ଆଜିଠୁ ଗାଡ଼ି ଯାଞ୍ଚ ‘କାହିଁକି’ କଡ଼ାକଡ଼ି

ଭୁବନେଶ୍ୱର (ଓଟି): ତିନି ମାସ ରହିଥିଲା କଣ୍ଟ। ପୁଣି ଦିଆଗଲା ଆଉ ୩ ମାସ। ମୋଟ ଉପରେ ୬ମାସର କୋହଳ ପରେ ଆଜିଠୁ କଡ଼ାକଡ଼ି ହେବ ଯାଞ୍ଚ। ହଁ, ଗାଡ଼ିମୋଟର ତଥା ଯାନବାହାନ ଯାଞ୍ଚ ପ୍ରସଙ୍ଗ ହିଁ ସମ୍ପ୍ରତି ଚର୍ଚ୍ଚାର ବିଷୟ। ସାଧାରଣ ଭାବେ ବୁଝିବାକୁ ହେଲେ ସରକାର ୬ ମାସ ସମୟ ଦେବା ପରେ କଣ୍ଟ ପୂରିବା ଅନୁସାରେ ମାର୍ଚ୍ଚ ପହିଲାରୁ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି ହେବ ଏବଂ ଆବଶ୍ୟକ ସ୍ଥଳେ ଜୋରିମାନା ଆଦାୟ ହେବ। ଏହା ହିଁ ଖବର। ତେବେ ଏହାକୁ ନେଇ ସାଧାରଣରେ ରହିଛି ଭୟ-ଛନକା ବା ଆତଙ୍କ। କାହିଁକି ରହିଛି ସେଭଳି ଆତଙ୍କ? କିଛି ରହିଗଲାକି ବ୍ୟବସ୍ଥା ଜନିତ ତ୍ରୁଟି? ନା ସାଧାରଣରେ ଅବହେଳା ପାଇଁ କରିବାକୁ ପଡୁଛି ଚିନ୍ତା? ୬ ମାସ ସମୟ କଣ ଯଥେଷ୍ଟ ହେଲାନି କି ସବୁ କାଗଜପତ୍ର ଯୋଗାଡ଼ କରିବାକୁ ଏବଂ ଆବଶ୍ୟକ ଯାଞ୍ଚ ପାଇଁ ଫିଟ୍‌ ହେବାକୁ?? ଏଭଳି ଅନେକ ଅନୁଶୋଚନା-ଆଲୋଚନା ଆଧାରରେ ଆମର ଏ ଅନୁଶୀଳନ ଓ ଅନୁଧ୍ୟାନମୂଳକ ଉପସ୍ଥାପନ:

ମୂଳକଥା

ଗାଡ଼ିମୋଟର ଯାଞ୍ଚ କାହିଁକି ହୁଏ ବା କରାଯାଏ? ଏହି ପ୍ରଶ୍ନ ଅନେକଙ୍କୁ ଆନ୍ଦୋଳିତ କରେ। ପାନ ଦୋକାନଠୁ ଚା’ଖଟି, ହାଟରୁ ହଟ୍‌ ମଲ୍‌ ପର୍ଯ୍ୟନ୍ତ ସବୁଠି ଏହି ଆଲୋଚନା-ଚର୍ଚ୍ଚା। ତେବେ ଅଳ୍ପରେ ଏତିକି କୁହାଯାଇପାରେ ଯେ ନିୟମ ଉଲ୍ଲଂଘନ କରିବା ଓ ବେଆଇନ ଭାବେ ଗାଡ଼ି ଚାଳନା ଉପରେ ଅଙ୍କୁଶ ଲଗାଇବା ପାଇଁ ଯାଞ୍ଚ କରାଯାଉଛି। ଦ୍ଵିତୀୟତଃ ଅପରାଧ ଆଉ ଦୁର୍ଘଟଣା ରୋକିବାକୁ ଉଦ୍ୟମ କରାଯିବା ଅନ୍ୟଏକ ମୂଳ ଲକ୍ଷ୍ୟ। ତୃତୀୟରେ ନିୟମ ଉଲ୍ଲଂଘନକାରୀଙ୍କୁ ଉଚିତ୍‌ ଶିକ୍ଷା ସହ ସାଧାରଣରେ ସଚେତନତା ବି ହୋଇପାରିବ। ଏଥିସହ ଜୋରିମାନା ଆଦାୟ ହେଲେ ସରକାରଙ୍କ ରାଜସ୍ଵ ପାଣ୍ଠିକୁ ତାହା ଯିବ। ଏଭଳି କେତେକ ଆଇନଗତ କାରଣ ସମେତ ଅଘୋଷିତ ଉଦ୍ଦେଶ୍ୟକୁ ନେଇ ଗାଡ଼ି ଯାଞ୍ଚ କରାଯାଉଛି। ଏହା ଆବଶ୍ୟକ ଏବଂ ଠିକ୍‌ ବୋଲି ମଧ୍ୟ ସାଧାରଣରେ ଗ୍ରହଣ କରାଯିବା ଉଚିତ୍। ସରକାରଙ୍କ ନିୟମ ଓ ଅନୁଶାସନ ପାଳନ କରିବାରେ ସଚେତନ ନାଗରିକ ପଛଘୁଞ୍ଚା ଦେବା ଠିକ୍‌ ନୁହେଁ।

