ତଥାଗତଙ୍କ ନିଷ୍ପତ୍ତି : ପୁଅ ପାଇଁ ନିର୍ବାଚନ ରାଜନୀତି ସ୍ଵାହା
ଭୁବନେଶ୍ଵର, (ଓଟି): କାହା ଚାପରେ ସେ ଚେପା ନୁହଁନ୍ତି ବୋଲି କହୁଥିବା ସାଂସଦ ତଥା ସମ୍ପାଦକ ତଥାଗତ ସତପଥି ଏବେ କିଛି ଅଜଣା ଶକ୍ତିର ଶିକାର ହୋଇଛନ୍ତି। କାହାକୁ କିଛି ନକହିଲେ ବି ସେ ପରୋକ୍ଷରେ ଏହାର ଇଙ୍ଗିତ ଦେଇଛନ୍ତି। କହିଛନ୍ତି, ସେ ଆଉ ପ୍ରତ୍ୟକ୍ଷ ରାଜନୀତି କରିବେ ନାହିଁ। ଅର୍ଥାତ୍ ତାଙ୍କୁ ଏଥର ବିଜେଡି ଟିକେଟ୍ ଦେଉ ନାହିଁ ଅଥବା ସେ ନିର୍ବାଚନ ଲଢ଼ୁ ନାହାନ୍ତି।
ପୁଅ କଥା ମାନି ସେ ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ସାମ୍ବାଦିକତାର ଅଭାବୀ ଦିଗକୁ ସେ ଭଲ ଭାବେ ଏହାଦ୍ଵାରା ଚିହ୍ନିତ କରାଇପାରିବେ ବୋଲି ଆଶା କରିଛନ୍ତି। ଏହା ଦ୍ଵାରା ବିଜେଡିକୁ ପରୋକ୍ଷରେ ଯେ, ଚେକ୍ ଦେବେ ତାହା ନିଶ୍ଚିତ ହୋଇଛି। ଅର୍ଥାତ୍ ଆଗକୁ ‘ଧରିତ୍ରୀ’ରେ ବିଜେଡି ପାଇଁ ଶୁଭଦିନ ଆସୁନାହିଁ ଏହା ବୁଝିବା ସ୍ପଷ୍ଟ।
ସେ କହିଛନ୍ତି କାହାକୁ ଲୁଚି ବା ଡରିଯାଇ ସେ ଏପରି ନିଷ୍ପତ୍ତି ନେଇ ନାହାନ୍ତି କି ‘ଭୁସ୍କିନା’ ତତ୍କ୍ଷଣାତ୍ ଏହିଭଳି କଥା କହୁନାହାନ୍ତି ବରଂ ସେ ତିନିମାସ ହେଲା ଏପରି କଥା କହିଆସୁଛନ୍ତି।
ମହଙ୍ଗା ପଡ଼ିବ
ତଥାଗତଙ୍କ ଏପରି ନିଷ୍ପତ୍ତି ନୂଆ ହେଲେ ମଧ୍ୟ ଏହା ପୂର୍ବରୁ ସେ ଅନେକଥର ଏପରି ଦଳ ଛାଡ଼ିବା ବା ଦଳ ନେତାଙ୍କ ବିରୋଧରେ ଖୋଲା କହି ଲୋକଙ୍କ ହୃଦୟ ଜିତିଥିବା ନଜର ରହିଛି। ପରବର୍ତ୍ତୀ ସମୟରେ ତାଙ୍କୁ ଦଳ ମଧ୍ୟ ଆପଣାଇ ନେଇଛି। ନିଜ ପାଖରେ ଥିବା ଖବରକାଗଜ ତାଙ୍କର ଅସ୍ତ୍ର ହୋଇ ସେତେବେଳେ ଥିଲା ଓ ଏବେ ବି ରହିଛି। କିନ୍ତୁ ଶ୍ରୀ ସତପଥି ପ୍ରତ୍ୟକ୍ଷ ଭାବେ ପ୍ରତିନିଧି ହେବା ଦିନଠୁ ଏହି ଅସ୍ତ୍ରଟି ଆଉ ସେମିତି ଶାଣିତ ହୋଇ ନାହିଁ ଯେମିତି ୨୦୦୪ ପୂର୍ବରୁ ‘ହଲ୍ଲା ବୋଲ୍’ କରୁଥିଲା। ଏବେ ଏହା ଲୋକଙ୍କ ସ୍ଵର ହେବା ବଦଳରେ ଅନ୍ୟମାନଙ୍କ ଭିତରୁ ଏକ ଖବରକାଗଜ ଯାହା ହୋଇ ରହିଛି। ଏଣୁ ତଥାଗତ ପୁଣିଥରେ ସମ୍ପୂଣ୍ଣ ସାମ୍ବାଦିକତାକୁ ଫେରିଲେ ନିଶ୍ଚିତଭାବେ ସରକାରଙ୍କ ଅଜଣା ଭୁଲ୍ ସବୁ ଲୋକଙ୍କ ଜ୍ଞାତକୁ ଫେରିବ। ଏହା ବିଜେଡିର କିଛି ନେତା ଓ ସରକାରଙ୍କ କିଛି ଅଧିକାରୀଙ୍କ ପାଇଁ କାଳ ହୋଇପାରେ। ଏପରି ଅନୁଶୀଳନକୁ ବିଜେଡି ମହଲରେ ମଧ୍ୟ ହଜମ କରି ହେଉ ନାହିଁ। ଏହା ଦଳ ପାଇଁ ମହଙ୍ଗା ହୋଇପାରେ ବୋଲି ବି ଚର୍ଚା ହେଉଛି।
ପ୍ରଫୁଲ୍ଲ ଓ ନିଧି
ଢେଙ୍କାନାଳରେ ପ୍ରଫୁଲ୍ଲ ମଲ୍ଲିକ ଓ ନିଧି ସାମଲ ବିଜେଡିରେ ଗୁରୁତ୍ଵ ପାଇବା ତଥାଗତକୁ ବାଧିଛି। କିଛି ନକହିଲେ ବି ସେ ତାଙ୍କ ନିଷ୍ପତ୍ତି ବାବଦ ସୂଚନା ଦେବା ଅବସରରେ ଏହି କଥାକୁ ବେଶ୍ ପ୍ରାଞ୍ଜଳ କରିଛନ୍ତି। ସେ ନିର୍ବାଚନ ରାଜନୀତିରେ ଥିଲେ ନା ନିଧି ସାମଲ କି ପ୍ରଫୁଲ୍ ମଲ୍ଲିକଙ୍କୁ ଟିକେଟ୍ ମିନି ଥାଆନ୍ତା ନାହିଁ ବୋଲି ଓଲଟା କହିଛନ୍ତି।
ଭଲ ସମୟ
ଏହା ଏକ ଭଲ ସମୟ ତାଙ୍କ ପାଇଁ ନିର୍ବାଚନ ରାଜନୀତି ଛାଡ଼ିବା। କାରଣ ତାଙ୍କ ପାର୍ଟି ଭଲ ସ୍ଥିତିରେ ଅଛି ଓ ତାଙ୍କର ନିର୍ବାଚନମଣ୍ଡଳୀରେ ଏକ ଭଲ ସ୍ଥିତି ରହିଛି। ଚୋର ତସ୍କର ଭଳି ତାଙ୍କର ପ୍ରତିଚ୍ଛବି ନାହିଁ ବୋଲି ସେ କହିଛନ୍ତି।