ପୁରୀ ବଡ଼ଦାଣ୍ଡରେ ଆଲୁଅ ଜଳିଲା

ପୁରୀ, ( ଭୀମସେନ ପଲଙ୍କଧାରୀ): ପ୍ରଳୟଙ୍କରୀ ‘ଫୋନି’ର କରାଳ ସହିଥିବା ପୁରୀ ସହରରେ ଜୀବନ ଧୀରେ ଧୀରେ ସ୍ଵଭାବିକ ହେବା ଆରମ୍ଭ କରିଛି। ପ୍ରଶାସନ ଓ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ପୟାସ କ୍ରମେ ଆଜି ବଡ଼ଦାଣ୍ଡରେ ବିଜୁଳି ଆଲୁଅ ସଂଯୋଗ କରାଯାଇଛି। ଏହିକ୍ରମରେ ସନ୍ଧ୍ୟାରେ ହାଇମ୍ୟାକ୍ସ ଲଇଟ ଗୁଡ଼ିକ ଜଳିବା ଦେଖିବାକୁ ମିଳିଛି। ବଡ଼ଦାଣ୍ଡେୀ ଆଲୁଅ ଜଳୁଥିବା ଖବର ଶୁଣିବା ପରେ ସହରବାସୀଙ୍କ ମନରେ ଆଶା ସଂଚାର ହୋଇଛି।

ପୁରୀ ସହରରେ ବିଜୁଳି ସଂଯୋଗ ପୁନରୁଦ୍ଧାର କାର୍ଯ୍ୟକ୍ରମ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିଲା। ସରକାରଙ୍କ ନିର୍ଦ୍ଧାରଣ ଅନୁସାରେ ୧୨ ତାରିଖ ସୁଦ୍ଧା ବଡ଼ଦାଣ୍ଡକୁ ଆଲୋକିତ କରିବା ଲକ୍ଷ୍ୟ ଥିଲା। କିନ୍ତୁ ଏହାର ଯଥେଷ୍ଟ ପୂର୍ବରୁ ବିଦ୍ୟୁତ୍‌ କର୍ମଚାରୀମାନେ ପୁରୀ ବଡ଼ଦାଣ୍ଡକୁ ଆଲୋକିତ କରିଛନ୍ତି।

ଏହାଦ୍ଵାରା ଶ୍ରୀମନ୍ଦିର ଏବଂ ସାହିଗୁଡ଼ିକରେ ଆଉ ଅଳ୍ପ କିଛିଦିନ ଭିତରେ ବିଜୁଳି ଆଲୁଅ ପହଞ୍ଚିପାରିବ ବୋଲି ଆଶା ଜନ୍ମିଛି ।

ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ପୁରୀ ସହରରେ ବିଜୁଳି, ପାଣି ଓ ମୋବାଇଲ୍‌ ସଂଯୋଗ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଥିଲା। ଏହାର ଅସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ଏବଂ ବିଭିନ୍ନ କର୍ପୋରେଟ୍‌ ପକ୍ଷରୁ ଉଦ୍ୟମ ହୋଇଛି। ଏହିକମ୍ରରେ ଏୟାରଟେଲ୍‌ ଓ ଭୋଡ଼ାଫୋନ୍‌ ପକ୍ଷରୁ ଭ୍ରାମ୍ୟମାଣ ମୋବାଇଲ୍‌ ଟାୱାର୍‌ ପୁରୀର ବିଭିନ୍ନ ସ୍ଥାନରେ ଲଗାଯାଇଛି। ବଡ଼ଦାଣ୍ଡରେ ଏହି ଟାୱାର ଲାଗିଥିବା ଜାଣି ସହରର ଲୋକେ ସେଠାକୁ ନେଜର ମୋବାଇଲ୍‌ ଧରି ପହଞ୍ଚୁଛନ୍ତି। ସେଠାରୁ ନିଜ ବିଷୟରେ ଖବର ନିଜର ବନ୍ଧୁ ଓ ପରିବାରବର୍ଗଙ୍କୁ ଜଣାଉଥିବାେ ଲକ୍ଷ୍ୟ କରାଯାଉଛି। ଆଜି ସକାଳୁ ଏହି ମୋବାଇଲ୍‌ ଟାୱାର ଓ ସନ୍ଧ୍ୟାବେଳେ ବିଜୁଳି ଆଲୁଅ ଗୋଟିଏ ଗୋଟିଏ ଆଶ୍ଚର୍ଯ୍ୟ ଭାବେ ଅନୁଭୁତ ହେଉଛି।

ପିଇବା ପାଣିର ସମସ୍ୟାକୁ ଲାଘବ କରିବା ପାଇଁ ମଧ୍ୟ ସହରରେ ଉଦ୍ୟମ ଚାଲିଲା। ସୀମିତ ସମୟ ପାଇଁ ପାଇପ୍‌ ଯୋଗେ ପାଣି ଯୋଗାଣ ସହ ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *