ଫେବୃୟାରୀରେ ଆସିବ ‘ତଖତ’
କରଣ ଜୋହରଙ୍କ ବିଗ୍ ବଜେଟ୍ ଫିଲ୍ମ ‘ତଖତ’ ଚଳିତବର୍ଷ ରିଲିଜ୍ କରିବାର ପ୍ଲାନିଙ୍ଗ୍ ଥିଲା । କିନ୍ତୁ ମଲଟିଷ୍ଟାରର୍ ‘କଳଙ୍କ’ ଫ୍ଲପ୍ ହେବା ପରେ ‘ତଖତ’ର ସୁଟିଂ ସେଡ୍ୟୁଲରେ ପରିବର୍ତ୍ତ କରାଯାଇଛି । ଖବର ଅନୁଯାୟୀ ଆଗାମୀ ବର୍ଷ ଫେବୃୟାରୀ ମାସରେ ଫିଲ୍ମ ନିର୍ମାତା କରଣ ଏହାକୁ ଫ୍ଲୋରକୁ ଆଣିବେ । ଏହି ମଲଟିଷ୍ଟାରର୍ ଫିଲ୍ମର କାହାଣୀ ଔରଙ୍ଗଦେବ୍ ଓ ତାଙ୍କର ଭାଇ ଦାରା ଶିକୋହଙ୍କୁ ନେଇ ରଚନା କରାଯାଇଛି । ଏଥିରେ ରଣବୀର୍ ସିଂ, ବିକି କୌଶଲ, କରିନା କପୁର୍, ଆଳିଆ ଭଟ୍ଟ, ଅନିଲ୍ କପୁର୍, ଭୂମି ପେଡନେକର୍ ଓ ଜାହ୍ନବୀ କପୁରଙ୍କୁ ସାଇନ୍ କରାଯାଇଛି । ବିଗତ ୨ ମାସ ହେଲା ତାରକାମାନେ ଫିଲ୍ମ ସମ୍ପର୍କିତ ବିଭିନ୍ନ ହୋମୱାର୍କ କରିଆସୁଛନ୍ତି ।
‘କଳଙ୍କ’ର ବିଫଳତା ପରେ କରଣ କୌଣସି ଭୁଲ୍ କରିବାକୁ ଚାହୁଁନାହାନ୍ତି । ତେଣୁ ତାରକାଙ୍କ ହୋମୱାର୍କ ଭଲ ଭାବେ ପୁରଣ ହେବା ପରେ ହିଁ ସୁଟିଂ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ଏହି ଫିଲ୍ମ ବ୍ୟତୀତ କରଣଙ୍କ ଆଗାମୀ ଫିଲ୍ମ ‘ଡିୟର୍ କମରେଡ୍’ରେ ମଧ୍ୟ ଜାହ୍ମବୀଙ୍କୁ ସାଇନ୍ କରାଯାଇଛି । କିଛିଦିନ ପୂର୍ବେ ହିଁ ସାଉଥର ଏହି ସୁପରହିଟ୍ ଫିଲ୍ମର ହିନ୍ଦୀ ରିମେକର ସତ୍ତ୍ୱାଧିକାର କରଣଙ୍କୁ ମିଳିଛି । ଏହି ଖବର ମିଳିବା ପରେ ଜାହ୍ନବୀଙ୍କ ବିପକ୍ଷର ହିରୋ କିଏ ହେବ ସେ ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇସାରିଲାଣି । ଖୁବ୍ ଶୀଘ୍ର ଫିଲ୍ମର ଫାଇନାଲ୍ ଷ୍ଟାରକାଷ୍ଟ ସମ୍ପର୍କରେ ଜଣାଇବେ ବୋଲି କରଣ କହିଛନ୍ତି ।











