ପ୍ରଚଣ୍ଡ ଭାବେ ଅନୁଗୃହୀତ ବାଗ୍ଚୀ ସରକାରଙ୍କୁ ପକାଉଛନ୍ତି ହରଡ଼ଘଣାରେ
- ସରକାରଙ୍କଠାରୁ କୌଣସି ଲାଭ ବା ପାରିଶ୍ରମିକ ନେଉ ନାହାନ୍ତି ବୋଲି ସୁବ୍ରତୋ ବାଗ୍ଚୀ କହୁଥିଲେ ମଧ୍ୟ ପରୋକ୍ଷରେ ଅନେକ ଫାଇଦା ନେଉଥିବା ସ୍ପଷ୍ଟ । ବରିଷ୍ଠ ମନ୍ତ୍ରୀମାନଙ୍କ ଭଳି ଭୁବନେଶ୍ୱର ମୁଖ୍ୟସ୍ଥଳରେ ସରକାରୀ ବଙ୍ଗଳା ପାଇଛନ୍ତି । ତା’ ସହ ଗାଡ଼ି ଓ ଅନ୍ୟାନ୍ୟ ସୁବିଧା ବି ରହିଛି । ଖାଲି ସେ ସରକାରଙ୍କ ପଦବୀ ପାଇଛନ୍ତି ତା’ ନୁହେଁ, ତାଙ୍କ ପତ୍ନୀ ମଧ୍ୟ ସରକାରଙ୍କ ରାଷ୍ଟ୍ର ମନ୍ତ୍ରୀ ପାହ୍ୟାର ପରାମର୍ଶଦାତା ।
କୋଭିଡ୍୧୯ ମୁଖପାତ୍ର ସୁବ୍ରତୋ ବାଗ୍ଚୀ ସରକାରଙ୍କୁ ଅଡ଼ୁଆ ପରିସ୍ଥିତିରେ ପକାଇବା ଲାଗି ୨୦ ବର୍ଷତଳର ଏକ ତଥ୍ୟ ଉଲ୍ଲେଖ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ, ଆମ ରାଜ୍ୟରୁ ୧୨ ଲକ୍ଷ ୭୦ ହଜାର ଲୋକ କାମ ଧନ୍ଦା ପାଇଁ ବାହାର ରାଜ୍ୟରେ ପ୍ରବାସୀ ହୋଇଛନ୍ତି । ସେଥିରୁ ୯୨ ପ୍ରତିଶତ ଅର୍ଥାତ୍ ୧୧ ଲକ୍ଷରୁ ଅଧିକ ଲୋକ ଦିନ ମଜୁରିଆ ବା ଦାଦନ ଆକାରରେ ଘରଠୁ ଅନେକ କିଲୋମିଟର ଦୂରରେ ଖଟୁଛନ୍ତି । କେଉଁଠି ତାଙ୍କ ସହ ପରିବାର ରହିଛି ତ କେଉଁଠି ବିନା ପରିବାରରେ ସେମାନେ ଜୀବନ କାଟୁଛନ୍ତି । ପୁଣି କାରଖାନା ବନ୍ଦ ହେଲେ ଏହି ଦାଦନଙ୍କ ରୋଜଗାର, ବାସ ସବୁ ଚାଲିଯାଉଛି । ସେମାନେ ଖୋଲା ଆକାଶ ତଳକୁ ଚାଲି ଆସନ୍ତି। ଲକ୍ଡାଉନ୍ ପରିସ୍ଥିତି, ଏହା ସ୍ପଷ୍ଟ କରିଛି । ଏହି ଦୁର୍ଦିନରେ ସେମାନଙ୍କ ପାଖରେ ପହଞ୍ଚିବା, ସେମାନଙ୍କୁ ଉଦ୍ଧାର କରିବା ସରକାରଙ୍କ ଦାୟିତ୍ଵ । ଯଦି କିଏ ଚାହୁଁଛି ନିଜ ରାଜ୍ୟକୁ ଫେରି ଆସିବାକୁ ସେଥିଲାଗି ଆବଶ୍ୟକ ସାଧନ ଉପଲବ୍ଧ କରିବା ଦେଶର ସାମ୍ବିଧାନିକ ଦାୟିତ୍ଵ । ଏହା ଖୋଦ୍ କୋଭିଡ୍-୧୯ ମୁଖପାତ୍ର ଭାବେ ନିଯୁକ୍ତ ସୁବ୍ରତୋ ବାଗ୍ଚୀ କହିଛନ୍ତି ।
