ବି ଟାଉନର ବ୍ୟସ୍ତ ଅଭିନେତ୍ରୀ ତାରା
ବି ଟାଉନର ବ୍ୟସ୍ତ ଅଭିନେତ୍ରୀ ତାଲିକାରେ ଆଲିଆ ଭଟ୍ଟଙ୍କ ପରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ତାରା ସୁତାରିଆ । ରାଇଜିଙ୍ଗ୍ ଷ୍ଟାର୍ ଭାବେ ଏବେ ତାରାଙ୍କ ପାଖରେ ଜମାରୁ ସମୟ ନାହିଁ । କେବଳ ଅଛି ଗୋଟିଏ ପରେ ଗୋଟିଏ ଫିଲ୍ମ ସୁଟିଂର ସେଡ୍ୟୁଲ୍ । ଚଳିତବର୍ଷ ହିଁ ଫିଲ୍ମ ଦୁନିଆରେ ପାଦ ଥାପିଥିବା ତାରାଙ୍କ ପାଖରେ ଏବେ ଏକାଧିକ ଫିଲ୍ମର ଅଫର୍ ରହିଛି । ନିକଟରେ ସେ ସିଦ୍ଧାର୍ଥ ମାଲହୋତ୍ରା ଓ ରକୁଲ୍ ପ୍ରୀତ୍ ସିଂଙ୍କ ଫିଲ୍ମ ‘ମରଜାୱା’ର ସୁଟିଂ ସାରିଛନ୍ତି । ଆଗାମୀ ଦିନରେ ସେ ସୁନିଲ୍ ସେଟ୍ଟିଙ୍କ ସୁପୁତ୍ର ଆହାନ୍ ସେଟ୍ଟିଙ୍କ ସହ ‘ଆରଏକ୍ସ ୧୦୦’ର ହିନ୍ଦି ରିମେକର ସୁଟିଂ ଆରମ୍ଭ କରିବେ । ଏହି ଫିଲ୍ମ ଆହାନଙ୍କର ଡେବ୍ୟୁ ଫିଲ୍ମ ।
ଏହା ବ୍ୟତୀତ ତାରା ‘ନୋ ଏଣ୍ଟ୍ରୀ’ର ସିକ୍ୱେଲରେ ମଧ୍ୟ ନଜର ଆସିପାରନ୍ତି ବୋଲି ଖବର ମିଳିଛି । ଆଉ ଏକ ଖବର ମଧ୍ୟ ମିଳିଛି ଯେ ତାରା ନିକଟରେ ନିର୍ଦ୍ଦେଶକ ଅନିସ୍ ବଜମୀଙ୍କ ଆଗାମୀ ଫିଲ୍ମ ପାଇଁ ତାଙ୍କ ସହିତ ସାକ୍ଷାତ କରିଥିଲେ । ଅଭିନୟ କ୍ଷେତ୍ରରେ ଦକ୍ଷତାର ପ୍ରମାଣ ଦେଇଥିବା ତାରାଙ୍କର ସୋସିଆଲ୍ ମିଡିଆରେ ଦିନକୁ ଦିନ ପ୍ରଶଂସକ ଓ ଫଲୋର୍ସଙ୍କ ସଂଖ୍ୟା ବଢିବଢି ଚାଲିଛି । ଖୁବ୍ କମ୍ ଦିନ ମଧ୍ୟରେ ତାରା ଅନେକ ସଫଳତା ହାସଲ କରିନେବେ ବୋଲି ଫିଲ୍ମ ସମୀକ୍ଷକମାନେ ଆକଳନ କରୁଛନ୍ତି ।