ଟ୍ରକ୍କୁ ବାଡ଼େଇଲା ବସ୍, ଆଖିବୁଜିଲେ ୨୦ ଜଣ
ଚେନ୍ନାଇ(ଓଟି): ତାମିଲନାଡୁର ଅବିନାଶୀ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨୦ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଯାଇଛି। ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ଯାତ୍ରୀବାହି ବସ୍ ଧକ୍କା ଦେବା ଫଳରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ବୋଲି ସୂଚନା ମିଳିଛି। ତେବେ ମୃତକଙ୍କ ସଂଖ୍ୟା ବୃଦ୍ଧି ଘଟିପାରେ ବୋଲି ଆଶଙ୍କା କରାଯାଉଛି। ସେହିପରି ଦୁର୍ଘଟଣାରେ ୨୪ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ ଓ ଚେନ୍ନାଇକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାଗସ୍ତ ବସ୍ଟି କେରଳ ପରିବହନ ବିଭାଗର ଏବଂ ତାହା ବେଙ୍ଗଲୁରୁରୁ କେରଳର ଏର୍ଣ୍ଣାକୁଲମ ଅଭିମୁଖେ ଯାଉଥିଲା। ବୁଧବାର ବିଳମ୍ବିତ ରାତିରେ ଟ୍ରକଟି ରାଜପଥ ଉପରେ ଛିଡ଼ା ହୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।