ସରକାରୀ କଳରେ ଥାଇ ସଦ୍ୟ ତଥ୍ୟକୁ ଉପସ୍ଥାପନ କରିବା ବଦଳରେ ନିଜର ‘ଗୁଗୁଲ୍ ଜ୍ଞାନ’କୁ ଉପଯୋଗ କରିବାର ଚତୁରତା ଭିତରେ ଆଜି ସେ ସରକାରଙ୍କୁ ହରଡ଼ଘଣା ଭିତରକୁ ବି ଟାଣିଛନ୍ତି। ଯେଉଁ ସରକାର ବନ୍ୟା, ବାତ୍ୟା ପରି ବିପର୍ଯ୍ୟୟ ପରିଚାଳନା ହେବଉ ବା କୋଭିଡ୍୧୯ ପରି ମହାମାରୀ ପରିଚାଳନାରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରଶଂସା ହାସଲ କରୁଛି ସେଠାରେ ୨୦୦୧ ମସିହାର ତଥ୍ୟ ଦେଇ ସୁବ୍ରତୋ ଗଣମାଧ୍ୟମକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି।
ଅବଶ୍ୟ ପରେ ନିଜ ମନ୍ତବ୍ୟରେ ଉଚ୍ଚାରଣ କରିଥିବା ତଥ୍ୟକୁ ଘୋଡ଼ାଇବା ଲାଗି ଶ୍ରୀ ବାଗ୍ଚୀ ରାଜ୍ୟରେ ଥିବା ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାର ଶ୍ରମିକ ଯେ, କେବଳ ଭାରତର ବିଭିନ୍ନ ପ୍ରାନ୍ତକୁ ଯାଇଥାଆନ୍ତି ତା’ ନୁହେଁ । ଆମ ରାଜ୍ୟକୁ ମଧ୍ୟ ବିଭିନ୍ନ ରାଜ୍ୟର ଶ୍ରମିକ କାମ ପାଇଁ ଆସିଥାଆନ୍ତି । ଆଉ ସେମାନଙ୍କ ସଂଖ୍ୟା ୮ ଲକ୍ଷ ୬୦ ହଜାର ।
ପରସ୍ପର ବିରୋଧୀ ଯୁକ୍ତି !
ସୁରାଟ୍, କୋଲକାତା, ଚେନ୍ନାଇ, ଅହମ୍ମଦାବାଦ ଠାରେ ଥିବା ଓଡ଼ିଆ ଶ୍ରମିକଙ୍କ ଆକୁଳ ନିବେଦନ ଏବଂ ସେମାନଙ୍କୁ ଓଡ଼ିଶା ଆଣିବା ନେଇ ସରକାର ଯେଉଁ ପ୍ରୟାସ କରୁଛନ୍ତି, ସେଥିରୁ ସ୍ପଷ୍ଟ ଯେ, ଓଡ଼ିଶାର ଅନେକ ଶ୍ରମିକ ବାହାରେ ବହୁ ଦୁର୍ଦିନରେ ରହିଛନ୍ତି । ଅପରପକ୍ଷେ ସେତିକି ଦୁର୍ଦିନରେ ଓଡ଼ିଶାରେ ପ୍ରବାସୀ ଶ୍ରମିକ ନାହାନ୍ତି । ତାହା ହୋଇଥିଲେ ଓଡ଼ିଶାରେ ବି ପ୍ରବାସୀ ଶ୍ରମିକଙ୍କ ବିଦ୍ରୋହ ଦେଖିବାକୁ ମିଳିଥାଆନ୍ତା ଅଥବା ଏଠାରୁ ଉଦ୍ଧାରକାରୀ ଟ୍ରେନ୍ ଚାଲୁ ଥାଆନ୍ତା ।
ଏସବୁ ନହେବାର ଅର୍ଥ ଏଠାରେ ୮ ଲକ୍ଷ ୬୦ ହଜାରରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ଆମେ କାମ ଯୋଗାଇବାରେ ସକ୍ଷମ ହେଉଥିବା ବେଳେ ଆମ ମାଟିର ଓଡ଼ିଆ ପୁଅକୁ ବାହାର ରାଜ୍ୟରେ ଦୁର୍ଦିନରେ ଶ୍ରମ କରିବାକୁ ବାଧ୍ୟ କରୁଛୁ ।
