#କୋଭିଡ୍-୧୯: ପୁରୁଣା ରୋଗୀଙ୍କ ରକ୍ତରେ ସଫଳ ଚିକିତ୍ସା

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଆତଙ୍କରେ ବିଶ୍ଵ କବଳିତ ଆଉ ଚିନ୍ତିତ। ଏଥିପାଇଁ ଠିକଣା ଔଷଧ ବାହାରି ପାରିନି। ତେବେ କେତେକ ବିଶେଷଜ୍ଞ ବିଭିନ୍ନ ପଦ୍ଧତି ଅବଲମ୍ବନ କରି ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରି ବେଶ୍‌ ସଫଳ ହେଉଥିବା ଖବର ଜଣାପଡ଼ିଛି। ଏହି କ୍ରମରେ ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ସାମ୍ନାକୁ ଆସିଛି। କରୋନା ସଂକ୍ରମିତ ପୁରୁଣା ରୋଗୀଙ୍କ ରକ୍ତରେ ନୂଆ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଉଛି ଯାହାକି ବେଶ୍‌ ସୁଫଳ ଦେଉଥିବା କୁହାଯାଉଛି।

ସୂଚନା ଅନୁସାରେ କରୋନାର ଉତ୍ପତ୍ତି ସ୍ଥଳ ଚୀନ୍‌ରେ ହିଁ ପୁରୁଣା କରୋନା ରୋଗୀଙ୍କ ରକ୍ତରେ ୫ ଜଣ ନୂଆ ଆକ୍ରାନ୍ତଙ୍କ ସଫଳ ଚିକିତ୍ସା କରାଯାଇଛି। ସେ ମଧ୍ୟରୁ ୩ ଜଣ ରୋଗୀ ଘରକୁ ଫେରିଥିବାବେଳେ ୨ ଜଣ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି। ପୂର୍ବାପେକ୍ଷା ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି। ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ପୁରୁଣା ରୋଗୀଙ୍କ ରକ୍ତରେ ଚିକିତ୍ସା କରିବା ଦ୍ୱାରା ବହୁ କରୋନା ରୋଗୀ ସୁସ୍ଥ ହୋଇପାରିବେ। ନୂଆ ରୋଗୀଙ୍କୁ ପୁରୁଣା ଆରୋଗ୍ୟ ରୋଗୀଙ୍କ ରକ୍ତ ଦିଆଯିବା ଫଳରେ ରୋଗୀର ରକ୍ତ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏଥିସହ ରକ୍ତରେ ଥିବା ଭାଇରସ ସହ ଲଢଢ଼ଇ କରିବା ପାଇଁ ଆଣ୍ଟିବଡି ତିଆରି ହୋଇଥାଏ। ଆଣ୍ଟିବଡିଗୁଡିକ ଜୀବାଣୁ ସହ ଲଢ଼େଇ କରି ସେମାନଙ୍କୁ ନାଶ କରିଦେଇଥାନ୍ତି। ଏଭଳି ଚିକିତ୍ସାକୁ କୋଭାଲେଣ୍ଟ ପ୍ଲାଜମା କୁହାଯାଉଛି।

ଡେଲି ମେଲ ୱେବସାଇଟରେ ଏ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି। ମାର୍ଚ୍ଚ ୨୭ରେ ଚୀନର ଶେନଜେନ୍ ତୃତୀୟ ପିପୁଲ୍ସ ହସ୍ପିଟାଲରେ ଏହି ଚିକିତ୍ସା ପଦ୍ଧତି ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଥିଲା । ମେଡିକାଲର ପରିଚାଳକଙ୍କ କହିବା ଅନୁସାରେ କହିଛନ୍ତି ଯେ ପୁରୁଣା ରୋଗୀଙ୍କ ରକ୍ତରେ ଚିକିତ୍ସିତ ୫ ଜଣ ରୋଗୀଙ୍କ ବୟସ ୩୬ରୁ ୭୩ ବର୍ଷ ଥିଲା। ସେ ମଧ୍ୟରୁ ୩ ଜଣ ସୁସ୍ଥ ହୋଇସାରିଛନ୍ତି। ଏହି ଚିକିତ୍ସା ପଦ୍ଧତି ଏକ ନୂଆ ଆଶା ସଞ୍ଚାର କରିଛି।

Leave a Reply

Your email address will not be published. Required fields are marked *