ବିଜେପିକୁ ବିଜେପୁର ସଙ୍କଟ, ନବୀନଙ୍କ ବିରୋଧରେ ଲଢ଼ିବାକୁ ଧର୍ମେନ୍ଦ୍ରଙ୍କୁ ପ୍ରସ୍ତାବ
ବଜରଙ୍ଗ ଦଳର ପୂର୍ବତନ ଜାତୀୟ ଆବାହକ ଓଡ଼ିଶା ବିଜେପିରେ ଆଗଧାଡ଼ିର ହିନ୍ଦୁତ୍ଵବାଦୀ ନେତା ସୁବାସ ଚୌହାନ ବିଜେପିର ସଦସ୍ୟ ହୋଇ ନିଜକୁ ଧିକ୍କାର ମନେ କରିଛନ୍ତି। ବିଗତ ନିର୍ବାଚନରେ ବିଜେପି ଓଡ଼ିଶାରେ ଦେଇଥିବା ସମସ୍ତ ଲୋକସଭା ପ୍ରାର୍ଥୀଙ୍କ ତୁଳନାରେ ଅଧିକ ଭୋଟ୍ ପାଇଥିବା ସୁବାସ ଗଲା ୫ ବର୍ଷ ଧରି ସଂଗଠନକୁ ମଜଭୁତ କରିଥିଲେ। କିନ୍ତୁ ତାଙ୍କରି ଗଡ଼କୁ ଏବେ ଜିଲ୍ଲା ବାହାରରର ତଥା ନିର୍ବାଚନ ମଣ୍ଡଳୀ ବାହାରର ଜଣେ ନେତାଙ୍କୁ ଉପହାର ଦିଆଯିବାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏଥିଲାଗି କେନ୍ଦ୍ରମନ୍ତ୍ରୀ ତଥା ଦଳର ପ୍ରଶାସନିକ ନିଷ୍ପତ୍ତି ନେଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ଦାୟୀ କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଧର୍ମେନ୍ଦ୍ର ବିଜେପିରୁ ବିଜେପୁର ବିଧାନସଭା ମଣ୍ଡଳୀରେ ପ୍ରାର୍ଥୀ ହୁଅନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ଶ୍ରୀ ଚୌହାନ। ଅନ୍ୟପଟେ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ପ୍ରାର୍ଥୀ ହେବା ପାଇଁ ନିର୍ଦେଶ ଦେଇଥିଲେ ବି ସେ ଅମଙ୍ଗ ପ୍ରକାଶ କରିଛନ୍ତି। ସ୍ପଷ୍ଟ କରିଛି ଯେ, ଏବେ ବିଜେପୁର ବିଜେପିକୁ ସଙ୍କଟ ହୋଇଛି। ଏପରିକି ନବୀନଙ୍କ ବିରୋଧରେ ବିଜେପି ପାଇଁ ପ୍ରାର୍ଥୀଙ୍କ ଅଭାବ ରହିଛି।
କିଛି ଦିନ ତଳେ ସାଂସଦ ପାଇଁ ତାଙ୍କର ଆଶାକୁ ବିଜେପିର ନିର୍ବାଚନ କମିଟି ଭଣ୍ଡୁର କରିଦେଇଥିଲେ। ରାଜ୍ୟ ସାରା ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଥିଲା। ଏପରିକି ବିଜେପି ତା’ର ନିଶ୍ଚିତ ଆସନକୁ ବିଜେଡିକୁ ଉତ୍ସର୍ଗ କରିଲା ବୋଲି ଆଲୋଚନା ହୋଇଥିଲା। ଏହାପରେ ତାଙ୍କୁ ଶାନ୍ତ କରିବା ପାଇଁ ଦଳ ତାଙ୍କୁ ରାଜ୍ୟ ଉପସଭାପତି ଦାୟିତ୍ଵ ଦେଇଥିଲା। କିନ୍ତୁ ସୁବାସ ଏହାକୁ ଗ୍ରହଣ କରିଥିବା କେବେ ପ୍ରକାଶ କରିନାହାନ୍ତି।
ସୋଶାଲ୍ ମିଡିଆରେ ସୁବାସ ନିଜର ମତ ରଖି କହିଛନ୍ତି,ଦଳର ସବୁଠାରୁ ଚର୍ଚିତ ଚେହେରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁରରୁ ପ୍ରାର୍ଥୀ ହୁଅନ୍ତୁ। ସେ କ୍ଷମତାଶାଳୀ, ବିତ୍ତଶାଳୀ ଓ ପ୍ରଭାବଶାଳୀ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ସେ ହିଁ ବିକଳ୍ପ ହେବେ ବୋଲି ପ୍ରସ୍ତାବ ଦେଇଛନ୍ତି।