ଅଥବା ଏହି ତଥ୍ୟ ଏହା ବି ସୂଚାଉଛି ଯେ, ଆମ ରାଜ୍ୟର ଓଡ଼ିଆ ଶ୍ରମିକ ପାଖରେ ଦକ୍ଷତା ଅଭାବ ଯୋଗୁ ବାହାରେ ସେମାନେ କୁଲି ମଜୁରୀ କରୁଛନ୍ତି । କିନ୍ତୁ ବାହାର ରାଜ୍ୟର ଶ୍ରମିକ ଏଠାରେ ସଂଗଠିତ ଉଦ୍ୟୋଗରେ କାମ କରୁଛି ।
ନିକଟ ଅତୀତରେ ବିଭିନ୍ନ କଳକାରଖାନାରେ ଓଡ଼ିଆ ଶ୍ରମିକଙ୍କୁ ନିଯୁକ୍ତି ନ ଦିଆଯିବା, ବାହାର ରାଜ୍ୟରୁ ଶ୍ରମିକ ଓ ଉଚ୍ଚ ଆସନର ଶ୍ରମିକଙ୍କୁ ଅଣାଯାଇ ନିଯୁକ୍ତି ଦିଆଯିବା ଭଳି ଅଭିଯୋଗ ଉଠିଛି । ଏପରିକି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ମଧ୍ୟ ଖଣିଜ ସମ୍ପଦ ଭରା ଓଡ଼ିଶାରେ ଏହି ପ୍ରସଙ୍ଗକୁ ଉଠାଇଛନ୍ତି । ହେଲେ, ସରକାର ଏଥିଲାଗି ନୀତି ପ୍ରସ୍ତୁତ କରିବା ବଦଳରେ ସେଥିରେ ବିଫଳ ହୋଇଛନ୍ତି ।
ଏହି ବିଫଳତାର କାରଣ କିଏ?
ଏହି ବିଫଳତାର ଏକ ମୁଖ୍ୟ କାରଣ ହେଉଛି, ଶ୍ରମିକଙ୍କ ପାଖରେ ଆବଶ୍ୟକ ଦକ୍ଷତାର ଅଭାବ । କାମ ନାହିଁ ବୋଲି କହିପାରିବା ନାହିଁ । କାରଣ ବାହାର ରାଜ୍ୟର ୮ ଲକ୍ଷ ୬୦ ହଜାର ଲୋକଙ୍କୁ ଆମେ କାମ କରିବା ଲାଗି ସୁଯୋଗ ଦେଇଛୁ । ଏହି ଦକ୍ଷତାର ଅଭାବ ପ୍ରସଙ୍ଗକୁ ଉପଲବ୍ଧି କରି ସରକାର ଓଡ଼ିଶାର, ପିଲାମାନଙ୍କୁ ଦକ୍ଷତା ତାଲିମ ଦେବା ଲାଗି ସ୍ଵତନ୍ତ୍ର ମିଶନ ଆରମ୍ଭ କରିଥିଲେ । ‘ସ୍କିଲ୍ଡ ଇନ୍ ଓଡ଼ିଶା’ ନାଁରେ ଏହା ପରିଚିତ । ଖାଲି ସେତିକି ନୁହେଁ, ରାଜ୍ୟ ସରକାର ସେଥିଲାଗି ଏକ ଦକ୍ଷତା ବିକାଶ ପ୍ରାଧିକରଣ ବି ଗଠନ କରିଛନ୍ତି । ଆଉ ଏହି ପ୍ରାଧିକରଣକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଓଡ଼ିଶା ବାହାରେ ବ୍ୟବସାୟ କରୁଥିବା ତଥା ସେତେବେଳେ ନିଜ ସାମ୍ରାଜ୍ୟ ଡୁବିବାକୁ ଜଳଜଳ ଦେଖୁଥିବା ସୁବ୍ରତୋ ବାଗ୍ଚୀଙ୍କୁ ନିଯୁକ୍ତ କରିଥିଲେ । ଆଜି ବି ସେ ସେହି ପଦବୀ ଭୋଗ କରୁଛନ୍ତି । ଖାଲି ସେତିକି ନୁହେଁ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଭଳି ପଦ ବି ସରକାର ଦେଇଛନ୍ତି ।
