ପୁଣି ଡରାଇଲାଣି ସ୍ଵାଇନ୍ ଫ୍ଲୁ
କଟକ (ଓଟି): କରୋନା ଆତଙ୍କ ଚାରିଆଡ଼େ ଖେଳିଯାଇଥିବାବେଳେ ବିଶ୍ଵବ୍ୟାପି ଚିନ୍ତା ବଢ଼ିଯାଇଛି। ଇତିମଧ୍ୟରେ ଓଡ଼ିଶାର ୬ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଗଲାଣି ଓ ସୌଭାଗ୍ୟକୁ କେହି ପଜିଟିଭ୍ ନଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କିଛିଦିନ ତଳେ ବାର୍ଡ ଫ୍ଲୁ ବ୍ୟାପିବା ଜଣାପଡ଼ିବା ପରେ କୁକୁଡ଼ା ମରା ଅଭିଯାନ ଚାଲିଥିଲା। ଏଥିରେ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଏଭଳି ସନ୍ଧିକ୍ଷଣରେ ପୁଣି ଡରାଇଲାଣି ସ୍ଵାଇନ୍ ଫ୍ଲୁ। କଟକ ବଡ଼ ମେଡିକାଲରେ ଜଣେ ସ୍ଵାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହେବା ପରେ ସାଧାରଣରେ ଦେଖାଦେଇଛି ଆତଙ୍କ। ସେ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ଓ ଚଳିତବର୍ଷ ଲାଗି ରାଜ୍ୟର ପ୍ରଥମ ସ୍ଵାଇନ୍ ଫ୍ଲୁ ରୋଗୀ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ସନ୍ଦେହରେ ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଏବଂ ରକ୍ତ ନମୁନା ଭୁବନେଶ୍ଵର ପରୀକ୍ଷାଗାରକୁ ପଠାଯାଇଥିଲା। ସେ ଭିତରେ ଜଣଙ୍କ ପଜିଟିଭ୍ ଥିବାବେଳେ ଅନ୍ୟ ଦୁଇଜଣଙ୍କୁ ଘରକୁ ପଠାଇଦିଆଯାଇଛି।