ତେବେ ବୁଦ୍ଧିଜୀବୀଙ୍କ ଆଲୋଚନା ଅନ୍ୟ ଏକ ଦିଗକୁ ଗଭୀର ବିଚାର କରିବାକୁ ହୁଏ। ସରକାରୀ ବିଧି ବ୍ୟବସ୍ଥାରେ ଢିଲା ବା ଭୁଲ୍‌ ଯୋଗୁଁ ସାଧାରଣ ନାଗରିକ ସମସ୍ୟାରେ ପଡ଼ିବାର ନଜିର୍‌ ବହୁତ ରହିଛି। ସବୁ ବ୍ୟବସ୍ଥା ଯଦି ଶୃଙ୍ଖଳିତ ଆଉ ଲୋକାଭିମୁଖୀ ଓ ଠିକ୍‌; ତେବେ ସାଧାରଣ ନାଗରିକଙ୍କୁ ଯାଞ୍ଚର ସାମ୍‌ନା କରିବାକୁ ପଡ଼ିବ କାହିଁକି? ସାଧାରଣ ଜନତା ଉଦ୍ଦେଶ୍ୟ ପ୍ରଣୋଦିତ ଭୁଲ୍‌ ନକରି ତଣ୍ଡ ବା ଜୋରିମାନା ଗଣିବ କାହିଁକି?? ଅର୍ଥାତ୍‌ ସରକାର ପରୋକ୍ଷରେ ମାନୁଛନ୍ତି ଯେ- ଲୋକଙ୍କୁ ଦିଆଯାଉଥିବା ସୁବିଧାରେ କୋଉଠି ତ୍ରୁଟି ରହିଛି; ଏଣୁ ସେସବୁକୁ ଯାଞ୍ଚ ମାଧ୍ୟରେ ସଜାଡ଼ିବାକୁ ପଡ଼ିବ! ଏହା କିନ୍ତୁ ପ୍ରକୃତ ରାସ୍ତା ନୁହେଁ ବୋଲି କୁହାଯାଉଛି।

ଉପରୋକ୍ତ ଆଲୋଚନା ମଧ୍ୟ ବିଚାରଯୋଗ୍ୟ। ସେହିପରି ସାଧାରଣରେ ଆଲୋଚନା ହେଉଥିବା ଅନ୍ୟ ଦିଗକୁ ବିଚାର କରାଯାଉ।

