ବରଗଡ଼ରେ ଉଦାହରଣ: ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ଓ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ଆଲିଙ୍ଗନ
ସମ୍ବଲପୁର, (ପ୍ରଫୁଲ୍ଲ କୁମାର ଦାଶ): ରାଜନୀତିକ ଉଷ୍ମତା ଭିତରେ ପରସ୍ପର ବିରୋଧୀ ଦଳ ଓ କର୍ମୀଙ୍କ ଭିତରେ ଗଣ୍ଡଗୋଳ, ବାକ୍ ବିତଣ୍ଡା, ଯୁକ୍ତି ତର୍କ ଚାଲୁଥିବା ବେଳେ ବରଗଡ଼ରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଯେଉଁଠାରେ ପାରମ୍ପରିକ ବିରୋଧୀ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତାପାର୍ଟିର ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ସୌହାର୍ଦ୍ୟପୂଣ୍ଣ କଥାବାର୍ତ୍ତା ଓ ପରସ୍ପରକୁ ଶୁଭେଚ୍ଛା ଜଣାଇବା ଦେଖିବାକୁ ମିଳିଛି। ଏହା ଓଡ଼ିଶା ରାଜନୀତିରେ ଏକ ଭିନ୍ନ ପରିବେଶ ସୃଷ୍ଟି କରିବା ସହ ରାଜନୀତିକ ଶତ୍ରୁତାକୁ ବ୍ୟକ୍ତିଗତ ଭାବେ ବିବେଚନା ନକରିବା ନେଇ ଏକ ବାର୍ତ୍ତା ସର୍ବସାଧାରଣରେ ବାଣ୍ଟୁଛି।

ଘଟଣାଟି ଦେଖିବାକୁ ମିଳିଛି ବରଗଡ଼ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ, ଯାହା ଗୋଟିଏ ପଟୁ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ଫେରିବା ବାଟଥିଲା ଆଉ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ଯିବା ବାଟ। ଅର୍ଥାତ୍ ପ୍ରସନ୍ନ ପ୍ରାର୍ଥୀପତ୍ର ଦାଖଲକରି ଫେରୁଥିବାବେଳେ ସୁରେଶ ପଟୁଆର ନେଇ ଯାଉଥିଲେ।
ଦୁଇ ପ୍ରମୁଖ ପ୍ରତିଦ୍ଵନ୍ଦ୍ଵୀ ତଥା ନେତାଙ୍କ ଭିତରେ ଏହୖିପରି ଦୃଶ୍ୟ ଦେଖି କର୍ମୀ ଆବାକ୍ ହୋଇଥିଲେ। ଆଉ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ।
ନିକଟତମ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଶ୍ରୀ ଆଚାର୍ଯ୍ୟ ତାଙ୍କୁ ପ୍ରସ୍ତୁତି ବିଷୟରେ ପଚାରିଥିଲେ। ଆଉ ଶ୍ରୀ ପୂଜାରୀ ସବୁକିଛି ଭଗବାନଙ୍କ ଆଶୀର୍ବାଦ ଓ ଗୁରୁଜନଙ୍କ ଶୁଭେଚ୍ଛା ବୋଲି କହିଥିଲେ।
ଉଭୟଙ୍କ ପ୍ରାର୍ଥୀପତ୍ର ଦାଖଲ

ବରଗଡ଼ ଲୋକସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟିର ଜାତୀୟ ସମ୍ପାଦକ ସୁରେଶ ପୂଜାରୀ ପ୍ରାର୍ଥୀପତ୍ର ଦାଖଲକରି ପ୍ରଚାର ଆରମ୍ଭ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ସୁରେଣ ଜନ୍ମସ୍ଥାନ ବରଗଡ଼ ଉପକଣ୍ଠ ଢୋରା ଗ୍ରାମର ଅଧିଷ୍ଟାତ୍ରୀ ଦେବୀ ଭୁବନେଶ୍ଵରୀଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହାପରେ ଆଈଙ୍କଠାରୁ ଆଶୀର୍ବାଦ ନେଇଥିଲେ। ଏହାପୂର୍ବରୁ ପ୍ରସନ୍ନ ଆଚାର୍ଯ୍ୟ ନିଜ ସମର୍ଥକଙ୍କ ସହ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିଲେ।
ସୁରେଶଙ୍କ ପ୍ରଚାର

ପରେ ସୁରେଶ ଓହ୍ଲାଇଥିଲେ ପ୍ରଚାର ମଇଦାନକୁ। ଭାରତର ପ୍ରମୁଖ ସ୍ଵାଧୀନତା ସଂଗ୍ରାମୀ ପୀଠ ପାଣିମୋରାକୁ ଏଥିପାଇଁ ବାଛିଥିଲେ ସୁରେଶ। ଏହି ପୀଠରେ ୩୨ ସଂଗ୍ରାମୀ କାରାବରଣ କରିଥିଲେ। ଏଠାରେ ମୁକ୍ତି ସଂଗ୍ରାମୀ ଜୀତେନ୍ଦ୍ରୀୟ ପ୍ରଧାନ ଏବଂ ଦୟାନିଧି ନାୟକଙ୍କୁ ଭେଟି ସୁଖ ଦୁଃଖ ବୁଝିଥିଲେ।
ଅଧିକ ନିର୍ବାଚନ ସମ୍ପର୍କିତ ଖବର ପାଇଁ କ୍ଲିକ କରନ୍ତୁ