ଓଲଟିଗଲା ‘ମାରୁତି’: ଚାଲିଗଲା ୮ ପ୍ରାଣ
ଭୁବନେଶ୍ଵର(ଓଟି): ତପ୍ତପାଣି ଘାଟି ନିକଟ ଏକ ବ୍ରିଜ୍ ତଳକୁ ଓଲଟି ପଡ଼ିଲା ବସ୍। ଏହି ଦୁର୍ଘଟଣା ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୪୦ ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ବୋଲି ଜଣାପଡ଼ିଛି। ସମସ୍ତ ଆହତଙ୍କୁ ଦିଗପହଣ୍ଡି ଏବଂ ଗୁରୁତର ଆହତଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗଞ୍ଜାମ ଜିଲ୍ଳା ପାଟପୁର ଥାନା ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ମୃତକମାନେ ହେଲେ ଝୁନୁ ବେହେରା, ସଂଘମିତ୍ରା ମହାପାତ୍ର, ସୁବାସିନୀ ମହାରଣା, ଅନ୍ୱେଷା ମହାପାତ୍ର (୧୨), କରିସ୍ମା ନାୟକ (୧୮), ସୁନୀଲ ନାୟକ, ଏଲ୍ ରମେଶ ଓ ବିଦ୍ୟୁତ୍ ନାୟକ। ଏ ସମସ୍ତେ ଥିଲେ ରାୟଗଡ଼ା, ଛତ୍ରପୁର, ପୁରୁଷୋତ୍ତମପୁର, କବିସୂର୍ଯ୍ୟନଗର ଓ ବ୍ରହ୍ମପୁର ଅଞ୍ଚଳର।
ଉକ୍ତ ଯାତ୍ରୀବାହୀ ବସ୍ ‘ମାରୁତି’ ରାୟଗଡ଼ାର ଟିକିରିରୁ ବ୍ରହ୍ମପୁର ଅଭିମୁଖେ ୫୦ରୁ ଅଧିକ ଯାତ୍ରୀ ନେଇ ଆସୁଥିଲା। ତେବେ ସକାଳ ୩ଟାରୁ ୪ଟା ମଧ୍ୟରେ ଦୁର୍ଘଟଣା ଘଟିଥିବା କୁହାଯାଉଛି। ନିଘଞ୍ଚ ଜଙ୍ଗଲ ଭିତରେ ପୁଣି ଦୁର୍ଘଟଣାସ୍ଥଳରେ ପାଣି ଥିବା ଯୋଗୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ଏବଂ କଷ୍ଟସାଧ୍ୟ ହୋଇଥିଲା। ଏପରିକି କେତେକ ଯାତ୍ରୀ ବସ୍ ଭିତରେ ଚାପି ହୋଇଯାଇଥିଲେ। ଉଦ୍ଧାର କାର୍ଯ୍ୟରେ ଦିଗପହଣ୍ଡି ଓ ବ୍ରହ୍ମପୁରର ସମେତ ମୋହନା ଓ ସାନଖେମୁଣ୍ଡି ଦମକଳ ବାହିନୀକୁ ନିୟୋଜିତ କରାଯାଇଥିଲା। ଉକ୍ତ ବସର ଡ୍ରାଇଭର୍ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଏହି ମର୍ମନ୍ତୁଦ ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ପାଇଁ ଘୋଷଣା କରିଛନ୍ତି।