୬ ମାସର ମହଲତ

ସରକାର ଦେଲେ ୬ ମାସ। ଏଥର ରାଜ୍ୟରେ କଡ଼ାକଡ଼ି ଲାଗୁ ହେବ ନୂଆ ମୋଟର ଯାନ ଆଇନ। ଉଲ୍ଲଂଘନକାରୀଙ୍କୁ ଲାଗୁ ହେବ ମୋଟା ଅଙ୍କର ଫାଇନ। କୌଣସି ପରିସ୍ଥିତିରେ ନିୟମ କୋହଳ ହେବନାହିଁ ବୋଲି ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସ୍ପଷ୍ଟ କରିଛନ୍ତି। ସେହି ଅନୁସାରେ ଆଜିଠାରୁ ଚେକିଂ ଜୋରଦାର ହେବ। ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ପହିଲାରୁ ସାରା ଦେଶରେ ସଂଶୋଧିତ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ରାଜ୍ୟରେ ମଧ୍ୟ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା। କିନ୍ତୁ ମାତ୍ରାଧିକ ଅର୍ଥ ଦଣ୍ଡ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଜନଅସନ୍ତୋଷ ତେଜିଲା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଗଲା। ଫଳରେ କାଗଜପତ୍ର ପ୍ରସ୍ତୁତ ପାଇଁ ୩ ମାସ କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ପୁଣି ୩ ମାସର ସମୟ ଦେଇଥିଲେ। ଖାଲି ସେତିକି ନୁହେଁ ଗୋଲାପ ଫୁଲ ଓ ହେଲମେଟ୍‌ ଦେଇ ଲୋକଙ୍କ ସଚେତନତା ମଧ୍ୟ କରାଯାଇଥିଲା।

ଯଥେଷ୍ଟ ହୋଇଛି କି?

ସରକାର ସମୟ ଦେଇଥିବା ଯେମିତି ସତ ଓ ସ୍ଵାଗତଯୋଗ୍ୟ, ସେଭଳି ଗାଡ଼ି ଚାଳନା ପାଇଁ ଆବଶ୍ୟକ ସମସ୍ତ କାଜଗପତ୍ର କରିନଥିବା ଲୋକଙ୍କ ସଂଖ୍ୟା ମଧ୍ୟ ତତୋଧିକ। ଏହାର କାରଣ ଆଗରୁ ସରକାର ସମ୍ପୂର୍ଣ୍ଣ ଢିଲା ରହିଥିଲେ। ଆଗରୁ କଣ ନିୟମ ନଥିଲା? ସଂଶୋଧିତ ମୋଟର ଯାନ ଆଇନ ପରେ ହଠାତ୍‌ କଡ଼ା ଆଭିମୁଖ୍ୟ ଓ ଜନଆକ୍ରୋଶ ପରେ କିଛିମାସର ମହଲତ ଦେବା କଣ ସବୁ ସମସ୍ୟାକୁ ସମାଧାନ କରିଦେଲା? ସରକାରଙ୍କ ୬ ମାସ ସବୁଲୋକଙ୍କ ପାଇଁ ସମସ୍ତ ସୁବିଧା କରିଦେଲା? ହଜାରହଜାର ସଂଖ୍ୟକ ଲୋକେ ଡରଭୟରେ ବିଭିନ୍ନ ପ୍ରମାଣପତ୍ର ପାଇଁ ଲମ୍ବା ଲାଇନ୍‌ ଲଗାଉଥିବାବେଳେ ସେଅନୁସାରେ ସମ୍ପୃକ୍ତ ଅଫିସ୍‌ଗୁଡ଼ିକରେ ଅଧିକାରୀ-କର୍ମଚାରୀ ରହିଥିଲେ କି? କେବଳ କେତେକ ସ୍ଥାନରେ କିଛିଦିନ ପାଇଁ ଅସ୍ଥାୟୀ କ୍ୟାମ୍ପ୍ ହୋଇଥିଲା ଲାଇସେନ୍ସ ସଂକ୍ରାନ୍ତରେ କିନ୍ତୁ ତାପରେ ମୂଳ କାର୍ଯ୍ୟାଳୟଗୁଡ଼ିକରେ ଆଜିପର୍ଯ୍ୟନ୍ତ ଭିଡ଼ କମୁନାହିଁ। ଏହାର କାରଣ ସମ୍ପୃକ୍ତ ଅଫିସ୍‌ରେ ପୂର୍ବଭଳି ସେତିକି କର୍ମଚାରୀ ହିଁ ରହିଛନ୍ତି। କାମ କିନ୍ତୁ ଅଧିକ। ଏସବୁ ଦୃଷ୍ଟିରୁ ଡିଜିଟାଲ ପ୍ରକ୍ରିୟା ବା ଅନ୍‌ଲାଇନ୍‌ ମାଧ୍ୟମରେ ବିଭିନ୍ନ ଲାଇସେନ୍ସ ପାଇଁ ଆବଦେନ କଲେ ଜଣ ଜଣଙ୍କୁ ୨ ମାସ ୩ ମାସ ପରେ ବି ସ୍ଲଟ୍‌ ମିଳୁନଥିବା ଅଭିଯୋଗ ହେଉଛି। ସେ ଭିତରେ କେହି ନିର୍ଦ୍ଦିଷ୍ଟ ପରୀକ୍ଷାରେ ଫେଲ୍‌ ହେଲେ ପୁନଃ ଆବେଦନ ସଂକ୍ରାନ୍ତରେ ବିଳମ୍ବ ମଧ୍ୟ ହୋଇଛି। ମୋଟାମୋଟି ଭାବେ ପେଶାଗତ ନିୟମ ଉଲ୍ଲଂଘନକାରୀ ବା ଅପରାଧିକ ମାନସିକତାକୁ ବାଦ୍‌ଦେଲେ ସାଧାରଣ ନାଗରିକ ଆବଶ୍ୟକ ପ୍ରମାଣପତ୍ର ପାଇଁ ସଚେତନ ହେବା ସହ ଉଦ୍ୟମ କରିଆସିଛନ୍ତି। କିନ୍ତୁ ସରକାରଙ୍କ ଦିଆଯାଇଥିବା ୬ ମାସର ସମୟ ସମସ୍ତଙ୍କୁ ସୁବିଧା ପ୍ରଦାନ କରିପାରିନି- ଏହା ସତ୍ୟ। ଏଭଳି କ୍ଷେତ୍ରରେ ଜଣଙ୍କୁ ଦଣ୍ଡ ବା ଜୋରିମାନା ନଦେଇ ପ୍ରସଙ୍ଗ ବିଚାର କରିବେ ତ ସରକାର?

