‘ନିର୍ଭୟା’ ଦୋଷୀ ମୁକେଶର ଖେଳ ଶେଷ!
ନୂଆଦିଲ୍ଲୀ(ଓଟି): ଦୋଷୀ ସାବ୍ୟସ୍ତ ହେବାପରେ ଓ ମୃତ୍ୟୁ ଦଣ୍ଡାଦେଶ ପାଇବା ପରେ ମଧ୍ୟ ବାରମ୍ବାର ଆଇନଗତ ଆବେଦନ କରୁଥିଲେ। ଏପରିକି ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଖାରଜ କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂ ପକ୍ଷରୁ ଏକ ପିଟିସନ୍ ଦାଏର ହୋଇଥିଲା। ତାହାକୁ ସୁପ୍ରିମକୋର୍ଟ ଆଜି ରଦ୍ଦ କରିଦେଇଛନ୍ତି। ଜଷ୍ଟିସ ଆର୍ ବାନୁମତି, ଅଶୋକ ଭୂଷଣ ଏବଂ ଏଏସ୍ ବୋପନ୍ନାଙ୍କ ଖଣ୍ଡପୀଠ ଉକ୍ତ ପିଟିସନକୁ ଶୁଣାଣି ପାଇଁ ଯୋଗ୍ୟତା ନଥିବା ଦର୍ଶାଇବା ସହ ଖାରଜ କରିଦେଇଥିଲେ। ଫଳରେ ‘ନିର୍ଭୟା’ ଗଣଦୁଷ୍କର୍ମର ଅନ୍ୟତମ ଦୋଷୀ ୩୨ ବର୍ଷୀୟ ମୁକେଶ ଫାଶୀରୁ ନିସ୍ତାର ପାଇପାରିବ ନାହିଁ। ଫାଶୀରୁ ବର୍ତ୍ତିବା ଲାଗି ସବୁ ବିକଳ୍ପ ମୁକେଶ ଲାଗି ଶେଷ ହୋଇଯାଇଛି। ଏହା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ୧୭ରେ ମୁକେଶଙ୍କ ମର୍ସି ପିଟିସନକୁ ଖାରଜ କରିଦେଇଥିଲେ। ସେହିପରି ପଟିଆଲା ହାଉସ କୋର୍ଟ ମାର୍ଚ୍ଚ ୧ ସକାଳ ୬ଟାରେ ସମସ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି ଗତ ୨୨ରେ ଏକ ୱାରେଣ୍ଟି ଜାରି କରିଥିଲେ ।
ସୂଚନାଯୋଗ୍ୟ, ଦୋଷୀ ମୁକେଶ ଉକ୍ତ ପିଟିସନରେ ଉଲ୍ଲେଖ କରିଥିଲେ ଯେ ତିହାର ଜେଲରେ ତାଙ୍କୁ ନିସ୍ତୁକ ମାଡ଼ ମରାଯାଉଥିଲା । ଏଥିସହ ଏହି ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ଠାକୁର(୩୧)ଙ୍କ ସହ ଅନ୍ୟ କଏଦୀମାନଙ୍କ ସାମ୍ନାରେ ଯୌନ ସମ୍ପର୍କ ରଖିବାକୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ବାଧ୍ୟ କରୁଥିଲେ ବୋଲି ସେ ସାଂଘାତିକ ଅଭିଯୋଗ ଉଠାଇଥିଲା। ଅନ୍ୟପକ୍ଷରେ ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ଠାକୁର ଏହାମଧ୍ୟରେ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିବା ଜଣାପଡ଼ିଛି।