ଟିକସରୁ କର୍ମଚାରୀଙ୍କ ଦରମା ପେନସନ ଅଧିକ
ଟିକସ ଓ ଅଣଟିକସ ବାବଦରେ ଓଡିଶାର ବାର୍ଷିକ ଆୟ ଯେତେ ହେଉଛି କର୍ମଚାରୀଙ୍କ ବେତନ, ଭତ୍ତା ଓ ପେନ୍ସନ ବାବଦରେ ବ୍ୟୟ ପରିମାଣ ତାହାଠାରୁ ବଳିଯାଉଛି । ୨୦୧୦-୧୧ ବେଳକୁ ରାଜ୍ୟ ସରକାରଙ୍କ ନିଜସ୍ୱ ଟିକସ ଓ ଅଣଟିକସ ବାବଦ ଆୟ ପରିମାଣ ୧୫,୯୭୩ କୋଟି ଟଙ୍କା ଥିବାବେଳେ ଉକ୍ତ ବର୍ଷରେ ବେତନ, ଭତ୍ତା, ପେନ୍ସନ ଓ ଦପ୍ତର ପରିଚାଳନା ବାବଦରେ ଖର୍ଚ୍ଚ ହୋଇଥିଲା ୧୪,୯୫୨ କୋଟି ଟଙ୍କା ।
୨୦୧୩-୧୪ ବର୍ଷ ବେଳକୁ ରାଜ୍ୟର ନିଜସ୍ୱ ଟିକସ ଓ ଅଣଟିକସ ବାବଦ ଆୟ ୨୫,୨୭୦କୋଟି ଟଙ୍କା ଥିବାବେଳେ ୨୦୧୫-୧୬ରେ ତାହା ବଢି ବଢି ୩୧,୨୩୮କୋଟି ଟଙ୍କାରେ ପହଞ୍ଚିଥିଲା । ଚଳିତ ଆର୍ଥିକ ବର୍ଷରେ ଟିକସ ବାବଦକୁ ୨୮,୫୫୦କୋଟି ଓ ଅଣଟିକସ ବାବଦକୁ ୧୦,୩୧୦କୋଟି ଟଙ୍କା ପାଇବେ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।
ଏହି ଲକ୍ଷ୍ୟ ହାସଲପାଇଁ ଖୋଦ୍ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅର୍ଥ ସଚିବଙ୍କ ସମେତ ରାଜସ୍ୱ ଆଦାୟକାରୀ ବିଭାଗ ଗୁଡିକର ଶାସନ ସଚିବମାନେ ବାରମ୍ବାର ସମୀକ୍ଷା ବୈଠକ ମାଧ୍ୟମରେ ତନାଘନା କରୁଛନ୍ତି ।
ଅନ୍ୟ ପକ୍ଷରେ ଲକ୍ଷାଧିକ ସରକାରୀ ଚାକିରି ଖାଲି ପଡିଥିବା ସତ୍ୱେ ବି ବର୍ଷକୁ ବର୍ଷ ବେତନ, ଭତ୍ତା ଓ ପେନ୍ସନ ସହିତ ଦପ୍ତର ପରିଚାଳନା ବାବଦ ଖର୍ଚ୍ଚ ଓଡିଶାରେ ବଢି ବଢି ଚାଲିଛି । ୨୦୧୦-୧୧ ବର୍ଷରେ ରାଜ୍ୟ ରାଜକୋଷରୁ କର୍ମଚାରୀଙ୍କ ବେତନ ଓ ଭତ୍ତା ବାବଦରେ ୧୦,୭୫୦କୋଟି ଟଙ୍କା, ପେନ୍ସନ ବାବଦରେ ୪୦୧୧କୋଟି ଟଙ୍କା ଓ ଦପ୍ତର ପରିଚାଳନା ବାବଦରେ ୧୯୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।
ସରକାରୀ ହିସାବ ମୁତାବକ ୨୦୧୪-୧୫ବର୍ଷରେ କର୍ମଚାରୀଙ୍କ ବେତନ ଓ ଭତ୍ତା ବାବଦରେ ୧୫,୬୦୦କୋଟି, ପେନ୍ସନ ବାବଦରେ ୬୪୧୭କୋଟି ଓ ଦପ୍ତର ପରିଚାଳନା ବାବଦରେ ୨୯୮କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୧୫-୧୬ ବର୍ଷରେ ବେତନ ଓ ଭତ୍ତା ବାବଦରେ ୧୭,୬୪୦କୋଟି, ପେନ୍ସନ ବାବଦରେ ୬୪୩୪୬କୋଟି ଓ ଦପ୍ତର ପରିଚାଳନା ବାବଦରେ ୩୪୦କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।
ଚଳିତ ଆର୍ôଥକ ବର୍ଷରେ ବେତନ ଓ ଭତ୍ତା ବାବଦରେ ରାଜ୍ୟ ସରକାରଙ୍କୁ ୨୭,୨୪୦କୋଟି ଟଙ୍କା, ପେନ୍ସନ ବାବଦରେ ୧୧,୯୧୨କୋଟି ଟଙ୍କା ଓ ଦପ୍ତର ପରିଚାଳନା ପାଇଁ ୪୯୩କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ବୋଲି ପ୍ରାରମ୍ଭିକ ଅଟକଳ କରାଯାଇଥିଲା ।
ରାଜ୍ୟ ବଜେଟ୍ର ମୁଖ୍ୟାଂଶ ଦପ୍ତର ପରିଚାଳନା ଠାରୁ ଆରମ୍ଭକରି କର୍ମଚାରୀମାନଙ୍କ ବେତନ, ଭତ୍ତା ଓ ପେନ୍ସନ ଆକାରରେ ଚାଲିଯାଉଛି । ଏ ପରିପ୍ରେକ୍ଷୀରେ ରାଜ୍ୟର ଋଣଭାର ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ୯୧ହଜାର କୋଟି ଟଙ୍କାକୁ ଟପିବ ବୋଲି ଆକଳନ କରାଯାଇଥିଲା ।
ତେବେ ବିଭିନ୍ନ ସାମାଜିକ ସୁରକ୍ଷା ତଥା ଜନକଲ୍ୟାଣକାରୀ ଯୋଜନାପାଇଁ ଯେତେସବୁ ଘୋଷଣା ଚାଲିଛି ତାହାକୁ ଆକଳନ କଲେ ୨୦୧୯ ଜୁନ୍ ସୁଦ୍ଧା ରାଜ୍ୟର ଋଣଭାର ଏକ ଲକ୍ଷ କୋଟି ଟଙ୍କାକୁ ଟପିପାରେ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।