ରେଳଯାତ୍ରା ବେଳେ ଘରୁ ଚୋରି ହେଲେ ବି ମିଳିବ କ୍ଷତିପୂରଣ
ନୂଆଦିଲ୍ଲୀ, (ଓଟି): ଭାରତୀୟ ରେଳବାଇ ଯାତ୍ରୀଙ୍କ ପାଇଁ ଖୁସି ଖବର । ପ୍ରଥମଥର ପାଇଁ ଏକ ନିଶ୍ଚିନ୍ତ ଯାତ୍ରାର ଆହ୍ବାନ ଦେଇଛି ଭାରତୀୟ ରେଳ। ଆପଣ ଯାତ୍ରାକରୁଥିବା ସମୟରେ ଯଦି ଆପଣଙ୍କ ଘରୁ ଚୋରି ହୁଏ ତେବେ ଆପଣଙ୍କୁ ସେଥିଲାଗି ରେଳବାଇ କ୍ଷତିପୂରଣ ଦେବ। ଏଣୁ ଭୟ କାହିଁକି ଆପଣ ନିରାପଦ ଓ ନର୍ଭୟରେ ଯାତ୍ରା ପାଇଁ ରେଳଯାତ୍ରାକୁ ଚୟନ କରିପାରିବେ। କିନ୍ତୁ ଏହି ବ୍ୟବସ୍ଥା ଭାରତର ସବୁ ରେଳ ଯାତ୍ରା ପାଇଁ ଉପଲବ୍ଧ ନୁହେଁ। କେବଳ ତେଜସ୍ ଟ୍ରେନ୍ରେ ଯାତ୍ରା ପାଇଁ ଏହି ସୁବିଧା ଘୋଷଣା କରାଯାଇଛି ।
ଭାରତର ପ୍ରଥମ ଘରୋଇ ଟ୍ରେନ୍ ଭାବେ ପରିଚିତ ତେଜସ୍ ଏକ୍ସପ୍ରେସ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏକ୍ସପ୍ରେସ୍ରେ ଯାତ୍ରା କରିବାବେଳେ କୌଣସି ଯାତ୍ରୀଙ୍କ ଘରୁ ଚୋରି ହେଲେ ତାଙ୍କୁ ରେଳବାଇ କର୍ତ୍ତୃପକ୍ଷ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ । ଏହି ପଦକ୍ଷେପ ଭାରତରେ ପ୍ରଥମ ଏବଂ ଯାତ୍ରୀଙ୍କ ପାଇଁ ମଧ୍ୟ ଅବିସ୍ୱଶନୀୟ । କ୍ଷତିପୂରଣ ବାବଦରେ ରେଳବାଇ ଯାତ୍ରୀଙ୍କ ଠାରୁ ବୀମା ବାବଦରେ କୌଣସି ଅତିରିକ୍ତ ଦେୟ ନେବ ନାହିଁ । ଭାରତୀୟ ରେଳବାଇର ସହଯୋଗୀ ଉଦ୍ୟୋଗ ଆଇଆର୍ସିଟିସି ଏଥିପାଇଁ ‘ଲିବର୍ଟି ଜେନେରାଲ ଇନ୍ସ୍ୟୁରାନ୍ସ ଫର୍ ଇନ୍ସ୍ୟୁରାନ୍ସ’ କମ୍ପାନୀ ସହ ବୁଝାମଣା କରିଥିବା ବେଳେ ଯାତ୍ରୀଙ୍କୁ ଉପରୋକ୍ତ ସୁବିଧା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛି । ଅନ୍ୟପକ୍ଷରେ ଭାରତରେ ଦ୍ୱିତୀୟ ତେଜସ୍ ଏକ୍ସପ୍ରେସ୍ ଚଳାଚଳ ପାଇଁ ମଧ୍ୟ ଆଇଆର୍ସିଟିସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଭାରତରେ ପ୍ରଥମ ଘରୋଇ ଟ୍ରେନ୍ ଭାବେ ଦିଲ୍ଲୀ-ଲ କ୍ଷ୍ନୗ ରୁଟରେ ତେଜସ୍ ଏକ୍ସପ୍ରେସ୍ ଚଳାଚଳ କରୁଥିବା ବେଳେ ଆସନ୍ତା ୧୭ରେ ଦ୍ୱିତୀୟ ରୁଟ୍ ଭାବେ ଅହମ୍ମଦାବାଦରୁ ମୁମ୍ବାଇ ସେଣ୍ଟ୍ରାଲ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଚଳାଚଳ ଆରମ୍ଭ କରିବ । ସେହିପରି ୧୯ରୁ ନିୟମିତ ଚଳାଚଳ କରିବ ବୋଲି ସୂଚନା ମିଳିଛି ।
ପ୍ରଥମ ମାସରେ ୩.୭୦ କୋଟି ରାଜସ୍ୱ
ରେଳ ଚଳାଚଳ କ୍ଷେତ୍ରରେ ସ୍ୱଳ୍ପ ଅବଧି ମଧ୍ୟରେ ତେଜସ୍ ଏକ୍ସପ୍ରେସ୍ ଅନେକ ଉଦାହରଣ ସୃଷ୍ଟି କରିଛି । ଭାରତର ପ୍ରଥମ ଘରୋଇ ଟ୍ରେନ୍ ଭାବେ ଏହି ଶ୍ରେଣୀର ଟ୍ରେନ୍ ଦିଲ୍ଲୀ-ଲକ୍ଷେ୍ନø ରୁଟ୍ରେ ପ୍ରଥମ ମାସରେ ୩.୭୦ କୋଟିର ରାଜସ୍ୱ ସୃଷ୍ଟି କରିଛି । ଏଥିସହ ୭୦ ଲକ୍ଷ ନିଟ୍ ଲାଭ ଉଠାଇବାକୁ ସକ୍ଷମ ହୋଇଥିବା ଜଣାପଡ଼ିଛି । ରେଳ ସମୁଦାୟର ଆର୍ଥିକ ଫଳାଫଳ ସମ୍ପର୍କରେ ସିଏଜି ଦେଇଥିବା ରିପୋର୍ଟ ନିକଟ ଅତୀତରେ ପ୍ରକାଶ ପାଇଥିବାବେଳେ ଏହା ସେଭଳି ଉତ୍ସାହଜନକ ରହିନଥିଲା । ତେବେ ତେଜସ୍ ଏକ୍ସପ୍ରେସ୍ର ଚଳାଚଳ କ୍ଷେତ୍ରରୁ ଅଧିକ ରାଜସ୍ୱ ସୃଷ୍ଟି କରାଯିବା ସହିତ ଲାଭ ହେବା ଘଟଣା ରେଳ ଚଳାଚଳ କ୍ଷେତ୍ରରେ ଉତ୍ସାହ ସୃଷ୍ଟି କରିଛି ।