ଯୁକ୍ତଦୁଇ ପରୀକ୍ଷା କଡ଼ାକଡ଼ି: ପ୍ରଥମ ବର୍ଷ ୩୩% ଅନିର୍ବାର୍ଯ୍ୟ
ଭୁବନେଶ୍ୱର(ଓଟି): ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବିଶେଷ ସତର୍କ ସୂଚନା । ସରକାର ଏନେଇ ଆଜି ଏକ ଘୋଷଣା କରିଛନ୍ତି । ଫଳରେ ପାଠପଢ଼ା କ୍ଷେତ୍ରରେ ପ୍ରଥମବର୍ଷ ଅବହେଳା କରୁଥିବା ଛାତ୍ରଛାତ୍ରୀ ପରେ ଖୁବ୍ ପଶ୍ଚାତାପ କରିବାକୁ ପଡ଼ିବ । କାହିଁକି ନା ଦ୍ୱିତୀୟବର୍ଷକୁ ଯିବାକୁ ହେଲେ ପ୍ରଥମ ବର୍ଷ ନିହାତି ଭାବେ ଶତକଡ଼ା ୩୩ ପ୍ରତିଶତ ମାର୍କ ରଖିବାକୁ ହେବ । ଏ ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସ୍ପଷ୍ଟ ସୂଚନା ପ୍ରକାଶ କରିଛନ୍ତି । ଅବଶ୍ୟ ପିଲାଙ୍କ ପାଇଁ ବ୍ୟାକ୍ ଲଗ୍ କ୍ଲିୟର୍ କରିବା ପାଇଁ ସୁବିଧା ରହିଛି । ସେଥିପାଇଁ ଆଉଥରେ ମାତ୍ର ସୁଯୋଗ ମିଳିବ । ଯେଉଁ ଛାତ୍ରଛାତ୍ରୀ ଫେବୃଆରୀ ୧୫ରୁ ୨୯ ମଧ୍ୟରେ ହେବାକୁ ଥିବା ପ୍ରଥମବର୍ଷ ପରୀକ୍ଷାରେ ଆବଶ୍ୟକ ୩୩ ପ୍ରତିଶତ ମାର୍କ ରଖିପାରିବେ ନାହିଁ ସେମାନଙ୍କ ପାଇଁ ରିମେଡିଆଲ୍ କ୍ଳାସ୍ ହେବ । ସମ୍ପୃକ୍ତ ଛାତ୍ରଛାତ୍ରୀ ପୁଣି ମେ ମାସରେ ବ୍ୟାକ୍ ଲଗ୍ ପରୀକ୍ଷା ଦେଇପାରିବେ । ମନ୍ତ୍ରୀ ଶ୍ରୀ ଦାସଙ୍କ ଏହି ସୂଚନା ପରେ ଛାତ୍ରଛାତ୍ରୀ ନିଜ ପାଠପଢ଼ା ତଥା ଭବିଷ୍ୟତ ପ୍ରତି ବିଶେଷ ଭାବେ ଚିନ୍ତା କରିବାର ସମୟ ଆସିଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।