ପୁଲିସ୍‌ ବନାମ ଆର୍‌ଟିଓ

ପରିବହନ ବିଭାଗ ପକ୍ଷରୁ ବିଶେଷ କରି ଗାଡ଼ିମୋଟର ଯାଞ୍ଚ ହେଉଥିବାବେଳେ ସମ୍ପ୍ରତି ପୁଲିସ୍‌ ପ୍ରଶାସନର ଅଧିକ ସକ୍ରିୟତା ଦେଖାଯାଉଛି। ତେବେ ଯାଞ୍ଚ ପ୍ରକ୍ରିୟାରେ ସମ୍ପୃକ୍ତ ସମସ୍ତ ପୁଲିସ୍‌ କର୍ମଚାରୀମାନେ ଆରଟିଓ/ପରିବହନ ନିୟମ ଅନ୍ତର୍ଗତ ସହ ବ୍ୟବସ୍ଥାଗତ ଓ ଉପସ୍ଥିତ ସ୍ଥିତି ସମ୍ପର୍କିତ ଜ୍ଞାନ ରଖିଥିବା ଉଚିତ୍‌ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି। ଜୋରଜବରଦସ୍ତ କରିବା, ଲୋକଙ୍କୁ ଅପରାଧୀ ଭଳି ମାଡ଼ି ବସିବା, ଗାଡ଼ିର ଚାବି ଛଡ଼ାଇ ନେବା, ପ୍ରସଙ୍ଗକୁ ଆଦୌ ନଶୁଣିବା ବା ବିଚାର ନକରିବା ଭଳି ଘଟଣାରେ ଜନଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ଏଡ଼ାଇ ହେବନାହିଁ।

ଖାଲି ଦୁଇଚକିଆ ଆଉ କାର୍‌ କି!

ଏଭଳି ପ୍ରଶ୍ନ ଆଉ ଆଲୋଚନା ସାଧାରଣରେ ଜୋର୍‌ ଧରିଛି। କାରଣ ପୂର୍ବରୁ ମଧ୍ୟ ଦେଖାଯାଇଛି ପୁଲିସ୍‌ କର୍ମଚାରୀମାନେ ବିଶେଷକରି ଦୁଇଚକିଆ ଓ କାର୍‌ଗୁଡ଼ିକୁ ଯାଞ୍ଚ ପାଇଁ ଅଧିକ ଟାଗେର୍ଟ କରିଆସିଛନ୍ତି। ସେଭଳି କ୍ଷେତ୍ରରେ ପୂର୍ବଭଳି ଏବେମଧ୍ୟ ଲୋକଙ୍କ ମନରେ ପ୍ରଶ୍ନ- ବିଭିନ୍ନ ପ୍ରକାର ଅଟୋ ସବୁକୁ ଯାଞ୍ଚ କରାଯାଉଛି ତ? ସବୁପ୍ରକାର ବସ୍‌ଗୁଡ଼ିକର କଣ ସବୁ ଠିକ୍‌ ରହିଛି? ଟ୍ରକ୍‌ ଓ ଟ୍ରାକ୍ଟର କଣ ନିୟମ ଉଲ୍ଲଂଘନ କରୁନାହାନ୍ତି? ଇଲେକ୍‌ଟ୍ରୋନିକ୍‌ ବାଇକ୍‌ ପାଇଁ କଣ ନିୟମ ରହିଛି? ମଦ ପିଇ ଗାଡ଼ି ଚଳାଇବା ଅପରାଧ, ସତ… ତେବେ ଲାଇସେନ୍ସପ୍ରାପ୍ତ ବାର୍‌ ଓ ଠିପିଖୋଲା ମଦ ଦୋକାନକୁ ଲୋକେ କଣ ଘରୁ ବା ଅନ୍ୟ କ୍ଷେତ୍ରୁ ଚାଲିଚାଲି ଯିବେ ? ନା ଘରକୁ ନେଇ ମଦ ପିଅ ବୋଲି କୁହାଯାଉଛି ? ଯଦି ମଦ ପିଇବା ସପକ୍ଷରେ ସରକାର ନାହାନ୍ତି- ତେବେ ଏତେ ଦୋକାନ ଖୋଲିଛି ଓ ଲାଇସେନ୍ସ ପାଇଛନ୍ତି କାହାପାଇଁ? ଏଭଳି ଆହୁରି ଅନେକ ପ୍ରଶ୍ନ ଏଠି-ସେଠି-ସବୁଠି ଆଲେଚନା ହେଉଛି। ଏସବୁ ପ୍ରତି ଧ୍ୟାନଦେବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଉଛି।

ଶେଷ ନୁହେଁ ସାରାଂଶ

ଯେଉଁଠି ଜଣେ ସୁବିଧାକୁ ଉପଯୋଗ କରିନାହିଁ ବା ଦୁରୁପୋଯୋଗ କରିଛି ବୋଲି ପ୍ରମାଣ ମିଳିବ, ଇଚ୍ଛାଧୀନ/ବେପରୁଆ ବା ମନୋମୁଖି ଭାବେ ଭୁଲ୍‌ କରିଥିବା ଜଣାପଡ଼ିବ ଏବଂ ଦେଶର /ସର୍ବସାଧାରଣଙ୍କ କ୍ଷତି ଘଟାଇବ ସେ କ୍ଷେତ୍ରରେ ଜଣଙ୍କୁ ଦଣ୍ଡ ଦିଆଯାଉ ଏବଂ ଜୋରିମାନା ଅସୁଲ କରାଯାଉ। କିନ୍ତୁ ସାର୍ବଜନୀନ ଭାବେ ନିୟମ ସମସ୍ତଙ୍କ ପାଇଁ ସମାନ ବୋଲି ଘୋଷଣା କରାଯାଇ ଅନ୍ଧଭାବେ ଦଣ୍ଡ ପ୍ରୟୋଗ କରିବା ଅର୍ଥ ସବୁ ନାଗରିକ ସମାନ ଭାବେ ଅପରାଧୀ ବୋଲି ପ୍ରମାଣିତ ହୋଇଯିବ ଏବଂ ଏକ ସ୍ଵାଧୀନ ରାଷ୍ଟ୍ରରେ ସ୍ଵେଚ୍ଛାଚାରୀ ଶାସନ ସଦୃଶ ସ୍ଥିତି ଉତ୍ପନ୍ନ ହେଲେ ସାମାଜିକ ଶୃଙ୍ଖଳା ବିଗିଡ଼ିଯିବା ଆଶଙ୍କା ଯଥେଷ୍ଟ ରହିଛି। ଏଥିସହ ବ୍ୟାପକ ଜନଆନ୍ଦୋଳନ ମୁଣ୍ଡ ଟେକିପାରେ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

…………………….

। ଏସ୍‌ପି ।

Leave a Reply

Your email address will not be published. Required fields are marked *