ଧର୍ମେନ୍ଦ୍ରଙ୍କ ଦୌରାତ୍ମ୍ୟରୁ ବିଜେଡିରେ ମିଶିବେ ସୁବାସ!
ରାଜ୍ୟ ବିଜେପିର ପୋଷ୍ଟର ବୟ ତଥା କେନ୍ଦ୍ରୀୟ ନେତାଙ୍କ ଆର୍ଶିବାଦ ଯୋଗୁଁ ଦରାକୁ ସରା ମଣୁନଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୌରାତ୍ମ୍ୟ ଯୋଗୁଁ ଆଜି ଦଳର ଜଣେ ସମର୍ପିତ ନେତା ରାଜ କିଶୋର ଦାସ ଶାସକ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଏହି ରାସ୍ତାରେ ପଶ୍ଚିମ ଓଡ଼ିଶାର ବରଗଡ ଲୋକସଭା ପାଇଁ ଧର୍ମେନ୍ଦ୍ରଙ୍କ ଚକ୍ରାନ୍ତ ଯୋଗୁଁ ବଞ୍ଚିତ ହୋଇଥିବା ସୁବାସ ଚୌହ୍ୱାନ ଖୁବ୍ ଶୀଘ୍ର ବିଜୁ ଜନତା ଦଳରେ ସାମିଲ ହୋଇପାରନ୍ତି ବୋଲି ତାଙ୍କ ସମର୍ଥକମାଙ୍କ ମହଲରେ ଆଲୋଚନା ହେଉଛି।
ବରଗଡ଼ ଲୋକସଭା ଆସନରୁ ଚଳିତଥର ଟିକେଟ ପାଇବାରୁ ବଞ୍ଚିତ ହୋଇଥିବା ସୁବାସ ଚୌହାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟଶୈଳୀକୁ ଖୋଲାଖୋଲି ସମାଲୋଚନା କରିଛନ୍ତି। ଏହା ସହିତ ବିଜେପୁର ବିଧାନସଭା ଆସନରୁ ସେ ଦଳୀୟ ପ୍ରାର୍ଥୀ ହେବାକୁ ରୋକଠୋକ୍ ମନା କରିଦେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଶ୍ରୀ ଚୌହାନଙ୍କର କିଛି ଖାସ୍ ସମର୍ଥକଙ୍କୁ ଆଜି ନବୀନ ନିବାସରେ ଦେଖିବାକୁ ମିଳିଥିଲା। ସୁବାସ ଚୌହାନ ସମ୍ଭବତଃ ଆସନ୍ତାକାଲି ନବୀନ ନିବାସରେ ପହଞ୍ଚି ବିଜେଡିରେ ସାମିଲ ହୋଇପାରନ୍ତି।
ଧର୍ମେନ୍ଦ୍ରଙ୍କ ଯୋଗୁଁ ଅସନ୍ତୁଷ୍ଟ ହୋଇଥିବା ସୁବାସ ଚୌହ୍ୱାନଙ୍କୁ ଦଳରେ ସାମିଲ କରିବାକୁ ବିଜେଡି ନେତୃତ୍ୱ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି। କାରଣ ସୁବାସ ବିଜେଡିରେ ଯୋଗ ଦେଲେ ବରଗଡ ଲୋକସଭା ସହିତ ଜିଲ୍ଲାର ସମସ୍ତ ଆସନରେ ଶାସକ ଦଳ ଏକ ତରଫା ଭାବେ ବିଜୟ ଲାଭ କରିବ। ସୁବାସଙ୍କର ବରଗଡ ଓ ଝାରସୁଗୁଡା ଜିଲ୍ଲାରେ ଲୋକସମ୍ପର୍କ ବହୁତ ଭଲ ରହିଛି। ଏପରିକି ସେ ପଡୋଶୀ ସମ୍ୱଲପୁର ଓ ବଲାଙ୍ଗୀର ଜିଲ୍ଲାରେ ବିଜେପି ଭୋଟକୁ ବିଜେଡିକୁ ହସ୍ତାନ୍ତର କରିପାରିବେ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।
ପଢ଼ନ୍ତୁ ଅନ୍ୟ ଖବର: