ଶାନ୍ତି ଚୁକ୍ତି: ତାଲିବାନ ଆକ୍ରମଣରେ ୫ ଟଳିପଡ଼ିଲେ
ନୂଆଦିଲ୍ଲୀ (ଓଟି): ଦୁର୍ଦ୍ଧଷ ତାଲିବାନ ଆତଙ୍କୀ ସଂଗଠନ ଆମେରିକା ସହ ଶାନ୍ତି ଚୁକ୍ତି କରିବାର ୩ଦିନ ବିତିଛି ମାତ୍ର। ଏହାରି ମଧ୍ୟରେ ଆଫଗାନ୍ ଅଶାନ୍ତ ହୋଇଉଠିଛି। ଆତଙ୍କୀଙ୍କ ଆକ୍ରମଣରେ ୫ଜଣ ପ୍ରାଣ ହରାଇଛନ୍ତି। ଫଳରେ ତାଲିବାନୀ ବଳଳିନଥିବା ଓ ପ୍ରକୃତ ଶାନ୍ତି ନେଇ ଥିବା ଆଶଙ୍କା ସତ ବୋଲି ବିଶ୍ଵସ୍ତରରେ ଆଲୋଚନା ଆରମ୍ଭ ହୋଇଛି। ଏଥିସହ ଆମେରିକା ଓ ଆଫଗାନ ମଝିରେ ପୂର୍ବଭଳି ‘ଆତଙ୍କ’ କେଉଁଠି ନା କେଉଁଠି ରହିଛି ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି।
ସୂଚନା ଅନୁସାରେ ଆଫଗାନିସ୍ତାନ ପୁଲିସ୍ ଚେକ ପୋଷ୍ଟରେ ତାଲିବାର ଆତଙ୍କୀ ସଂଗଠନ ଆକ୍ରମଣ କରିବା ଫଳରେ ୫ ଜଣ ଆଫଗାନ ପୁଲିସ୍ ପ୍ରାଣ ହରାଇଛନ୍ତି। ଆମେରିକା ସହ ଗତ ଶନିବାର ଶାନ୍ତି ଚୁକ୍ତି କରିଥିବା ତାଲିବାନ ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ଉପରେ ପୂର୍ବଭଳି ଆକ୍ରମଣ କରିବା ଏଥିରୁ ସ୍ପଷ୍ଟ ହୋଇଯାଇଛି।
ସମ୍ପୃକ୍ତ ସଂଗଠନ ପୂର୍ବରକୁ ଦେଇଥିବା ଚେତାବନୀ ଅନୁସାରେ ପୂର୍ବ ଆଫଗାନିସ୍ତାନର ଏକ କପର୍ ମାଇନ ନିକଟରେ ଆକ୍ରମଣ କରିଥିଲେ। ମଙ୍ଗଳବାର ହୋଇଥିବା ଏହି ଆକ୍ରମଣ ପାଇଁ ତାଲିବାନ ମୁଖପାତ୍ର ନିଜକୁ ଦାୟୀ କରିସାରିଛନ୍ତି। ସେ କହିବା ଅନୁସାରେ ଆମେରିକା ସହ ସୈନ୍ୟ ପ୍ରତ୍ୟାହାର ପାଇଁ ଚୁକ୍ତି କରାଯାଇଥିଲା। ହେଲେ ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ବନ୍ଦ କରିବା ନେଇ କୌଣସି ଡିଲ ହୋଇ ନଥିଲା। ତେଣୁ ଆଗକୁ ମଧ୍ୟ ଏଭଳି ଆକ୍ରମଣ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି।
ଫଳରେ ଆମେରିକା ସହ ଶାନ୍ତି ଚୁକ୍ତି ପ୍ରସଙ୍ଗ ନେଇ ବିଶ୍ଵବ୍ୟାପୀ ପ୍ରଶ୍ନବାଚୀ ଛିଡ଼ା ହୋଇଛି।