୩ ଟେଲିକମ୍ପାନୀଙ୍କୁ ଧକ୍କା: ଏଜିଆର୍ ରିଭ୍ୟୁ ପିଟିସନ୍ ଖାରଜ୍ 

ନୂଆଦିଲ୍ଲୀ: ଏଜିଆର୍ (ଆଡ୍‌ଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ)ବ୍ୟବସ୍ଥାକୁ ନେଇ ଟେଲି ଅପରେଟର କମ୍ପାନୀମାନଙ୍କୁ ଶକ୍ତ ଧକ୍କା ଲାଗିଛି । ଟେଲିକମ୍ କମ୍ପାନ୍ୱାନଙ୍କ ରାଜସ୍ୱକୁ ନେଇ ଗତ ଅକ୍ଟୋବର ୨୪ ତାରିଖରେ ସୁପ୍ରିମକୋର୍ଟ ଏହି ଏଜିଆର୍ ବ୍ୟବସ୍ଥା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲା ବେଳେ ଏହାର ପୁନଃ ସମୀକ୍ଷା କରିବାକୁ ଭାରତୀ ଏୟାରଟେଲ, ଭୋଡାଫୋନ୍ ଆଇଡିଆ ଏବଂ ଟାଟା ଟେଲି ସର୍ଭିସେସ୍ ଭଳି କମ୍ପାନୀଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ରିଭ୍ୟୁ ପିଟିସନ୍ ଦାଖଲ କରାଯାଇଥିଲା । ହେଲେ ଗୁରୁବାର ସୁପ୍ରିମକୋର୍ଟ ଏହାକୁ ଖାରଜ୍ କରି ଦେଇଛନ୍ତି ।  ଜଷ୍ଟିସ୍ ଅରୁଣ ମିଶ୍ର, ଏସ୍ ଏ ନଜିର୍ ଏବଂ ଏମ୍ ଆର୍ ଶାହଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ରିଭ୍ୟୁ ପିଟିସନ୍ ସମ୍ପର୍କରେ ଶୁଣାଣି କରି ଏହାର ପୁନଃ ସମୀକ୍ଷାର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରିବା ପରେ ଟେଲିକମ୍ କମ୍ପାନୀମାନଙ୍କ ଉପରେ ଚଡ଼କ ପଡ଼ିବା ସଦୃଶ ହୋଇଛି । କାରଣ ଏଜିଆର୍ ବ୍ୟବସ୍ଥାକୁ ନେଇ ପୂର୍ବରୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ  ଏହି ସବୁ କମ୍ପାନୀ ସେମାନଙ୍କ ବକେୟାକୁ ନେଇ ଚଳିତ ମାସ ୨୩ ତାରିଖ ସୁଦ୍ଧା  ସରକାରଙ୍କୁ ୧.୪୭ ଲକ୍ଷ କୋଟି ଟଙ୍କା ଦେବାକୁ ବାଧ୍ୟ ହେବେ ବୋଲି ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ ଯେ, ସୁପ୍ରିମ୍‌କୋର୍ଟ ପୂର୍ବରୁ ଟେଲିକମ୍ କମ୍ପାନୀମାନଙ୍କ ରାଜସ୍ୱ ବ୍ୟବସ୍ଥାକୁ ନେଇ ତର୍ଜମା କରିବା ସହ କେଉଁ କ୍ଷେତ୍ରର ଆୟ ଏଜିଆର୍ ବ୍ୟବସ୍ଥାରେ ସାମିଲ ହେବ ତାହା ସ୍ପଷ୍ଟ କରିଥିଲେ ।  ଟେଲିକମ୍ କମ୍ପାନୀମାନେ ଅଣ ଟେଲିକମ୍ କ୍ଷେତ୍ରରୁ  କରୁଥିବା ଆୟ ମଧ୍ୟ ସେମାନଙ୍କ ବୈଧାନିକ ଦେୟ ମଧ୍ୟରେ ସାମିଲ ହେବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିବା ସହିତ ଏଜିଆର୍ ବ୍ୟବସ୍ଥାର ନୂତନ ସଂଜ୍ଞା ନିରୂପଣ କରି  ଗତ ଅକ୍ଟୋବର ୨୪ ତାରିଖରେ ତାଙ୍କର ରାୟ ପ୍ରକାଶ କରିଥିଲେ । ଏକ୍ଷେତ୍ରରେ ଟେଲିକମ୍ ବିଭାଗ ପକ୍ଷରୁ ଏଜିଆର୍‌କୁ ନେଇ ଯେଉଁ ଫର୍ମୂଲା ପ୍ରସ୍ତୁତ କରାଯାଇଥିଲା ତାହାକୁ ମଧ୍ୟ ସୁପ୍ରିମକୋର୍ଟ ସମର୍ଥନ କରିଥିଲେ । ଏହି ବ୍ୟବସ୍ଥା ଅନୁସାରେ  ୁଉପରୋକ୍ତ ୩ଟି ଟେଲିକମ୍ କମ୍ପାନୀଙ୍କୁ ଅତିରିକ୍ତ ଲାଇସେନ୍ସ ଫି, ସ୍ପେକ୍‌ଟ୍ରମ୍ ଚାର୍ଜ,ସୁଧ ଏବଂ ଆର୍ଥିକ ଦଣ୍ଡ ଭାବେ ମୋଟ ୧.୪୭ ଲକ୍ଷ କୋଟି ଟଙ୍କା ପଇଠ କରିବାକୁ କୁହାଯାଇଥିଲା । ତେବେ ଟେଲିକମ୍ କମ୍ପାନୀମାନେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶନାମାକୁ ଚାଲେଞ୍ଜ କରିନଥିଲେ କି ସେମାନଙ୍କ ଦେୟ ଭରଣା କରିବା ନେଇ ସମୟ ସୀମାରେ ବୃଦ୍ଧି କରିବାକୁ ଆବେଦନ କରି ନଥିଲେ । ହେଲେ ଏଜିଆର୍ ସଂଜ୍ଞା ନିରୂପଣ ନେଇ ସାମାନ୍ୟ ଉଦାର ମନୋଭାବ ପୋଷଣ କରାଯିବା ଉଦ୍ଦେଶ୍ୟରେ ସେମାନେ ଗତ ନଭେମ୍ବରରେ ରିଭ୍ୟୁ ପିଟିସନ୍ ଦାଏର କରିଥିଲେ । ଏଥିରେ ସେମାନଙ୍କ ଉପରେ ଲାଗୁ କରାଯାଇଥିବା ସୁଧ, ଅର୍ଥ ଦଣ୍ଡ ଆଦିକୁ ନେଇ ଅଦାଲତ ପୁନଃ ସମୀକ୍ଷା କରିବା ସହିତ ଏଜିଆର୍ ବ୍ୟବସ୍ଥାରେ ଆୟ କ୍ଷେତ୍ରର ଯେଉଁ କେତେକ ଦିଗକୁ ଅଦାଲତ ସାମିଲ କରିଥିଲେ ସେ ସମ୍ପର୍କରେ ମଧ୍ୟ ସମୀକ୍ଷା କରିବାକୁ କମ୍ପାନୀମାନଙ୍କ ପକ୍ଷରୁ ପୃଥକ୍ ଭାବେ ପିଟିସନ୍ ଦାଏର କରାଯାଇଥିଲା । ହେଲେ ବର୍ତ୍ତମାନ ଏହା ଖାରଜ୍ ହୋଇଯାଇଥିବାରୁ ଯେଉଁ କମ୍ପାନୀମାନଙ୍କ ଉପରେ ଯେତିକି ପରିମାଣର ବକେୟା ପଡ଼ି ରହିଛି ତାହାକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଦାଖଲ କରିବାକୁ ସଂପୃକ୍ତ କମ୍ପାନୀ ବାଧ୍ୟ ହେବ । ପ୍ରକାଶଯୋଗ୍ୟ ଯେ, ଟେଲିକମ୍ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଭାରତୀ ଏୟାରଟେଲ ୁପରେ ଲାଇସେନ୍ସ ଫି ବାବଦରେ ୨୧,୬୮୨.୧୩ କୋଟି ଟଙ୍କା ପଡ଼ି ରହିଥିଲା ବେଳେ ଭୋଡାଫୋନ୍ ଆଇଡିଆ ଉପରେ ୧୯,୮୨୩.୭୧ କୋଟି, ରିଲାଏନ୍ସ କମ୍ୟୁନିକେଶନ ୁପରେ ୧୬,୪୫୬.୪୭ କୋଟି ଏବଂ ବିଏସ୍‌ଏନ୍‌ଏଲ୍ ଉପରେ ୨୦୯୮.୭୨ କୋଟି ଟଙ୍କା ବକେୟା ରହିଛି । ଏହାବ୍ୟତୀତ ଏଜିଆର୍ ବ୍ୟବସ୍ଥାର ନୂତନ ସଂଜ୍ଞା ନିରୁପଣକୁ ନେଇ କେତେକ କମ୍ପାନୀ ଅତ୍ୟଧିକ କ୍ଷତି ସହିଥିବା କହିଥିବା ବେଳେ ଭାରତରେ ବ୍ୟବସାୟ କରିବା ଆଉ ସମ୍ଭବ ନୁହେଁ ବୋଲି ପୂର୍ବରୁ କହିସାରିଛନ୍ତି । ଏହିକ୍ରମରେ ଭୋଡାଫୋନ୍ ଆଇଡିଆ ଭାରତରେ ବ୍ୟବସାୟ ବନ୍ଦ କରି ଦେଇପାରେ ବୋଲି ମଧ୍ୟ ପୂର୍ବରୁ କେତେକ ମହଲରେ ଆଲୋଚିତ ହୋଇଛି ।

Leave a Reply

Your email address will not be published. Required fields are marked *