ଜୀବନ ପାତ୍ର ମୋ ଭରିଛ କେତେ…
ଭୁବନେଶ୍ୱର(ଓଟି): ଜୀବନ ପାତ୍ର ମୋ ଭରିଛ କେତେ; ମତେ… ନଦେଲ ବୋଲି କିଛି କହିବିକି ଆଉ… ଏହି କାଳଜୟୀ ସ୍ଵର ଗୁଞ୍ଜରିତ ହେଉଛି। ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟ ଜିଣୁଥିବା ଏହି ଭାବଭରା ଗୀତର ସ୍ରଷ୍ଟା ହେଉଛନ୍ତି ସୁନାମଧନ୍ୟ କବି ବୈକୁଣ୍ଠନାଥ ପଟ୍ଟନାୟକ। ଆଉ ସୁମଧୁର ସୁର ଦେଇଥିଲେ କବିଙ୍କ ସୁପୁତ୍ରୀ ତଥା ଖ୍ୟାତାନାମା ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକ। ଆଜି ସେଇ ଅନନ୍ୟ କଣ୍ଠଶିଳ୍ପୀଙ୍କ ପରଲୋକ ହୋଇଯାଇଛି। ୮୫ ବର୍ଷ ବୟସରେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ସବୁଦିନ ଲାଗି ଆଖି ବୁଜିଦେଇଛନ୍ତି ପ୍ରତିଭାମୟୀ ଶିଳ୍ପୀ ସୁନନ୍ଦା।
ସାହିତ୍ୟ ଓ ସଙ୍ଗୀତରେ ଡକ୍ଟରେଟ ଲାଭ କରିବା ସହ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ଉତ୍କଳ ରତ୍ନ ସମ୍ମାନ ଭୂଷିତା ସୁନନ୍ଦା ସଙ୍ଗୀତରେ ନୀଳମାଧବ, ସୁବର୍ଣ୍ଣମୁଖୀ ଭଳି ସେ ୯ଟି ରାଗ ସୃଷ୍ଟି କରିଥିଲେ। ଗୁରୁମା ଭାବେ ସୁପରିଚିତ ସୁନନ୍ଦାଙ୍କ ଜୀବନୀ ସମ୍ପର୍କରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର ‘ନୀଳମାଧବ’ ୨୦୧୦ରେ ଜାତୀୟସ୍ତରରେ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା। ତାଙ୍କ ବିୟୋଗରେ ସଙ୍ଗୀତ ଜଗତରୁ ଏକ ଉଜ୍ଜ୍ବଳ ନକ୍ଷତ୍ର ଖସିଗଲା ବୋଲି ମତ ପ୍ରକାଶ ପାଇଛି। ଏଥିସହ ବିଭିନ୍ନ ମହଲରେ ଗଭୀର ଶୋକପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।