ସୁନେତ୍ରକୁ ତ୍ୱରାନ୍ୱିତ କର
ଭୁବନେଶ୍ୱର,(ଓଟି): ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ସୁନେତ୍ର)କୁ ତ୍ୱରାନ୍ୱିତ ଲାଗି ସ୍ୱାସ୍ଥ୍ୟ ଓ ପିରବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ନିର୍ଦ୍ଦେଶ ଦେଇଛନ୍ତି ।ସଚିବାଳୟ ଠାରେ ଯୋଜନାର ସମୀକ୍ଷା କରି ସଚିବ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯିଏ କି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆଇଏପିପିର ଅନ୍ଧତ୍ୱ ଦୂରୀକରଣ ସମ୍ପର୍କିତ ସଂକଳ୍ପକୁ କାର୍ଯ୍ୟକାରୀ କରିବା ସହିିତ ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟରୁ ଚକ୍ଷୁ ସମସ୍ୟା ଦୂର ଲାଗି ପ୍ରତିଶ୍ରୁତିବଦ୍ଧ ।
ବୈଠକରେ ‘ସୁନେତ୍ର’ ଯୋଜନା ମାଧ୍ୟମରେ ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇ ଏହାକୁ ବ୍ୟାପକ କରାଯିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ଧତ୍ୱ ଦୂରିକରଣ ଲକ୍ଷ୍ୟ ହାସଲ ଏବଂ ଉନ୍ନତମାନର ଚକ୍ଷୁ ଚିକିତ୍ସା ବ୍ୟବସ୍ଥା , ଚଷମା ଯୋଗାଇ ଦେବା ଆଦି ସଂପର୍କରେ ବିସ୍ତୃତ ଆଲୋଚନା ହୋଇଛି । ଏଥି ସହିତ ମାଗଣା ମୋତିଆବିନ୍ଦୁ ଅସ୍ତ୍ରୋପଚାର, ଗୋଷ୍ଠି ସ୍ତରରେ ଚକ୍ଷୁ ପରୀକ୍ଷା, ମଧୁମେହ ଜନିତ ରେଟିନୋପାଥି ଚିକିତ୍ସା ସହିତ ସମସ୍ତ ପ୍ରକାର ଗୁରୁତର ଚକ୍ଷୁ ରୋଗର ମାଗଣା ଚିକିତ୍ସାପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ୫୦ ଟି ଦୃଷ୍ଟି (ଭିଜନ) କେନ୍ଦ୍ର ସ୍ଥାପନ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଖୁବ୍ଶୀଘ୍ର ସେଗୁଡିକୁ କାର୍ଯ୍ୟକ୍ଷମ କରାଯିବ । ସେହିପରି ୧୦ ଟି ଜିଲ୍ଲାରେ ଭ୍ରାମ୍ୟମାଣ ଦୃଷ୍ଟି କେନ୍ଦ୍ର ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏ ନେଇ ପ୍ରସ୍ତୁତିକୁ ତ୍ୱରାନ୍ୱିତ ଲାଗି ବୈଠକରେ ଗୁରୁତ୍ୱଆରୋପ କରାଯାଇଛି । ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କର ଚକ୍ଷୁ ପରୀକ୍ଷାକୁ ବ୍ୟାପକ କରାଯିବ । ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ଡିଜିଟାଲ କରାଯିବା ନିମନ୍ତେ ୱେବ୍ ପୋର୍ଟାଲ , ମୋବାଇଲ ଆପ୍ ଏବଂ ଇଲେକଟ୍ରନିକ୍ ମେଡିକାଲ ରିପୋର୍ଟ ବ୍ୟବସ୍ଥା ସଂପର୍କରେ ଆଲୋଚନା ହୋଇଛି ।
ଉକ୍ତ ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ମେଡିକାଲ ନିଗମର ନିର୍ଦ୍ଦେଶିକା ତଥା ସୁନେତ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ହର ପ୍ରସାଦ ପଟ୍ଟନାୟକ, ଅତିରିକ୍ତ ମିଶନ ନିର୍ଦ୍ଦେଶକ ମୃଳାଣକାନ୍ତି ଦାଶ ଓ ରାଜ୍ୟ ନୋଡାଲ ଅଫିସର ଡାକ୍ତର ଜେ.ଏନ୍.ଷଡଙ୍ଗୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।