ସରକାରଙ୍କଠାରୁ ସେ ଏହି ବାବଦରେ କୌଣସି ଲାଭ ବା ପାରିଶ୍ରମିକ ନେଉ ନାହାନ୍ତି ବୋଲି କହୁଥିଲେ ମଧ୍ୟ ସୁବ୍ରତୋ ପରୋକ୍ଷରେ ଅନେକ ଫାଇଦା ନେଉଥିବା ସ୍ପଷ୍ଟ । ବରିଷ୍ଠ ମନ୍ତ୍ରୀମାନଙ୍କ ଭଳି ଭୁବନେଶ୍ୱର ମୁଖ୍ୟସ୍ଥଳରେ ସରକାରୀ ବଙ୍ଗଳା ପାଇଛନ୍ତି । ତା’ ସହ ଗାଡ଼ି ଓ ଅନ୍ୟାନ୍ୟ ସୁବିଧା ବି ରହିଛି । ଖାଲି ସେ ସରକାରଙ୍କ ପଦବୀ ପାଇଛନ୍ତି ତା’ ନୁହେଁ, ତାଙ୍କ ପତ୍ନୀ ମଧ୍ୟ ସରକାରଙ୍କ ରାଷ୍ଟ୍ର ମନ୍ତ୍ରୀ ପାହ୍ୟାର ପରାମର୍ଶଦାତା । ଶ୍ରୀ ବାଗ୍ଚୀ ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷ ଥିବା ବେଳେ ସୁସ୍ମିତା ‘ମୋ ସ୍କୁଲ୍’ ମିଶନର ଅଧ୍ୟକ୍ଷ। ଆମେ ଏଠାରେ ତାଙ୍କ ଜ୍ଞାନ ଗରିମାକୁ ପ୍ରଶ୍ନବାଚୀ ଭିତରକୁ ଆଣୁ ନାହୁଁ । ତାଙ୍କ ଆସିବା ପରେ ଓଡ଼ିଶାର ସ୍କୁଲ୍ଗୁଡ଼ିକରେ ପୁରୁଣା ଛାତ୍ରଙ୍କ ସଂଗଠନ ମଜମୁତ ହୋଇଛି ତାହା ଏହି ରିପୋର୍ଟରେ ଆଲୋଚନା କରିବା ଉଦ୍ଦେଶ୍ୟ ନାହିଁ। କିନ୍ତୁ କୌଣସି ସରକାରରେ ଯଦି ସ୍ଵାମୀ-ସ୍ତ୍ରୀ ମନ୍ତ୍ରୀ ପାହ୍ୟାରେ ସାମିଲ ରହନ୍ତି ତେବେ ସେ ପରିସ୍ଥିତିକୁ ଆପଣ କ’ଣ କହିବେ ? ପୁଣି ଉଭୟ ନିମନ୍ତ୍ରିତ ପରାମର୍ଶଦାତା କିପରି ହେବେ ? ଓଡ଼ିଶା ରାଜନୀତିକ ଇତିହାସରେ ପୂର୍ବରୁ ଏମିତି କେବେ ବି ପତି ପତ୍ନୀଙ୍କୁ କ୍ୟାବିନେଟ୍ ଓ ରାଷ୍ଟ୍ରପାହ୍ୟା ମନ୍ତ୍ରୀପଦବୀ ମିଳିଥିବା ଲକ୍ଷ୍ୟ କରାଯାଇ ନାହିଁ । ଅର୍ଥାତ୍ ବାଗ୍ଚୀ ଦମ୍ପତ୍ତିଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇପାରିଛି।
ଅବଶ୍ୟ ଆମ ରାଜ୍ୟରେ ଏକାଧିକ ପ୍ରଶାସନିକ ଅଧିକାରୀ ଦମ୍ପତ୍ତି ବିଭିନ୍ନ ଗୁରୁତ୍ଵପୂଣ୍ଣ ପଦବୀରେ ରହିଛନ୍ତି । କିନ୍ତୁ ସେମାନେ ସମସ୍ତେ ପ୍ରତିଦ୍ଵନ୍ଦ୍ଵିତାମୂଳକ ପରୀକ୍ଷାରେ ପାସ୍ କରି ଏଠାକୁ ଆସିଛନ୍ତି । ଏଥିଲାଗି ସେମାନଙ୍କୁ ଘୋର ପରିଶ୍ରମ କରିବାକୁ ପଡ଼ିଛି । ହେଲେ ସୁବ୍ରତୋ ତାହା କରି ନାହାନ୍ତି । ଅର୍ଥାତ୍, ପଛ ଦୁଆର ଦେଇ ସେ ପ୍ରଶାସନିକ ଅଳିନ୍ଦରେ ପଶିଛନ୍ତି । ଏଠାରେ ସୂଚିତ କରାଯାଇପାରେ ଯେ, ଶ୍ରୀ ବାଗ୍ଚୀ ବ୍ୟବସାୟ କରିବା ପୂର୍ବରୁ ଶିଳ୍ପ ବିଭାଗରେ ଜଣେ କନିଷ୍ଠ ସ୍ତର କିରାଣୀ ଭାବେ କାମ କରୁଥିଲେ।
