୫୦ ଭାଗ ପୋଡି ହୋଇଯାଇଥିବା ଶିଶୁର ଜୀବନ ରକ୍ଷା କଲେ ସମ୍ ଡାକ୍ତର

ଭୁୁବନେଶ୍ୱର, (ଓଟି): ଗରମ କ୍ଷୀର ପଡ଼ିଯାଇ ୩ ବର୍ଷର ଶିଶୁ ସମ୍ପୂର୍ଣ୍ଣ ଭାବେ ପୋଡି ହୋଇଯାଇଥିଲା । ତା’ର ଶରୀରର ୫୦ପ୍ରତିଶତ ଭାଗ ଆକ୍ରାନ୍ତ ହୋଇଥିଲା । ତେବେ ଏଭଳି ଗୁରୁତର ହୋଇପଡ଼ିଥିବା ଶିଶୁର ଜୀବନ ରକ୍ଷା କରିଛନ୍ତି ସମ୍ ଡାକ୍ତର । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ବର୍ନସ୍, ପ୍ଲାଷ୍ଟିକ୍ ଆଣ୍ଡ ରିକନ୍ଷ୍ଟ୍ରକ୍ସନ୍ ସର୍ଜରୀ ବିଭାଗ ପକ୍ଷରୁ ସ୍କିନ୍ ଗ୍ରାଫ୍ଟିଙ୍ଗ୍ ଅଥବା ଚର୍ମ ପ୍ରତିରୋପଣ ସର୍ଜରୀ ମାଧ୍ୟମରେ ଶିଶୁଟିକୁ ସୁସ୍ଥ କରାଯାଇଛି ।
ଗତ ଅକ୍ଟୋବର ମାସରେ କଟକ ଜିଲ୍ଲା ବଡମ୍ବା ଅଭିରାମପୁର ଅଂଚଳର ବିରଂଚି ମହାରଣାଙ୍କର ୩ ବର୍ଷର ପୁଅର ଶରୀରରେ ଗରମ କ୍ଷୀର ପଡ଼ିଯିବା ଫଳରେ ଶିଶୁଟି ଗୁରତର ହୋଇପଡ଼ିଥିଲା । ଦୀର୍ଘ ଏକ ମାସ ଧରି ବିଭିନ୍ନ ହସ୍ପିଟାଲ୍ ଏବଂ ଘରୋଇ ଚିକିତ୍ସା କେନ୍ଦ୍ରରେ ଠିକ୍ ଭାବେ ଚିକିତ୍ସା ହୋଇପାରି ନଥିବାରୁ ଶିଶୁଟି ଆହୁରି ଅସୁସ୍ଥ ହୋଇପଡ଼ିଥିଲା । ସେ ଏତେ ମାତ୍ରାରେ ଡରି ଯାଇଥିଲା ଯେ ତା’ ମୁହଁରୁ ହସ ଲିଭି ଯାଇଥିଲା । ଏପରିକି ସେ କାନ୍ଦୁ ନଥିଲା ମଧ୍ୟ । ସେହିପରି ଏକ ମାସ ଚିକିତ୍ସା ବିଳମ୍ବ ହେବା ଫଳରେ ତା’ ଶରୀରରେ ସଂକ୍ରମଣ ମଧ୍ୟ ବ୍ୟାପିଥିଲା ।
ଏଭଳି ଅବସ୍ଥାରେ ଥିବା ଶିଶୁଟିର ଚିକିତ୍ସା ଆରମ୍ଭ କରିଥିଲେ ବର୍ନସ୍, ପ୍ଲାଷ୍ଟିକ୍ ଆଣ୍ଡ ରିକନ୍ଷ୍ଟ୍ରକ୍ସନ୍ ସର୍ଜରୀ ବିଭାଗର ଡାକ୍ତର ଏମ୍. ଲୋପାମୁଦ୍ରା । ଶିଶୁର ଜଂଘରୁ ଚର୍ମ ଆଣି ପୋଡି ହୋଇଯାଇଥିବା ସ୍ଥାନ ଯେପରିକି ଛାତି, ପିଠି ଏବଂ ଡାହାଣ ହାତରେ ଚର୍ମ ପ୍ରତିରୋପଣ କରାଯାଇଥିଲା ।
ସର୍ଜରୀ ପରେ ଶିଶୁଟି ଏବେ ସୁସ୍ଥ ହୋଇ ଘରକୁ ଫେରିଛି । ସମ୍ ହସ୍ପିଟାଲ୍ ତାଙ୍କ ଶିଶୁର ଜୀବନ ରକ୍ଷା କରିଛି ବୋଲି କହିଛନ୍ତି ତା’ର ବାପା ଓ ମା ।

Leave a Reply

Your email address will not be published.