ନୂଆ ସମୀକରଣର ସଂକେତ

ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଗତ ମଙ୍ଗଳବାର ଦିନ ଢେଙ୍କାନାଳ ସାଂସଦ ତଥାଗତ ସତପଥୀଙ୍କ ଅଚାନକ ଘୋଷଣା ବିଜୁ ଜନତା ଦଳ ଭିତରେ ଏବଂ ବାହାରେ ପ୍ରବଳ ଚର୍ଚ୍ଚାର ଝଡ଼ ସୃଷ୍ଟି କରିଥିଲା। କିନ୍ତୁ ଗତକାଲି ତଥାଗତ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାକ୍ଷାତକୁ ନେଇ ତା’ଠୁ ଅଧିକ ତୋଫାନ ବିଜୁ ଜନତା ଦଳ ଭିତରେ ସୃଷ୍ଟି ହୋଇଛି ।

ଆଗାମୀ ନିର୍ବାଚନରେ ବର୍ତ୍ତମାନର ସାଂସଦ ତଥାଗତ ସତପଥୀଙ୍କ ପରିବର୍ତ୍ତେ କଂଗ୍ରେସରୁ ଆସିଥିବା ସୁଧୀର ସାମଲଙ୍କୁ ଢ଼େଙ୍କାନାଳ ଲୋକସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି। ଏଭଳି ଅପମାନଜନକ ସ୍ଥିତିରେ ପଡ଼ିବା ପୂର୍ବରୁ ଚତୁର ତଥାଗତ ନିଜକୁ ଓହରାଇ ନେଲେ। ପୁଅକୁ ଆଳ କରି ତଥାଗତ ସ୍ପଷ୍ଟ କରିଦେଲେ ଯେ, ସେ ରାଜନୀତି ଛାଡ଼ୁଛନ୍ତି। ଏବେ ସାମ୍ୱାଦିକତାରେ ହିଁ ଅଧିକ ମନ ନିବେଶ କରିବେ।

ଅବଶ୍ୟ ଦଳର ନେତୃତ୍ୱ ପ୍ରତି ସେ କୌଣସି ଆକ୍ଷେପମୂଳକ ବା ସମାଲୋଚନା ମୂଳକ ମନ୍ତବ୍ୟ ଦେଇ ନାହାନ୍ତି। କିନ୍ତୁ ତାଙ୍କର ପ୍ରତିଟି କଥାରେ ଭରପୂର କ୍ଷୋଭ ରହିଥିବା ବାରି ହୋଇପଡ଼ୁଛି। ୬୦-୬୫ ବର୍ଷ ପରେ ଅନ୍ୟମାନେ ମଧ୍ୟ ଲଢ଼ିବା ଉଚିତ ନୁହେଁ ବୋଲି ପ୍ରସ୍ତାବ ଦେଇ ସେ ବିଜୁ ଜନତା ଦଳ ବହୁ ବରିଷ୍ଠ ନେତାଙ୍କ ଆଗରେ ସମସ୍ୟା ଠିଆ କରାଇଛନ୍ତି। ସେହିପରି ବିଜେଡ଼ିରେ ଅଭିନେତା, ଅଭିନେତ୍ରୀ ଓ ସଂଗୀତ ନିର୍ଦ୍ଦେଶକଙ୍କ ମେଳାକୁ ଦେଖି ତଥାଗତ ଏମିତି ଆସନ୍ତି ଓ ଯାଆନ୍ତି ବୋଲି ତାତ୍ସଲ୍ୟ ମଧ୍ୟ କରିଛନ୍ତି।

ଓଡ଼ିଶାରେ ନିର୍ଭୀକ ସାମ୍ୱାଦିକତାର ଅଭାବ ଅଛି ବୋଲି ତାଙ୍କର ମନ୍ତବ୍ୟ ବିଜୁ ଜନତା ଦଳ ସରକାର ଅନୁଗୃହୀତ ମିଡିଆ ସମ୍ପର୍କରେ ତାଙ୍କର ତୀର୍ଯ୍ୟକ ମଧ୍ୟ ବେଶ ଆଲୋଚିତ ହୋଇଛି ସାମାଜିକ ଗଣମାଧ୍ୟମରେ। ତଥାଗତ ଅନ୍ୟ କେଉଁ ଦଳକୁ ଯିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ ମଧ୍ୟ ଇଙ୍ଗିତ ଇଙ୍ଗିତରେ ଶାସକ ଦଳ ଓ ସରକାରଙ୍କୁ ଟାର୍ଗେଟ କରିବେ ବୋଲି ଇସାରା ଦେଇଛନ୍ତି। ନହେଲେ ସେ ନିର୍ଭୀକ ସାମ୍ୱାଦିକତା କଥା ଉଠାଇ ନଥାନ୍ତେ।

ଏଭଳି କଳ୍ପନା ଜଳ୍ପନା ଭିତରେ ବୁଧବାର ସକାଳେ ତଥାଗତଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚିଥିଲେ। ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜଣେ ବିକଳ୍ପ ବୋଲି ଢ଼ୋଲ ପିଟିବାରେ ଲାଗିଛନ୍ତି। ତଥାଗତ ବିଜେଡ଼ିରୁ ବାହାରିଯିବା ଏବଂ ଧର୍ମେନ୍ଦ୍ର ତାଙ୍କୁ ଭେଟିବା ବିଜୁ ଜନତା ଦଳ ଭିତରେ ହଠାତ କମ୍ପନ ସୃଷ୍ଟି କରିଥିଲା। ତଥାଗତ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ନାହାନ୍ତି। କିନ୍ତୁ ସଗ୍ଧେତ ଦେଇସାରିଛନ୍ତି ଯେ, ଶାସକ ଦଳ ସହ ତାଙ୍କର ଦୀର୍ଘଦିନର ସମ୍ପର୍କ ଛିନ୍ନ ହୋଇଛି।

ଏପରି ଅବସ୍ଥାରେ ତଥାଗତ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଆଲୋଚନା ନିଶ୍ଚିତ ଭାବରେ ଆଗାମୀ ଦିନରେ ଏକ ନୂଆ ସମୀକରଣ ଆଡ଼କୁ ଆଙ୍ଗୁଳି ଦେଖାଉଛି। ଯେହେତୁ ତଥାଗତ କୌଣସି ଦଳକୁ ଯିବେ ନାହିଁ ବୋଲି କହିସାରିଛନ୍ତି, ସେହେତୁ ଭାରତୀୟ ଜନତା ପାର୍ଟିକୁ ତାଙ୍କର ଯୋଗଦାନ ସାବନା ନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ, ତାଙ୍କ ସମର୍ଥନ ବିଜେପି ପ୍ରତି ରହିବ ନାହିଁ। ବର୍ତ୍ତମାନ ପରିସ୍ଥିତିରେ ଧରିତ୍ରୀ ଭଳି ମିଡିଆ ହାଉସର ସମର୍ଥନ ଭାଜପା ପାଇଁ ଅତ୍ୟନ୍ତ ଜରୁରୀ।

ସେହିପରି ପୂର୍ବ ଅଭିଜ୍ଞତା ସୂଚାଇ ଦେଉଛି ଯେ, ବିଜେଡ଼ିକୁ ଧରିତ୍ରୀର ବିରୋଧ ଶାସକ ଦଳକୁ ଅନେକ ମହଙ୍ଗା ପଡ଼ିପାରେ। ତେବେ ତଥାଗତ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ସାକ୍ଷାତ ସମୟରେ ରାଜନୀତି ଉପରେ ହିଁ ଆଲୋଚନା ହୋଇଥିବ। ଏହାର ବିଶଦ ବିବରଣୀ ଜାଣିବାର ଅବକାଶ ନଥିଲେ ହେଁ, ଅନୁମାନରୁ କୁହାଯାଇପାରେ ଯେ, ଏହି ସାକ୍ଷାତ ରାଜ୍ୟରେ ନୂଆ ସମୀକରଣକୁ ଆଗେଇ ନେବାରେ ବାଟ ଫିଟାଇବ।

Leave a Reply

Your email address will not be published. Required fields are marked *