲ୍ ପାର୍ଟନର୍ ମାଧ୍ୟମରେ ସିଟ୍ ବୁକ୍ କରିପାରିବେ । ଏଥିରେ ମୋଟ ୭୫୮ଟି ସିଟ୍ ରହିଛି, ଯେଉଁଥିରୁ ୫୬ଟି ସିଟ୍ ଏକ୍ଜିକ୍ୟୁଟିଭ୍ ଚେୟାର୍କାର୍ କ୍ଲାସ୍ ଏବଂ ଅନ୍ୟ ସିଟ୍ଗୁଡ଼ିକ ଏସି ଚେୟାର୍କାର୍ କ୍ଲାସ୍ର ରହିଛି । ଅତ୍ୟାଧୁନିକ ସୁବିଧାଯୁକ୍ତ ଏହି ଟ୍ରେନ୍ର ଅଧିକତମ ବେଗ ଘଣ୍ଟାପ୍ରତି ୧୬୦ କିମି ହେବ ବୋଲି ଅନୁମାନ କରାଯାଉଛି । ଏହାସହ ଏଥିରେ ବିଜୁଳି ଖର୍ଚ୍ଚ କମ୍ ହେବ ବୋଲି ମଧ୍ୟ ଅନୁମାନ କରାଯାଉଛି । ଅତ୍ୟାଧୁନିକ ସୁବିଧାବିଶିଷ୍ଟ ଏହି ଟ୍ରେନ୍ର ପ୍ରତିଟି ସିଟ୍ର ପଛପଟେ ଏକ ଏଲ୍ଇଡି ଲାଗିଛି । ଏଥିରେ ୱାଇଫାଇ ସହିତ କ୍ୟାଟେରିଂ ମେନୁ ରଖାଯାଇଛି । ଅପରପକ୍ଷେ ଏଥିରେ ଯାତ୍ରୀମାନଙ୍କୁ ମାଗଣାରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାତ୍ରାବୀମା ଉପଲବ୍ଧ କରାଯିବ । ପ୍ରତିଟି କୋଚ୍ରେ ଇଣ୍ଟିଗ୍ରେଟେଡ୍ ବ୍ରେଲ୍ ଡିସ୍ପ୍ଲେ, ଡିଜିଟାଲ୍ ଡେଷ୍ଟିନେସନ୍ ବୋର୍ଡସ୍ ଏବଂ ଇଲେକ୍ଟ୍ରୋନିକ୍ ରିଜର୍ଭେସନ୍ ଚାର୍ଟ ମଧ୍ୟ ରହିଛି