ଏ ସବୁ ପ୍ରସଙ୍ଗ କେବେ ତାଙ୍କ ବ୍ୟକ୍ତିଗତ ବ୍ୟାପାର ନୁହେଁ । ଏଣୁ ପ୍ରସଙ୍ଗ ଉଠାଇବାର କାରଣ ରହିଛି । ସେ ଭିତରେ ମୁଖ୍ୟ କାରଣ ହେଉଛି, ସେ ନିଜ ଦାୟିତ୍ଵକୁ ଠିକଣା ଭାବେ ତୁଲାଇ ନାହାନ୍ତି । କାରଣ, ଏବେ ଯେତେବେଳେ ଲୋକେ କାମ ହରାଉଛନ୍ତି, ଆଉ ସେମାନେ ଯଦି ହୋଇଥାନ୍ତେ, ତେବେ ଦି’ ପଇସା ରୋଜଗାର କରିପାରନ୍ତେ । ଯଦି ନହୋଇଛି ଏବେ ତାଙ୍କୁ କିପରି ଆବଶ୍ୟକ ତାଲିମ ଦିଆଯିବ, ଘରକୁ ଫେରିଥିବା ଓଡ଼ିଆ ପୁଅଟି କେମିତି ଘରେ ରହିବ, ସେଥିଲାଗି ଏକ ସ୍ଵତନ୍ତ୍ର ଦକ୍ଷତା ବିକାଶ ପରାମର୍ଶ ସରକାରଙ୍କୁ ଦେବା କଥା । ଯାହାଦ୍ଵାରା ୨୮ଦିନର କ୍ଵାରେଣ୍ଟୀନ୍ ଶ୍ରମିକ ଲାଗି ଉପଯୋଗୀ ହୋଇପାରନ୍ତା କିନ୍ତୁ ସେଥିଲାଗି କୌଣସି ପ୍ରୟାସ ହୋଇ ନାହିଁ ।
ସରକାରଙ୍କୁ ଚାପୁଡ଼ା
ଅପରପକ୍ଷେ ଆମ ରାଜ୍ୟ ଶ୍ରମିକଙ୍କୁ ଠିକଣା ସୁବିଧା ଦେଉଛି, ଓଡ଼ିଆ ଶ୍ରମିକ ମାରଣ ନୀତି ଆପଣାଇ ନାହିଁ ବୋଲି ବୋଲାଉଥିବା ସରକାରଙ୍କ ପ୍ରତିଛବି । ଏହି ସଙ୍କଟଜନକ ସ୍ଥିତିରେ ପରିସ୍ଥିତିକୁ ପରିଚାଳନା କରିବା ପାଇଁ ନିୟୋଜିତ ମୁଖପାତ୍ର ବିଗାଡ଼ିବାକୁ ଚେଷ୍ଟା କରିଛନ୍ତି । ବିସ୍ମୟର କଥା ଯେ, ସରକାରୀ ସୁବିଧା ସୁଯୋଗସବୁ ଆପଣାଇବା ପରେ ବି ରାଜ୍ୟ ପ୍ରଶାସନକୁ ନିନ୍ଦିତ କରିବାରେ ତାଙ୍କ ଉଦ୍ଦେଶ୍ୟ ଜଣାପଡ଼ୁ ନାହିଁ।
ଅବଶ୍ୟ ପୂର୍ବରୁ ଅନେକ ଥର ଶ୍ରୀ ବାଗ୍ଚୀ ନିଜ ବକ୍ତବ୍ୟ ମାଧ୍ୟମରେ ଲୋକଙ୍କୁ ବିଭ୍ରାନ୍ତ କରିଥିବା ମିଡିଆରେ ପ୍ରକାଶ ପାଇଛି । ଲୋକେ ଏବଂ ବ୍ୟଥିତ ସରକାରୀ ଅଧିକାରୀ ତାଙ୍କୁ ତାତ୍ସଲ୍ୟ କରି ‘ଭୁତାଣୁ ମହୋଦୟ’ ବୋଲି ମଧ୍ୟ କହିଛନ୍ତି । କିନ୍ତୁ ଏବେ ମୁଖପାତ୍ର ଭାବେ ସେ ଯେଉଁଭଳି ସରକାରଙ୍କୁ ତାତ୍ସଲ୍ୟ କରୁଛନ୍ତି, ତାହା ସରକାରଙ୍କ ଗାଲରେ ଚାପୁଡ଼ା ସଦୃଶ ହୋଇଛି ।