ବିଜେଡିରେ ଯୋଗଦେଲେ ସୁବାସ ଚୌହ୍ୱାନ
ବରଗଡ଼ ଲୋକସଭା ଆସନ ପାଇଁ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ଚକ୍ରାନ୍ତର ଶୀକାର ହୋଇ ଦଳୀୟ ଟିକଟରୁ ବଞ୍ଚିତ ହେବା ପରେ ସୁବାସ ଚୌହ୍ୱାନ ଶାସକ ବିଜେଡିରେ ସାମିଲ ହୋଇଛନ୍ତି। ନିଜର ସମର୍ଥକମାନଙ୍କୁ ନେଇ ଶ୍ରୀ ଚୌହ୍ୱାନ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି।
କଳିଯୁଗର ଏହି ମହାଭାରତରେ ତାଙ୍କ ମତରେ ଅହଂକାରୀ ଦୁର୍ଯ୍ୟୋଧନ ଭୁମିକାରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏଥିରେ ଯୁଧିଷ୍ଠିର ଭୂମିକାରେ ନବୀନ ପଟନାୟକ। ଧର୍ମେନ୍ଦ୍ର ପ୍ରଧାନ ଅହଂକାରରେ ଉବୁଟୁବୁ ହୋଇ ନୀତି ନୈତିକତା ଭୁଲିଯାଇଥିବା ବେଳେ ନବୀନ ପଟ୍ଟନାୟକ ଶାନ୍ତ, ସରଳ ଓ ବିକାଶମୂଖୀ । ଏହି ଦୃଷ୍ଟିରୁ ସେ ଅହଂକାର ଓ ମୂଲ୍ୟବୋଧହୀନ ରାଜନୀତିର ପକ୍ଷଛାଡି ବିଜେଡିରେ ଯୋଗ ଦେଇଛନ୍ତି । ନବୀନଙ୍କ ନିର୍ଦ୍ଦେଶରେ ସେ ତାଙ୍କ ପକ୍ଷରେ ଅର୍ଜୁନ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇ ରାଜ୍ୟ ଯାକ ବୁଲି ବୁଲୁ ବିଜେଡି ପାଇଁ ପ୍ରଚାର କରିବେ ।
ସୁବାସଙ୍କୁ ଦଳରେ ଭଲ ସ୍ଥାନ ଦିଆଯିବ: ନବୀନ

ସୁବାସଙ୍କୁ ଦଳରେ ଭଲ ସ୍ଥାନ ଦିଆଯିବ । ବୁଧବାର ବିଜେଡିରେ ସୁବାସ ଚୌହାନ ଯୋଗଦେବା ପରେ ନିଜ ପ୍ରତିକ୍ରିୟା ରଖି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଅଧର୍ମ ଓ ଅହଂକାର ବିରୋଧରେ ଲଢ଼େଇ ଜାରି ରହିବ
ସେ କହିଛନ୍ତି, ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି। ବିଜେଡିରେ ସାମିଲ ହେବା ପାଇଁ କୌଣସି ସର୍ତ୍ତ ରଖି ନାହିଁ। ମୁଁ ଆଗାମୀ ନିର୍ବାଚନ ଲଢିବି ନାହିଁ। ତେବେ ଯଦି ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରିବା ପାଇଁ ପ୍ରସ୍ତାବ ଆସେ,ତେବେ ସେ ବିଚାର କରିବେ ବୋଲି ଶ୍ରୀ ଚୌହ୍ଵାନ କହିଛନ୍ତି। କୁରୁକ୍ଷେତ୍ରର ଲଢ଼େଇ ଆରମ୍ଭ ହୋଇସାରିଛି। ମୁଁ ଗୋଟିଏ ଯୋଦ୍ଧା ହୋଇଥିବାରୁ ଗୋଟିଏ ପକ୍ଷ ନିଶ୍ଚିତ କରିଛି। ସେଥିପାଇଁ ମୁଁ ଏଠାକୁ ଆସିଛି। ଅଧର୍ମ ଓ ଅହଂକାର ବିରୋଧରେ ଲଢ଼େଇ ଜାରି ରହିବ। ଆରଏସ୍ଏସ୍ରେ ଅଛି ଏବଂ ରହିବି।
ବିଜେଡିରେ ଯୋଗ ଦେବା ପୂର୍ବରୁ ସୁବାସଙ୍କ ନିବେଦନ
ମୁଁ ଜଣେ ସ୍ୱୟଂସେବକ ଭାବେ ବିଜେପି ଛାଡି ଅତ୍ୟନ୍ତ ଦୁଃଖିତ।ମତେ ନିର୍ମାଣ କରିବାରେ ଅନେକ ପ୍ରଚାରକ, ତଥା ସଂଘର ସ୍ୱୟଂସେବକ ମାନଙ୍କର ଯୋଗଦାନ ରହିଛି। ମୁଁ ତାଙ୍କ ପାଖରେ ଚିର କୃତଜ୍ଞ। ବରଗଡ଼ ପାର୍ଲିଆମେଣ୍ଟର ଜନତା ପାଖରେ ମୁଁ ଋଣୀ କାରଣ ବିକାଶର ଅନେକ ସ୍ବପ୍ନ ଗତ ପାଞ୍ଚ ବର୍ଷ ଭିତରେ ମୁଁ ଆପଣମାନଙ୍କୁ ଦେଖାଇଛି,ଆଉ ଆପଣମାନେ ସମସ୍ତେ ମିଶି ତାକୁ ସାକାର କରିବା ପାଇଁ ମତେ ସବୁବେଳେ ଅକୁଣ୍ଠ ଚିତ୍ତରେ ସହଯୋଗ କରିଛନ୍ତି । ମୁଁ ଯେଉଁଠି ବି ଥାଏ ଆମେ ସମସ୍ତେ ମିଶି ତାକୁ ପୁରା କରିବା ଏଥିରେ ସନ୍ଦେହ ନାହିଁ । ଆପଣଙ୍କର ସ୍ୱାଭିମାନ ଏବଂ ସମ୍ମାନ ପାଇଁ ମୁଁ ଲଢ଼ିଛି ଓ ସମୟ ଦେଇଛି ଏହା ଆଗକୁ ଜାରି ରହିବ । ଏଥିପାଇଁ ଆପଣଙ୍କ ସହିତ ସବୁବେଳେ ମୁଁ ରହି ଲଢେଇ କରିବି। ମୁଁ ଜୀବନର ୫୨ବର୍ଷ ଭିତରେ ନିଜ ପାଇଁ କିଛି କରି ନାହିଁ । ଯାହା କରିଛି,ଲୋକଙ୍କ ପାଇଁ, ଦେଶ ପାଇଁ, ଧର୍ମ ପାଇଁ ।କିନୁ ମୋର ସମର୍ପଣକୁ ଅନ୍ୟଥା ନେଇ କିଛି ଲୋକ ମତେ ଅତ୍ୟାଚାର କରୁଛନ୍ତି। ଆଗକୁ ବି ସେମାନେ କରିବେ। ବର୍ତ୍ତମାନ ମୋର ଜୀବନ ପ୍ରତି ବିପଦ ରହିଛି । ମୁଁ ଯେଉଁଠି ସୁରକ୍ଷିତ ମଣିବି ତଥା ଆପଣମାନଙ୍କର ସେବା କରିପାରିବି ମୁଁ ସେ ଭଳି ସ୍ଥାନକୁ ଯିବାପାଇଁ ଚାହୁଁଛି । ଆପଣମାନେ ମତେ ନିଶ୍ଚୟ ଆଗରୁ ଯେଉଁ ଭଳି ସମର୍ଥନ ଦେଉଥିଲେ ସେଇଭଳି ସମର୍ଥନ ଦେବେ ବୋଲି ମୋର ବିଶ୍ୱାସ ।