ଡିଜିଟାଲ୍ ଡେବ୍ୟୁ କଲେ ତମନ୍ନା
ତାମିଲ୍, ତେଲୁଗୁ ଓ ହିନ୍ଦି ସିନେମା ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିବା ପରେ ନାୟିକା ତମନ୍ନା ଭାଟିୟା ଏବେ ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି । ‘ଦ ନଭେମ୍ବର ଷ୍ଟୋରୀ’ ନାମକ ଏହି ୱେବସିରିଜ୍ ଆସନ୍ତା ୨୦୨୦ରେ ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ କରଯିବ । ଏହି କ୍ରାଇମ୍ ଥ୍ରୀଲର୍ ସିରିଜର ସୁଟିଂ ତମନ୍ନା ନିକଟରେ ଆରମ୍ଭ କରିସାରିଛନ୍ତି ।
ଏ ସମ୍ପର୍କରେ ସେ କହିଛନ୍ତି ଯେ ଗୋଟିଏ ୱେବସିରିଜ୍ ୫ଟି ଫିଲ୍ମ କରିବା ସହିତ ସମାନ । କାରଣ ୱେବସିରିଜରେ ନିଜର ଅଭିନୟ ଦକ୍ଷତାର ସମ୍ପୂର୍ଣ୍ଣ ପ୍ରମାଣ ଦେବାକୁ ହୋଇଥାଏ । ନିଜ ଭୂମିକାକୁ ଅବିକଳ ଦର୍ଶକଙ୍କ ସାମନାକୁ ଆଣିବା ପାଇଁ ଡିଜିଟାଲ୍ ପ୍ଲାଟଫର୍ମ ସବୁଠାରୁ ଭଲ ବିକଳ୍ପ । କାହାଣୀ ଓ କଳାକାରଙ୍କ ଅଭିନୟ ଦର୍ଶକଙ୍କୁ ସବୁବେଳେ ଆକୃଷ୍ଟ କରିଆସିଛି । ତେଣୁ ଆଜିକାଲି ୱେବସିରିଜକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ନବାଜୁଦ୍ଦିନ୍ ସିଦ୍ଦିକିଙ୍କ ସହିତ ତମନ୍ନାଙ୍କ ଆଗାମୀ ଫିଲ୍ମ ‘ବୋଲେ ଚୁଡ଼ିୟାଁ’ ଖୁବ୍ ଶୀଘ୍ର ସିନେମାଘରକୁ ଆସିବ ।