ବିଜେପୁର ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଲଢ଼ୁଥିବା କାରଣରୁ ଧର୍ମେନ୍ଦ୍ର ବାବୁଙ୍କ ଭଳି ଜଣେ ବିତ୍ତଶାଳୀ, ଶକ୍ତିଶାଳୀ ଲୋକ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତାବ ଦେଇଥିଲି । କିନ୍ତୁ ଫଳ ଓଲଟା ହେଲା । ଏହା ପଶ୍ଚିମ ଓଡିଶାର ଅବିସି ସମାଜ ପ୍ରତି ଘୋର ଅପମାନ।
ବିଜେପୁର ଥୋପକୁ ପ୍ରତ୍ୟାଖ୍ୟାନ
ଲୋକସଭା ସାଂସଦ ପାଇଁ ଟିକେଟ୍ କଟିଲା ପରେ ରାଜ୍ୟସାରା ଯେଉଁ ଅସନ୍ତୋଷ ସୃଷ୍ଟି ହୋଇଛି ତାହାକୁ ପ୍ରଶମିତ କରିବା ପାଇଁ ସୁବାସଙ୍କୁ ବିଜେପୁରରୁ ଲଢ଼ିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହାକୁ ନିର୍ଦେଶ ବୋଲି କହିଛନ୍ତି ସୁବାସ। ହେଲେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ଧର୍ମେନ୍ଦ୍ରଙ୍କ ବିରୋଧରେ ବିଷୋଦ୍ଗାର
ତାଙ୍କୁ ଦଳରେ ଘୋର ଅପମାନ ଦିଆଯାଇଛି ବୋଲି କହିଛନ୍ତି ସୁବାସ। ସେ କହିଛନ୍ତି ‘ମୁଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବରେ ଦୀର୍ଘ ୩୦ ବର୍ଷ ଧରି ରାଷ୍ଟ୍ରସେବା କରିବାର ସୁଯୋଗ ପାଇଛି । ପରେ ବିଜେପିରେ ଯୋଗଦାନ କରି ୨୦୧୪ର ଲୋକସଭା ନିର୍ବାଚନ ଲଢ଼ି ଓଡ଼ିଶାର ବିଜେପି ପ୍ରାର୍ଥୀ ମାନଙ୍କ ଭିତରେ ସର୍ବାଧିକ ୩,୭୨,୦୦୦ ଭୋଟ ଦେଇ ଲୋକେ ସମର୍ଥନ କଲେ । ମୁଁ ନିର୍ବାଚନ ହାରିଲା ପରେ ମଧ୍ୟ ଲଗାତାର ୫ବର୍ଷ ପରିଶ୍ରମ କରି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କର ସୁଖ ଦୁଃଖର ସାଥୀ ହେଲି । ବିଜେପି କୁ ଅକୁଣ୍ଠ ସମର୍ଥନ ଦେବାପାଇଁ ବରଗଡ଼ ଲୋକସଭା ବାସୀ ଏଥର ପ୍ରସ୍ତୁତ ହେଉଥିବା ବେଳେ ମୋର ବରଗଡ଼ ଲୋକସଭା ଟିକଟ କାଟି ଦିଆଗଲା । ଜନସାଧାରଣଙ୍କ ଭିତରେ ଏହାର ତୀବ୍ର ପ୍ରତିକ୍ରିୟା ତଥା ସମାଲୋଚନା ହେଲା। ପାର୍ଟିର ବରିଷ୍ଠ ନେତାମାନେ ମୋର କାର୍ଯ୍ୟକର୍ତା ତଥା ଜନତାଙ୍କୁ ଧମକ ଚମକ ଦେଲେ। କିନ୍ତୁ ଅପମାନର ସୀମା ଟପିଗଲା’।
ଓବିସି ସମାଜକୁ ଅପମାନ
ସୁବାସ କହିଛନ୍ତି ଦଳ ପଶ୍ଚିମ ଓଡ଼ିଶାର ଓବିସି ସମାଜକୁ ଅପମାନିତ କରିଛି । ସେ କିନ୍ତୁ ଲୋକଙ୍କ ସାଙ୍ଗରେ ଅଛନ୍ତି। ସଂଗଠନରେ ଅଛନ୍ତି ଆଉ ରହିବେ। ଦଳରେ ରହିବେ ବା ନରହିବେ ସେଥିନେଇ କୌଣସି ସୂଚନା ଦେଇ ନାହାନ୍ତି।