ମହିଳା କଂଗ୍ରେସ ସଭାନେତ୍ରୀ ପଦରୁ ଇସ୍ତଫା ଦେବେ ସୁମିତ୍ରା
ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ତାଙ୍କ ପଦବୀ ଛାଡିବେ । ଦଳୀୟ ଟିକଟ ବଣ୍ଟନରେ ମହିଳାଙ୍କୁ ଅଣଦେଖା ଓ କଂଗ୍ରେସ ଭବନ ଭିତରେ ତାଙ୍କୁ ମାଡ ମରାଯିବା ଘଟଣାରେ ଦଳର ନିରବତା ପ୍ରସଙ୍ଗରେ ସେ ଏଭଳି ପଦକ୍ଷେପ ନେବାକୁ ଯାଉଥିବା ସୂଚନା ଦେଇଛନ୍ତି ।
ଶ୍ରୀମତୀ ଜେନା କହିଛନ୍ତି ଯେ ଦଳ ପକ୍ଷରୁ ମହିଳାମାନଙ୍କୁ ପ୍ରାର୍ଥୀ କରିବାପାଇଁ ସେ ୫୨ ଜଣଙ୍କ ନାମ ତାଲିକା ଦେଇଥିଲେ। ହେଲେ ପ୍ରାର୍ଥୀ ଚୟନ ସମୟରେ ତାଲିକା ଉପରେ ଗୁରୁତ୍ୱ ଦିଆଗଲା ନାହିଁ । ପ୍ରଦେଶ କଂଗ୍ରେସ ସଭାପତି ଏବେ ବି କହୁଛନ୍ତି ଯେ ଯୋଗ୍ୟ ମହିଳା ପ୍ରାର୍ଥୀ ମିଳିଲେ ନାହିଁ ।
ତେବେ ସେ ଦେଇଥିବା ପ୍ରାର୍ଥୀ ତାଲିକାରେ କେଉଁମାନେ ଅଯୋଗ୍ୟ ଥିଲେ ବୋଲି ଶ୍ରୀମତୀ ଜେନା ପ୍ରଶ୍ନ କରିବା ସହିତ କଂଗ୍ରେସ ଟିକଟ ପାଇବାପାଇଁ ମହିଳା ମାନଙ୍କର କେଉଁ ପ୍ରକାର ଯୋଗ୍ୟତା ଆବଶ୍ୟକ ବୋଲି କହିଛନ୍ତି । ଏପରିକି ସେ ନିଜେ ଭଦ୍ରକରୁ ଲଢିବାପାଇଁ ପ୍ରସ୍ତାବ ଦେଇଥିଲେ ବି ଦଳ ତାହା ଶୁଣିଲା ନାହିଁ । ଅବଶ୍ୟ ଏଥିପ୍ରତି ତାଙ୍କର ମନଦୁଖ ନଥିବା କହିଛନ୍ତି ।
ସେହିଭଳି କଂଗ୍ରେସ ଭବନ ଭିତରେ ସେ ଧାରଣାରେ ବସିଥିବାବେଳେ ବାହାରର ଅସାମାଜିକ ଲୋକେ ଆସି ତାଙ୍କୁ ଓ ତାଙ୍କ ସମର୍ଥକମାନଙ୍କୁ ମାଡ ମାରିଲେ । ଏହି ଘଟଣାରେ ସେ ରାତିସାରା ଧାରଣାରେ ବସିବା ସହିତ ଥାନାର ଦ୍ୱାରସ୍ଥ ହେଲେ । କିନ୍ତୁ ଏଭଳି ସମ୍ବେଦନଶୀଳ ଘଟଣାରେ ପିସିସି ସଭାପତି ତାଙ୍କ ସହିତ ଆଲୋଚନା କରିବା ତ ଦୂରରକଥା ଟେଲିଫୋନ୍ ଟିଏ କଲେନାହିଁ ବୋଲି ସୁମିତ୍ରା ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଯେ ନିଜର ସହକର୍ମୀମାନଙ୍କୁ ସୁରକ୍ଷା ଦେଇପାରୁ ନଥିବାରୁ ସେ ଆଉ ସଭାନେତ୍ରୀ ପଦରେ ରହିବା ଉଚିତ୍ ମଣୁ ନାହାନ୍ତି । ପଦ ଛାଡିଲେ ମଧ୍ୟ ସେ କଂଗ୍ରେସରେ ରହି ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରିବେ । ତେବେ ରାଜ୍ୟରେ ସରଗରମ ନିର୍ବାଚନ ପ୍ରଚାର ଚାଲିଥିବାବେଳେ କଂଗ୍ରେସ ସଭାନେତ୍ରୀଙ୍କ ପଦ ତ୍ୟାଗ ସୂଚନା ଏବେ ଦଳ ପାଇଁ ବିଚିତ୍ର ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି ।